ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଆଉ ୧୦ ସ୍ୱେଚ୍ଛାସେବୀଙ୍କୁ ଡାକରା

ଅଧିକ ପ୍ଲାଟିଲେଟ୍‌ ପ୍ରସ୍ତୁତ କରିବ ରକ୍ତଭଣ୍ଡାର

ଭୁବନେଶ୍ୱର : ରାଜଧାନୀରେ ଡେଙ୍ଗୁ ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଯିବାକୁ ବସିଛି। ରାଜ୍ୟର ଜିଲ୍ଲାଗୁଡ଼ିକୁ ପଛରେ ପକାଇ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଡେଙ୍ଗୁର ନିୟନ୍ତ୍ରଣ ପାଇଁ ଆହୁରି ୧୦ ସ୍ୱେଚ୍ଛାସେବୀଙ୍କୁ ଏଥିରେ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ବା ସିଡିଏମ୍‌ଓଙ୍କ ପକ୍ଷରୁ ୨୦ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତ କରାଯାଇଛି। ମାତ୍ର ବଢ଼ି ଚାଲିଥିବା ଡେଙ୍ଗୁକୁ ନିୟନ୍ତ୍ରଣ କରିବା ପାଇଁ ଆହୁରି ୧୦ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତ କରିବା ପାଇଁ ଖୋର୍ଧା ସିଡିଏମ୍‌ଓଙ୍କୁ ନଗର ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଚିଠି ଲେଖାଯିବ। ଏହାସହ ଏବେ କାର୍ଯ୍ୟରତ ସ୍ୱେଚ୍ଛାସେବୀଙ୍କ କାର୍ଯ୍ୟକୁ ଉପରିସ୍ଥ ଅଧିକାରୀମାନେ ତଦାରଖ କରିବେ। ଯାହାଫଳରେ ଠିକଣା ଢଙ୍ଗରେ ଡେଙ୍ଗୁ ନିୟନ୍ତ୍ରଣ ଓ ସଚେତନତା କାର୍ଯ୍ୟ ହେଉଛି କି ନାହିଁ, ତାହା ସ୍ପଷ୍ଟ ହୋଇପାରିବ। ରାଜଧାନୀରେ କ୍ୟାପିଟାଲ ହସ୍ପିଟାଲ, ଏମ୍‌ସ ଓ ଆରଏମ୍‌ଆରସିରେ ଡେଙ୍ଗୁ ଯାଞ୍ଚ ପାଇଁ ଏଲିସା ପରୀକ୍ଷା କରାଯାଉଛି। ତେବେ ଯେଉଁ ବ୍ୟକ୍ତିମାନେ ସରକାରୀ ହସ୍ପିଟାଲ ଛଡ଼ା ଘରୋଇ ହସ୍ପିଟାଲକୁ ଯାଉଛନ୍ତି କିମ୍ବା ଯେଉଁମାନେ ଏହି ୩ଟି ସ୍ଥାନକୁ ଯାଇ ପାରୁ ନାହାନ୍ତି ସ୍ୱାସ୍ଥ୍ୟ କର୍ମୀ ଓ ଆଶା କର୍ମୀ ସେଠାକୁ ନେଇ ସେମାନଙ୍କ ପରୀକ୍ଷା କରାଇବେ। ଫଳରେ ଆକ୍ରାନ୍ତଙ୍କ ସମସ୍ତ ତଥ୍ୟ ରେକର୍ଡ ହୋଇପାରିବ। ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁ ଥିବାରୁ ଅଧିକ ପ୍ଲାଟିଲେଟ୍‌ର ଆବଶ୍ୟକତା ପଡ଼ୁଛି। ତେଣୁ ଓଡ଼ିଶା ରକ୍ତଭଣ୍ଡାରକୁ ଅଧିକ ପ୍ଲାଟିଲେଟ୍‌ ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଡେଙ୍ଗୁ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଗାଇଡଲାଇନ୍‌ ଜାରି କରାଯାଇଛି। ତେବେ ସରକାରୀ ଓ ଘରୋଇ ହସ୍ପିଟାଲରେ ଏହି ଗାଇଡଲାଇନ୍‌କୁ ପାଳନ କରାଯାଉଛି କି ନାହିଁ, ତାହାର ମଧ୍ୟ ଯାଞ୍ଚ କରାଯିବ। ନଗର ସ୍ୱାସ୍ଥ୍ୟ ଅଧିକାରୀ ଡା. ରାମଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଏଚ୍‌ଓ ଦେବୀକା ରାଣୀ ଧାମଲ, ଦୀପ୍ତିରଂଜନ ଦାସ, କେ.ଏଲଏନ୍‌ ରାଓ, ନିରଞ୍ଜନ ସାହୁ, ଦାନବୀର ମହାକୁଡ଼, ସ୍ମୃତିରଂଜନ ବଳ, ନେହା ରାଜପୁତ ଓ କାର୍ତ୍ତିକ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର