‘ଓୟୋ’ ବିରୋଧରେ ୪ କୋଟିର ଠକେଇ ଅଭିଯୋଗ

ଭୁବନେଶ୍ବର: ଅନ୍‌ଲାଇନ୍‌ ହୋଟେଲ୍‌ ବୁକିଂ ସଂସ୍ଥା ‘ଓୟୋ’ ୪ କୋଟି ଟଙ୍କା ଠକେଇ କରିଥିବା ନେଇ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ ହୋଇଛି। ଏନେଇ ଓୟୋ ହୋଟେଲ୍‌ ଓନର୍ସ ଆସୋସିଏସନ୍‌ ପକ୍ଷରୁ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ ହୋଇଛି। ଅଭି‌ଯୋଗରେ ଦର୍ଶାଯାଇଛି ଯେ ରାଜଧାନୀର ପାଖାପାଖି ଦୁଇ ଶହ ‌ହୋଟେଲ୍‌ ଓୟୋ ସହ ହୋଟେଲ୍‌ ସର୍ଭିସ୍‌ ନେଇ ଏଗ୍ରିମେଣ୍ଟ କରିଥିଲେ। ହୋଟେଲ୍‌ଗୁଡ଼ିକ ସିଙ୍ଗଲ, ଡବଲ୍‌ ଓ ଟ୍ରିପଲ୍‌ ବେଡ୍‌ ପାଇଁ ନିଜ ନିଜର ବେସ୍‌ ପ୍ରାଇସ୍‌ ରଖୁଥିଲେ। ଏଗ୍ରିମେଣ୍ଟ ଅନୁଯାୟୀ ଓୟୋ ବୁକିଂ ରାଶିର ୨୦% ଅର୍ଥ ରଖି ବାକି ୮୦% ଅର୍ଥ ହୋଟେଲ୍‌ ମାଲିକଙ୍କୁ ଦେଉଥିଲା। ହେଲେ ୮ମାସ ହେବ ଓୟୋ ଅଧିକ ବ୍ୟବସାୟ ପାଇଁ ବିଭିନ୍ନ ସ୍କିମ୍‌ କରି ଗ୍ରାହକଙ୍କୁ ରିହାତି ଦେଉଥିଲା। ଉଦାହରଣ ସ୍ବରୂପ ଯଦି ଗୋଟିଏ ହୋଟେଲ୍‌ର ସିଙ୍ଗଲ ବେଡ୍‌ ପାଇଁ ୬ଶହ ଟଙ୍କା ବେସ୍‌ ପ୍ରାଇସ୍‌ ରଖାଯାଇଛି, ଏଗ୍ରିମେଣ୍ଟ ଅନୁଯାୟୀ, ଓୟୋ ବୁକିଂ ପିଛା ୧୨୦ଟଙ୍କା ରଖି ବାକି ୪୮୦ଟଙ୍କା ହୋଟେଲ୍‌ ମାଲିକଙ୍କୁ ଦେବା କଥା। କିନ୍ତୁ ଗ୍ରାହକଙ୍କୁ ରିହାତି ଦେଇ ଓୟୋ ଗ୍ରାହକଙ୍କଠାରୁ ୫ଶହ ଟଙ୍କା ନେଉଥିଲା। ୫ଶହ ଟଙ୍କାର ୨୦% ଅର୍ଥ ରଖି ୮୦% ମାଲିକଙ୍କୁ ଦେଉଥିଲା। ଏମିତି ଆଠ ମାସ ଧରି ଚାଲିବାରୁ ହୋଟେଲଗୁଡ଼ିକୁ ଲକ୍ଷାଧିକ ଟଙ୍କା କ୍ଷତି ସହିବାକୁ ପଡ଼ିଛି। ରାଜଧାନୀର ପାଖାପାଖି ୨ଶହ ହୋଟେଲ୍‌ ୪ କୋଟି ଟଙ୍କା କ୍ଷତି ସହିଛନ୍ତି ବୋଲି ଅଭିଯୋଗ ହୋଇଛି।

ବେସ୍‌ ପ୍ରାଇସ୍‌ରେ ରିହାତି ଦେବାରୁ ହୋଟେଲ୍‌ ମାଲିକମାନେ ବିରୋଧ କରିଥିଲେ। ବେସ୍‌ ପ୍ରାଇସ୍‌ରୁ କମ୍‌ରେ ହୋଟେଲ୍‌ ବୁକିଂ ନ କରିବାକୁ କହିଥିଲେ। ଯାହାକୁ ନେଇ ଧୀରେ ଧୀରେ ବିବାଦ ବଢ଼ିଥିଲା। ହେଲେ ସମସ୍ତ ଟଙ୍କା ଦିଆଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଥିଲା। ଏ ବିଷୟରେ ‌ଆଲୋଚନା ପାଇଁ ହୋଟେଲ୍‌ ମାଲିକଙ୍କୁ ୧୯ ତାରିଖ ଦିନ ସୂର୍ଯ୍ୟନଗରସ୍ଥିତ ଓୟୋ ଅଫିସ୍‌କୁ ଡକାଯାଇଥିଲା। ହେଲେ ଉକ୍ତ ଦିନ ହୋଟେଲ୍‌ ମାଲିକମାନେ ସେଠାରେ ପହଞ୍ଚିବା ପରେ କେହି ତାଙ୍କୁ ଭେଟି ନଥିଲେ କି ଯୋଗାଯୋଗ କରିଥିଲେ ମଧ୍ୟ କେହି ଜବାବ ଦେଇନଥିଲେ। ଶେଷରେ ଓୟୋ ହୋଟେଲ୍ସ ଓନର୍ସ ଆସୋସିଏସନ୍‌ର ଅବିନାଶ ମହାନ୍ତି, ସୂର୍ଯ୍ୟକାନ୍ତ ଆଚାର୍ଯ୍ୟଙ୍କ ସମେତ ବହୁ ‌ହୋଟେଲ୍‌ ମାଲିକ କ୍ୟାପିଟାଲ ଥାନାକୁ ଯାଇ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ଘଟଣାର ତଦନ୍ତ କରୁଥିବା ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର