ମନ ମୋହିଲା ମାହାରୀ: ଚଉଷଠୀ ଯୋଗିନୀ ମହୋତ୍ସବ ଉଦ୍‌ଘାଟିତ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ହୀରାପୁରସ୍ଥିତ ପ୍ରସିଦ୍ଧ ତନ୍ତ୍ରପୀଠ ଚଉଷଠୀ ଯୋଗିନୀ ପୀଠ ପରିସରରେ ଆଜି ଏକାଦଶ ଚଉଷଠୀ ଯୋଗିନୀ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ସଂଧ୍ୟାର ପ୍ରଥମ ପ୍ରସ୍ତୁତି ଥିଲା ପୁରୀର ରୂପଶ୍ରୀ କଳାମନ୍ଦିର ନୃତ୍ୟାନୁଷ୍ଠାନର ଗୁରୁ ରୂପଶ୍ରୀ ମହାପାତ୍ର ଓ ସାଥୀ ଶିଳ୍ପୀଙ୍କ ଦ୍ୱାରା ମାହାରୀ ନୃତ୍ୟ ପରିବେଷଣ। ଏହି ଅବସରରେ କବି ଜୟଦେବଙ୍କ ଗୀତଗୋବିନ୍ଦର ଅଂଶବିଶେଷ ‘ଶୀତ କମଳ କୁଚ ମଣ୍ଡଳ’ ମଞ୍ଚ ନିକଟରେ ସମବେତ ଦର୍ଶକମଣ୍ଡଳୀଙ୍କୁ ବେଶ୍‌ ବିମୁଗ୍ଧ କରିଥିଲା। ତାଙ୍କର ପରବର୍ତୀ ପ୍ରସ୍ତୁତିରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପାରଂପରିକ ନୃତ୍ୟ ଅଭିନୟ ଏବଂ ଶେଷରେ ପରିବେଷିତ ଶରତ ରାଶ ‘ଲୀଳାନିଧି’ ଦର୍ଶକମାନଙ୍କୁ କିଛି ସମୟ ଧରି ତଳ୍ଲୀନ କରି ଦେଇଥିଲା। ଦ୍ୱିତୀୟ ପ୍ରସ୍ତୁତିରେ ଆୟୋଜକ ନୃତ୍ୟ ପ୍ରତିଭା ଅନୁଷ୍ଠାନର ଗୁରୁ ପ୍ରତିଭା ପଣ୍ଡା ଓ ଅନ୍ୟ ଶିଳ୍ପୀ ଛାତ୍ରୀମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ତାଳ ଏକତାଳିରେ ଶଙ୍କରାଭରଣ ପଲ୍ଲବୀ ଓ ‘ମା ଭଗବତୀ’ ଦେବୀବନ୍ଦନାର ନୃତ୍ୟ ଦର୍ଶକମାନଙ୍କ ମନକୁ ବିଭୋର କରି ଦେଇଥିଲା। ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସୁବାସ ଦାସ ଓଡ଼ିଶୀ ସଙ୍ଗୀତରେ ଦର୍ଶକଙ୍କୁ ‘ଜଗନ୍ନାଥାଷ୍ଟକଂ’ ଓ ମାତୃବନ୍ଦନା ଭେଟି ଦେଇଥିଲେ। ଶେଷ ପ୍ରସ୍ତୁତିରେ ବଲାଙ୍ଗୀରସ୍ଥିତ ଲୋଇସିଂହା ସଙ୍ଗୀତ ସାଧନା ଅନୁଷ୍ଠାନର ଗୁରୁ ଶଙ୍କର ପ୍ରସାଦ ବେହେରା ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା ସମ୍ବଲପୁରୀ ନୃତ୍ୟ ‘ନଚନିଆ’। ଏଥି ସହିତ ପ୍ରାରମ୍ଭରେ ବାଲିପାଟଣା ଅଞ୍ଚଳର ଗୁରୁ ବାବୁଲି ଭୂୟାଁ ଓ ସାଥୀମାନେ ସମୂହ ମୃଦଙ୍ଗ ବାଦନ କରି ଦେବୀଙ୍କୁ ଆରଧନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଅକ୍ଷୟ କୁମାର ରାଉତଙ୍କ ସମେତ ଭୁବନେଶ୍ୱର ଉପ ଜିଲ୍ଲାପାଳ ମନୋରଂଜନ ସାମଲ, ବରିଷ୍ଠ ସାମ୍ବାଦିକ ବଙ୍କିମ୍‌ ଚନ୍ଦ୍ର ନାୟକ ପ୍ରମୁଖ ଅନ୍ୟତମ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହି ଅବସରରେ ନୃତ୍ୟପ୍ରତିଭାର ସଭାପତି ଡ. ରଜନୀ ରଂଜନ ଦାଶ କଣ୍ଠଶିଳ୍ପୀ ସୁବାସ ଦାସଙ୍କୁ ଚଉଷଠୀ ଯୋଗିନୀ ସଙ୍ଗୀତ ସମ୍ମାନରେ ସମ୍ମାନିତ କରିଥିଲେ ।

ସମ୍ବନ୍ଧିତ ଖବର