ଶ୍ରୀଲିଙ୍ଗରାଜଙ୍କ ପାଇଁ ବ୍ଲୁ-ପ୍ରିଣ୍ଟ: ଦକ୍ଷିଣ ଚଣ୍ଡୀ କଲ୍ୟାଣ ମଣ୍ଡପକୁ ଯିବ ଥାନା, ହାଟ ପାଖକୁ ମନ୍ଦିର କାର୍ଯ୍ୟାଳୟ

ଭୁବନେଶ୍ବର, ୧୦।୧୨(ଇମିସ): ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହର କରାଯିବ। ଏନେଇ ରାଜ୍ୟ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି। କେଉଁଠି କ’ଣ ହେବ, କିପରି ରାସ୍ତା ହେବ, କ’ଣ କ’ଣ ଉଚ୍ଛେଦ ହେବ, କେତେ ଘ‌ର ଭଙ୍ଗା ହେବ, କେତେ ସରକାରୀ କାର୍ଯ୍ୟାଳୟ ଭଙ୍ଗା ହେବ, କେଉଁଠି ରାସ୍ତା ନିର୍ମାଣ ହେବ, ରାସ୍ତା ଏବଂ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ କେତେ ଘରୋଇ ଜମି ଅଧିଗ୍ରହଣ ହେବ, ତାହା ନିଷ୍ପତ୍ତି ନିଆସରିଛି। ଏବେ ଘରୋଇ ଜମି ଅଧିଗ୍ରହଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ତାହା ମୂଲ୍ୟାୟନ ହେଉଥିବାରୁ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଗଲେ, ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ଏହାକୁ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଲିଙ୍ଗରାଜ ମନ୍ଦିରକୁ ବଡ଼ ଗାଡ଼ିରେ ଆସିବାକୁ ଥିବା ଲୋକ ସାମନ୍ତରାପୁର ପାର୍ଶ୍ବରୁ ପ୍ରବେଶ କରିବେ। ନୂଆ ଲିଙ୍ଗରାଜ ମାର୍କେଟ୍ ନିକଟରେ ହେବାକୁ ଥିବା ପାର୍କିଂରେ ଗାଡ଼ି ପାର୍କିଂ କରିବେ। ଦର୍ଶନ ସରିବା ପରେ ଗାଡ଼ିରେ ବସି ଗ୍ୟାରେଜ୍‌ ଛକ ହୋଇ ବାହାରିବେ। ବିନ୍ଦୁସାଗରରୁ ଶ୍ରୀ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳକୁ ନୋ-ଭେହିକିଲ୍ ଜୋନ୍ କରାଯିବ। ଏହା ଭିତରକୁ କୌଣସି ଗାଡ଼ି ଛଡ଼ା ଯିବନି। ପର୍ଯ୍ୟଟକମାନେ ଚାଲି ଚାଲି ଏକାମ୍ର କ୍ଷେତ୍ର ବୁଲିବେ। ପ୍ରଶାସନ ପକ୍ଷରୁ ବ୍ୟାଟେରି ଗାଡ଼ିର ବ୍ୟବସ୍ଥା ବି କରାଯିବ। ହେଲେ ସ୍ଥାନୀୟ ଲୋକଙ୍କ ସୁବିଧା ଏବଂ ସେମାନଙ୍କ ଗାଡ଼ି ଯାତାୟାତ ପାଇଁ କେତେକ ରାସ୍ତାକୁ ୱାନ୍‌-ୱେ କରାଯିବ। ଏଥିପାଇଁ ନୂଆ ରାସ୍ତା ବି ନିର୍ମାଣ ହେବ। ସେହିପରି ଯେଉଁଠି ରାସ୍ତା ପ୍ରଶସ୍ତୀକରଣ ହେବ, ସେଠାରେ ଆବଶ୍ୟକସ୍ଥଳେ ଘରୋଇ ଜମି ଅଧିଗ୍ରହଣ ହେବ। କେବଳ ଏତିକି ନୁହେଁ, ଲାଗିଥିବା ବେଆଇନ ହୋର୍ଡିଂକୁ ବି ଉଚ୍ଛେଦ କରାଯିବ। ପୁରୁଣା ଭୁବନେଶ୍ବରରେ ଯେଉଁଠି ଛିଡ଼ା ହେବ ସେଠାରୁ ଶ୍ରୀ ଲିଙ୍ଗରାଜ ମନ୍ଦିର ଯେପରି ଦେଖାଯିବ, ସେନେଇ ପଦକ୍ଷେପ ନିଆଯିବ।

ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ଶ୍ରୀ ଲିଙ୍ଗରାଜ ଥାନା ଏବଂ ମନ୍ଦିର କାର୍ଯ୍ୟାଳୟ ଉଠାଇ ଦିଆଯିବ। ଏଠାରେ ରାସ୍ତା ପ୍ରଶସ୍ତୀକରଣ ହେବା ପରେ ଯେଉଁ ଖୋଲା ସ୍ଥାନ ରହିବ ସେଠାରେ ହେବ। ପର୍ଯ୍ୟଟକ ଏବଂ ଯାତ୍ରୀ ବସିବା ପାଇଁ ସ୍ଥାନ, ଶୌଚାଳୟ ଆଦି ରହିବ। ଏହାସହ ଶ୍ରଦ୍ଧାଳୁଙ୍କ ଯାତାୟାତ ସୁବିଧା ପାଇଁ ଗୋଟିଏ ପାର୍ଶ୍ବରେ ପ୍ରବେଶ ଏବଂ ଅନ୍ୟପାର୍ଶ୍ବରେ ପ୍ରସ୍ଥାନ ରହିବ। ଏଥିପାଇଁ ସ୍ବତନ୍ତ୍ର ବ୍ୟାରିକେଡ୍‌ ବ୍ୟବସ୍ଥା ରହିବ। ଭିନ୍ନକ୍ଷମମାନେ ଯେପରି ମନ୍ଦିର ଭିତରକୁ ଯାଇ ପାରିବେ, ସେନେଇ ଭିତ୍ତିଭୂମି ପ୍ରସ୍ତୁତ ହେବ। ପୁରୁଣା ଲିଙ୍ଗରାଜ ମାର୍କେଟ୍‌କୁ ଭାଙ୍ଗି ଦିଆଯାଇଥିବା ବେଳେ ଏଠାରେ ପବ୍ଲିକ ପ୍ଲାଜା ହେବ। ଏଠାରେ ଯାତ୍ରୀଙ୍କ ଆମୋଦପ୍ରମୋଦ ପାଇଁ ବିଭିନ୍ନ ସୁବିଧା ସୁଯୋଗ ରହିବ। ଯାତ୍ରୀମାନେ ଯେପରି ଦୀର୍ଘ ସମୟ ବସି ପାରିବେ, ସେନେଇ ବ୍ୟବସ୍ଥା କରାଯିବ। ଫୁଡ୍‌କୋର୍ଟ ରହିବ। ସେହିପରି ଅନନ୍ତ ବାସୁଦେବ ମନ୍ଦିର ସମ୍ମୁଖ ରାସ୍ତାରେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ କରାଯିବ। ନୂଆ ଲିଙ୍ଗରାଜ ମାର୍କେଟ୍‌ ନିକଟରେ ଥିବା ପାର୍କିଂ ଅଞ୍ଚଳରେ ଗାଡ଼ି ରଖି ଲୋକ ଏହି ମନ୍ଦିରକୁ ଯିବେ। ଏପରିକି ଯେଉଁମାନେ ଗାଡ଼ିରେ ଅବଢ଼ା ନେବାର ଥିବ, ସେମାନେ ଏହି ପାର୍ଶ୍ବରୁ ନେବେ। ମନ୍ଦିର ଆଗକୁ ଗାଡ଼ି ଯିବନି। ଲୋକମାନେ ଚାଲିଚାଲି ବିନ୍ଦୁସାଗର ଚାରିକଡ଼ ସହ ଅନନ୍ତ ବାସୁଦେବ ମନ୍ଦିରରୁ ଶ୍ରୀ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଯାଇ ପାରିବେ। ଏସବୁ ବାଦ୍ ଶ୍ରୀ ଲିଙ୍ଗରାଜ ମନ୍ଦିର ପଛପାର୍ଶ୍ବରେ ଥିବା ରାସ୍ତାକୁ ଓସାର କରାଯିବ। ମୈ‌େତ୍ରଶ୍ବର ମନ୍ଦିର ନିକଟରୁ ବାହରି ବିଏମ୍‌ସି ହସ୍ପିଟାଲ ସମ୍ମୁଖ, ବିଏମ୍‌ ହାଇସ୍କୁଲ ଖେଳ ପଡ଼ିଆ ଦେଇ ମହତାବ ରୋଡ୍‌ରେ ମିଶି କେଉଟ ସାହି ଛକ ପର୍ଯ୍ୟନ୍ତ ଯିବ। ଏହି ରାସ୍ତାରେ ଗାଡ଼ି ଯାତାୟାତ କରିବ। ମନ୍ଦିର ସମ୍ମୁଖରେ କିଛି ଗାଡ଼ି ଯାତାୟାତ କରିବନି। ଯେଉଁମାନଙ୍କର ଏହି ଅଞ୍ଚଳ ଭିତରେ ଘର ଥିବ ସେମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପାସ୍‌ ଯୋଗାଇ ଦିଆଯିବ। ସେହିପରି ଏବେ କେତେ ଘର ରାସ୍ତା ପ୍ରଶସ୍ତୀକରଣ ପାଇଁ ଭଙ୍ଗାଯିବ, ତାହା ଚିହ୍ନଟ ହୋଇସାରିଥିବା ବେଳେ ଏଥିପାଇଁ କେତେ ଟଙ୍କା କ୍ଷତିପୂରଣ ଦିଆଯିବ ତାହା ଘୋଷଣା ହେବ।

ଏହାବାଦ୍ ଏବେ ଯେଉଁ ଦୋକାନୀମାନଙ୍କୁ ଉଚ୍ଛେଦ କରାଯାଉଛି, ସେମାନଙ୍କୁ ବିଭିନ୍ନ ଭେଣ୍ଡିଂଜୋନ୍‌ ମାଧ୍ୟମରେ ଥଇଥାନ କରାଯିବ। ମନ୍ଦିର ନିକଟରେ ଯେଉଁ ସବୁ ଦୋକାନ ରହିବା ଆବଶ୍ୟକ, ସେଗୁଡ଼ିକୁ ନୂଆ ଡିଜାଇନ୍‌ର ଦୋକାନ କରି ଥଇଥାନ କରାଯିବ। ଯେଉଁ ଦୋକାନଗୁଡ଼ିକ ଅନ୍ୟତ୍ର ସ୍ଥାନାନ୍ତର ହୋଇପାରିବ ସେଗୁଡ଼ିକୁ ପବ୍ଲିକ ପ୍ଳାଜା, ଲିଙ୍ଗରାଜ ହାଟ ଏବଂ ଅନ୍ୟତ୍ର ସ୍ଥାନାନ୍ତର କରାଯିବ।

ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ସବୁ ନିର୍ମାଣ ହଟିବ। ଏଥିପାଇଁ ନିଷ୍ପତ୍ତି ନିଆ ସରିଛି। କେବଳ ଉଚ୍ଛେଦ ବାକି ଅଛି। ଏଥିରେ ଶ୍ରୀଲିଙ୍ଗରାଜ ଥାନା ରହିଥିବା ଓ ତାହା ଭଙ୍ଗା ହେବାକୁ ଥିବାରୁ ନୂଆ ଥାନା ନିର୍ମାଣ ହେବା ପୂର୍ବରୁ କେଉଁଠି ଅସ୍ଥାୟୀ ଥାନା ଚାଲିବ, ସେନେଇ ଚର୍ଚ୍ଚା ଚାଲିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଲିଙ୍ଗରାଜ ଥାନାକୁ କିଛି ଦିନ ମଧ୍ୟରେ ଦକ୍ଷିଣ ଚଣ୍ଡୀ କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର କରାଯିବ। ଏବେ କଲ୍ୟାଣ ମଣ୍ଡପ କିଛି ବାହାଘର ପାଇଁ ବୁକିଂ ହୋଇଥିବାରୁ ନୂଆ ବୁକିଂ ନ ରଖିବାକୁ କୁହାଯାଇଛି। ସେହିପରି ଲିଙ୍ଗରାଜ ହାଟ ନିକଟ ଗୃହକୁ ମନ୍ଦିର କାର୍ଯ୍ୟାଳୟ ସ୍ଥାନାନ୍ତର ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର