ଓଡ଼ିଶାରେ ବାଇଚଢ଼େଇ ଗଣନା, ୩ ପ୍ରଜାତିର ୧୧୬୭୬ ଚିହ୍ନଟ

0 52

ଭୁବନେଶ୍ୱର: ବାଇଚଢ଼େଇର କିଚିରି ମିଚିରି ସ୍ୱର ଚାଲିଗଲା ଲୋକକୁ ବି କିଛି ସମୟ ଅଟକାଇଦିଏ। ତା’ର ବସାର ଅପୂର୍ବ ସ୍ଥାପତ୍ୟ ନଜରରେ ପଡ଼ୁପଡ଼ୁ ମନ ସେଇଠି ଅଟକିଯାଏ। କିନ୍ତୁ ଆଧୁନିକତାର ବଳୟ ଭିତରେ ଧୀରେଧୀରେ ହଜିଯାଉଛି ଏହି ଆଶ୍ଚର୍ଯ୍ୟ ଓ ଆକର୍ଷଣ। ତେବେ ଚଳିତ ବର୍ଷର ଗଣନା ଆଶ୍ୱାସନା ଆଣିଛି। ଭାରତୀୟ ପକ୍ଷୀ ସଂରକ୍ଷଣ ନେଟ୍‌ଓ୍ଵର୍କ (ଆଇବିସିଏନ୍‌) ଓଡ଼ିଶା ଚାପ୍ଟର ପକ୍ଷରୁ ଓ୍ଵାଇଲଡ୍‌ ଓଡ଼ିଶା ସ୍ୱେଚ୍ଛାସେବୀ ସଂଗଠନ ଓଡ଼ିଶାରେ ୧୧ହଜାର ୬୭୬ ବାଇଚଢ଼େଇଙ୍କୁ ଚିହ୍ନଟ କରିଛି। ୨୦୧୬ରେ ସମ୍ପୃକ୍ତ ଅନୁଷ୍ଠାନ ପକ୍ଷରୁ ହୋଇଥିବା ଗଣନାରେ ୯ହଜାର ବାଇଚଢ଼େଇଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇଛି। ଗତ ଜୁନ୍‌ରୁ ସଂଗଠନ ପକ୍ଷରୁ ୧୦ ଜିଲ୍ଲାରେ ଏହି ଗଣନା କରାଯାଇଥିଲା। ଖୋର୍ଧା, ନୟାଗଡ଼, ଗଂଜାମ, ମୟୂରଭଂଜ, କେନ୍ଦ୍ରାପଡ଼ା, କେଉଁଝର, ନୟାଗଡ଼, ଢେଙ୍କାନାଳ ଓ ପୁରୀରେ ଏହି ଗଣନା ହୋଇଥିଲା। ବନ୍ୟଜନ୍ତୁ ସଂରକ୍ଷକ ସ୍ୱେଚ୍ଛାସେବୀମାନେ ୮୫୨ଟି ବାଇଚଢ଼େଇ ବସା ଚିହ୍ନଟ କରି ଗଣନା କରିଥିଲେ। ମୁଖ୍ୟତଃ ୩ଟି ପ୍ରଜାତିର ବାଇଚଢ଼େଇକୁ ହିସାବକୁ ନେଇ ଗଣନା କରାଯାଇଛି ବୋଲି ଆବିସିଏନ୍‌ ଓଡ଼ିଶା ଚାପ୍ଟରର ସଂଯୋଜିକା ମୋନାଲିସା ଭୁଜବଳ କହିଛନ୍ତି। ସାଧାରଣ ବାଇଚଢ଼େଇ ୩୩୭୬ଟି ଚିହ୍ନଟ ହୋଇଥିବା ବେଳେ ‘ଷ୍ଟ୍ରିକ୍‌ଡ ଓ୍ଵିଭର୍‌’ ୭୨୦୦ ଏବଂ ‘ବ୍ଲାକ୍‌ ବ୍ରେଷ୍ଟେଡ୍‌ ଓ୍ଵିଭର୍‌’ ୧୧୦୦ଟି ଚିହ୍ନଟ କରାଯାଇଛି। ମଙ୍ଗଳାଯୋଡ଼ିର ଓ୍ଵାଇଲଡ୍‌ ଲାଇଫ୍‌ ମହାବୀର ପକ୍ଷୀ ସୁରକ୍ଷା ସମିତି, ଭେଟନୋଇର ବ୍ଲାକ୍‌ବକ୍‌ କଞ୍ଜର୍ଭେସନ୍‌ ସୋସାଇଟି, ସୁନ୍ଦରପୁରର ବାବା ମୁକ୍ତେଶ୍ୱର ଦେବ ପକ୍ଷୀ ସୁରକ୍ଷା ସମିତି ସମେତ ବନ୍ୟଜନ୍ତୁ ସଂରକ୍ଷକ ନନ୍ଦକିଶୋର ଭୁଜବଳ, ସୁଲଭ ସେଠୀ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ବହୁ ବନ୍ୟଜନ୍ତୁ ସଂରକ୍ଷକ ସ୍ୱେଚ୍ଛାସେବୀ ଗଣନାରେ ସାମିଲ୍‌ ହୋଇଥିଲେ। ଗଣନା ସମୟରେ ଜଣାପଡ଼ିଥିଲା ଯେ ତାଳଗଛ ଧୀରେଧୀରେ ହ୍ରାସ ପାଉଥିବାରୁ ଏହା ବାଇଚଢ଼େଇଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି। ସେହିପରି ଚିଲିକା ହ୍ରଦ ନିକଟରେ ମଧ୍ୟ ବାଇଚଢ଼େଇ ବସା ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଇଛି ବୋଲି ସୁଲଭ ସେଠୀ କହିଛନ୍ତି। ସହରାଞ୍ଚଳରେ ବାଇଚଢ଼େଇ ବସା ଯଦିଓ ହ୍ରାସ ପାଉଛି କିନ୍ତୁ ଗ୍ରାମାଞ୍ଚଳ ଏବଂ ଅନୁନ୍ନତ ଅଞ୍ଚଳମାନଙ୍କରେ ଏବେ ବି ବହୁ ବାଇଚଢ଼େଇଙ୍କୁ ଦେଖିବାକୁ ମିଳୁଛି ବୋଲି ସୁଲଭ କହିଛନ୍ତି। ଆଇବିସିଏନ୍‌ ଓଡ଼ିଶା ଚାପ୍ଟର ପକ୍ଷରୁ ହୋଇଥିବା ଏହି ଗଣନା ରିପୋର୍ଟ ଓଡ଼ିଶା ସରକାର, ଭାରତ ସରକାର, ବମ୍ବେ ନାଚୁରାଲ୍‌ ହିଷ୍ଟ୍ରି ସୋସାଇଟି ଏବଂ ବାର୍ଡ ଲାଇଫ୍‌ ଇଣ୍ଟରନ୍ୟାସ୍‌ନାଲ୍‌କୁ ପ୍ରଦାନ କରାଯିବ ବୋଲି ମୋନାଲିସା କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.