ପୁସ୍ତକର ଜନ୍ମଦିନ ସର୍ବଦା ସ୍ୱାଗତଯୋଗ୍ୟ

‘ଲାଇଫ କମ୍ପିଟାନ୍‌ସିଜ୍‌ ଫର୍‌ ଗ୍ରୋଥ୍‌ ଏଣ୍ଡ୍‌ ସକ୍ସେସ୍‌’ ଲୋକାର୍ପିତ

ଚନ୍ଦ୍ରଶେଖରପୁର: ଜୀବନରେ ସଫଳତା ପାଇବାକୁ ହେଲେ ନିଜର ଆଭିମୁଖ୍ୟ, ପରିଭାଷା ଓ କୌଶଳ ପ୍ରତି ବିଶେଷ ଯତ୍ନବାନ ହେବାକୁ ପଡ଼ିବ। ତାଲିମ ଓ ଦକ୍ଷତା ବିକାଶ ସଫଳତାର ଏକ ପ୍ରମୁଖ ଅଙ୍ଗ। ପୁସ୍ତକ ହେଉଛି ନୂଆ ନୂଆ ତଥ୍ୟ ଓ ଜ୍ଞାନର ଗନ୍ତାଘର। ମାତ୍ର ଏହାକୁ ଅନେକ ରାଷ୍ଟ୍ର ଅଣଦେଖା କରୁଥିବାରୁ ସଫଳତା ହାସଲ କରିପାରୁନାହାନ୍ତି। ତେଣୁ ପୁସ୍ତକର ଜନ୍ମଦିନ ସର୍ବଦା ସ୍ୱାଗତଯୋଗ୍ୟ। ଆଜି ବିଶିଷ୍ଟ କନ୍‌ସାଲଟାଣ୍ଟ୍‌ ଡ. ଦେବେନ୍ଦ୍ର ଆଗୋଚିୟାଙ୍କ ଇଂରାଜୀ ପୁସ୍ତକ ‘ଲାଇଫ କମ୍ପିଟାନ୍‌ସିଜ୍‌ ଫର୍‌ ଗ୍ରୋଥ୍‌ ଏଣ୍ଡ୍‌ ସକ୍ସେସ୍‌ – ଏ ଟ୍ରେନିଂ ମାନୁଆଲ୍‌’ର ଲୋକାର୍ପଣ ସମାରୋହରେ ଯୋଗଦେଇ ଏପରି ମତ ଦେଇଛନ୍ତି ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ। ସାମର୍ଥ୍ୟ, ସମୃଦ୍ଧି ଓ ସଫଳତା ଶୀର୍ଷକ ଏହି ଟ୍ରେନିଂ ମାନୁଆଲ୍‌ ପୁସ୍ତକଟି ଜୀବନରେ ସଫଳତା ପାଇପାରୁ ନଥିବା ତଥା ହତାଶା ଦେଇ ଗତି କରୁଥିବା ଯୁବଗୋଷ୍ଠୀ ଓ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ମହୌଷଧି ଭାବରେ କାର୍ଯ୍ୟ କରିବ। ତେବେ ଏହି ଇଂରାଜୀ ପୁସ୍ତକଟିକୁ ଓଡ଼ିଆ ଓ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ଅନୁବାଦ କରାଯାଇପାରିଲେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଫଳପ୍ରଦ ହେବା ନେଇ ଶ୍ରୀ ପଟ୍ଟନାୟକ ଆଶା ପ୍ରକଟ କରିଥିଲେ। ଜଣେ ମୁକ୍ତ ବୃତ୍ତି ସଂପନ୍ନ କନ୍‌ସାଲଟାଣ୍ଟ ତଥା ଲଣ୍ଡନ ସ୍ଥିତ ରାଜ୍ୟଗୋଷ୍ଠୀ ସଚିବାଳୟର ମୁଖ୍ୟାଳୟରେ ଯୁବ ବ୍ୟାପାର ବିଭାଗର ପୂର୍ବତନ ମୁଖ୍ୟ ଥିବା ଡ. ଦେବେନ୍ଦ୍ର ଆଗୋଚିୟା ଜାତୀୟ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ସଂଗଠନରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ତେଣୁ ଜୀବନରେ ଦକ୍ଷତା ବିକାଶ ଓ ତାଲିମର ଆବଶ୍ୟକତା ଅନୁଭବ କରି ସେ ଏପରି ଏକ ପୁସ୍ତକ ରଚନା କରିଥିବା ପ୍ରକାଶ କରିଛନ୍ତି। ଏହି ପୁସ୍ତକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କ ପାଇଁ ବିଶେଷ ସହାୟକ ହେବା ନେଇ ଶ୍ରୀ ଆଗୋଚିୟା ମତ ଦେଇଛନ୍ତି। ସିଓ୍ଵାଇଏସ୍‌ଡିରେ ଆୟୋଜିତ ଏହି ଲୋକାର୍ପଣ ସମାରୋହରେ ବିର୍ଲା ଗ୍ଲୋବାଲ୍‌ ୟୁନିଭର୍‌ସିଟିର କୁଳପତି ପ୍ରଫେସର ସୁଧାକର ପଣ୍ଡା, ସିଓ୍ଵାଇଏସ୍‌ଡିର ଚେୟାରମ୍ୟାନ୍‌ ପ୍ରଫୁଲ କୁମାର ସାହୁ ଓ ପୂର୍ବତନ ସୂଚନା କମିସନର ଜଗଦାନନ୍ଦ ପ୍ରମୁଖ ଉପସ୍ଥିତ ରହି ଏହି ପୁସ୍ତକର ବର୍ତ୍ତମାନ ସମୟରେ ରହିଥିବା ବୃହତ୍‌ ପ୍ରାସଙ୍ଗିକତା ସଂପର୍କରେ ମତ ରଖିଥିଲେ। ସେଜ୍‌ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକ ଉନ୍ମୋଚନ ଅବସରରେ ସିଓ୍ଵାଇଏସ୍‌ଡି ପକ୍ଷରୁ ସାରା ରାଜ୍ୟରୁ ବଛା ବଛା ପ୍ରଶିକ୍ଷକଙ୍କୁ ଡ. ଆଗୋଚିୟା ତାଲିମ୍‌ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର