‘ଭଗବାନଙ୍କ ନିକଟରେ ସଂପୂର୍ଣ୍ଣ ସମର୍ପଣ ଦୁଃଖରୁ ମୁକ୍ତି ଦିଏ’

ଚିନ୍ମୟ ହନୁମତ୍‌ ମହୋତ୍ସବର ପଞ୍ଚମ ଦିବସ

କଟକ : ଭଗବାନଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କଲେ ମଣିଷ ଦୁଃଖରୁ ମୁକ୍ତି ପାଏ। ଆଜି ମଣିଷ ଯାହା ଦୁଃଖ, କଷ୍ଟ ଓ ଅଶାନ୍ତି ପାଉଛି, ତାହା ପୂର୍ବ ଜନ୍ମର କର୍ମଫଳ। ଈଶ୍ୱରଙ୍କ ପ୍ରତି ସେବା ଓ ସମର୍ପଣ ସାଂସାରିକ ଦୁଃଖ ହରଣ କରିଥାଏ। ମଣିଷର ଅଜ୍ଞାନରୁ ଦୁଃଖ, ଭୟ, ରୋଗ, ଶୋକ ଆଦି ଜାତ ହୋଇଥାଏ। ଭଗବତ୍‌ ଜ୍ଞାନ ହେଲେ ଦୁଃଖ, ଆଶୀର୍ବାଦରେ ରୂପାନ୍ତରିତ ହୋଇ ଶାନ୍ତି, ଦୟା, କ୍ଷମା ଆଦିରେ ପରିଣତ ହୁଏ ବୋଲି ବାଲିଯାତ୍ରା ପଡ଼ିଆରେ ଚାଲିଥିବା ଚିନ୍ମୟ ହନୁମନ୍ତ ମହୋତ୍ସବର ପଞ୍ଚମ ସଂଧ୍ୟାରେ ଆଜି ଆନ୍ତର୍ଜାତିକ ଚିନ୍ମୟ ମିସନ୍‌ ମୁଖ୍ୟ ସ୍ୱାମୀ ତେଜୋମୟା ନନ୍ଦ ସରସ୍ୱତୀ ପ୍ରକାଶ କରିଛନ୍ତି।

ବ୍ୟକ୍ତି ବିବେକ ଅନୁସାରେ କାର୍ଯ୍ୟ କଲେ ଈଶ୍ୱର ସନ୍ତୁଷ୍ଟ ହୋଇଥାନ୍ତି। ବିବେକକୁ ଜାଗ୍ରତ କରିବା ପାଇଁ ଭଗବତ୍‌ ଚେତନା ଅତି ପ୍ରୟୋଜନ। ମଣିଷମାନଙ୍କର ସବୁଠୁ ବଡ଼ ରୋଗ ହେଉଛି, ଯାହା ଅଛି ସେଥିରେ ତୃପ୍ତି ନହୋଇ ଅଧିକ ଆଶା କରିବା। ଏହି ରୋଗରୁ ମୁକ୍ତି ପାଇଁ ଈଶ୍ୱରଙ୍କ ନାମ ସ୍ମରଣ, ଜପ, ଧ୍ୟାନ ଅଭ୍ୟାସ କରିବା ଜରୁରୀ। ମହାବୀର ହନୁମାନ ଭଗବାନଙ୍କ ନିକଟରେ ନିଜକୁ ସଂପୂର୍ଣ୍ଣ ସମର୍ପଣ କରି ଅଲୌକିକ ଓ ଅସାଧାରଣ କାର୍ଯ୍ୟ କରିପାରୁଥିଲେ। ସେଥିରେ ତାଙ୍କର ସାମାନ୍ୟତମ ଅହଂକାର ନଥିଲା ବୋଲି ସ୍ୱାମିଜୀ ପ୍ରକାଶ କରିଛନ୍ତି। ସାଂସାରିକ ସକଳ ଶୋକରୁ ରକ୍ଷା ପାଇବା ପାଇଁ ସମସ୍ତେ ଈଶ୍ୱରଙ୍କ ଅନୁଗାମୀ ହୋଇ ସମର୍ପିତ ସେବା କରିବାକୁ ସ୍ୱାମିଜୀ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହନୁମତ ମହୋତ୍ସବ ଅଧ୍ୟକ୍ଷ ଗଜପତି ଶ୍ରୀଦିବ୍ୟସିଂହ ଦେବ, ଉପାଧ୍ୟକ୍ଷ ଡକ୍ଟର କିଶନଲାଲ୍‌ ଭରତିଆ, ପୂର୍ଣ୍ଣଚନ୍ଦ୍ର ଦ୍ୱିବେଦୀ, ସ୍ୱାମୀ ସର୍ବପ୍ରିୟା ନନ୍ଦ, ଅଜିତ ସିଂହ, ନୃସିଂହ ଚରଣ ଶତପଥୀ, ହରିହର ସ୍ୱାଇଁ, ଶୈଳେନ୍ଦ୍ର କୁମାର ଦାସ, କାଶୀନାଥ ରଥ, ଡକ୍ଟର ବିଶ୍ୱରୂପ ସିଂହ, ସଂଗ୍ରାମ କେଶରୀ କରଣ, ପ୍ରଧାନ ଶିକ୍ଷକ ଅକ୍ଷୟ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମଧ୍ୟାହ୍ନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀଙ୍କ ପାଇଁ ‘ସେବା ଓ ସଫଳତା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ପଣ୍ଡିତ ନିରଂଜନ ରଥ ଛାତ୍ରଛାତ୍ରୀମାନଙ୍କୁ କାମନା ନରଖି ସେବା କଲେ ସଫଳତା ଆପେଆପେ ମିଳେ ବୋଲି ପରାମର୍ଶ ଦେଇଥିଲେ। ପୂର୍ବାହ୍ନରେ ୧୦୮ ହନୁମାନ ଚାଳିଶା ସହିତ ଗୀତାର ଭକ୍ତି ଯୋଗ ଉପରେ ପ୍ରବଚନ ହୋଇଥିଲା। ଚିନ୍ମୟ ମିସନ୍‌ ଓଡ଼ିଶା ମୁଖ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ ଭକ୍ତିଯୋଗ ଉପରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର