‘ଏବଂ ଆମେ’ର ନାଟ୍ୟ ମହୋତ୍ସବ ଉଦ୍‌ଯାପିତ : ‘ପୁଣି ସେଇ ଆଷାଢ଼’ରେ ପ୍ରେମ-ବିଚ୍ଛେଦର କାହାଣୀ

ନାଟ୍ୟପ୍ରେମୀ ଚାହୁଁଥିବା ଢଙ୍ଗରେ ନାଟକ ପରିବେଷିତ ହେଉ: ସୌମ୍ୟରଞ୍ଜନ

ଭୁବନେଶ୍ୱର : ମଣିଷ ହୃଦୟର ପ୍ରଥମ ଭାବନା ହେଉଛି ପ୍ରେମ। ପ୍ରେମରେ ଥିବା ବେଳେ ମଣିଷ ଆଉ କିଛି ଦେଖି ପାରେନା। ସମାଜ ଓ ସାମାଜିକ ପ୍ରଥାର ବହୁ ଊର୍ଧ୍ୱରେ କାଳିଦାସ ଓ ମଲ୍ଲିକାଙ୍କ ଏଭଳି ଏକ ପ୍ରେମ କାହାଣୀ। ଏଭଳି ଏକ ପ୍ରେମ କାହାଣୀକୁ ନେଇ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ପୁଣି ସେଇ ଆଷାଢ଼’। ‘ଅର୍ପଣ’ ନାଟ୍ୟସଂସ୍ଥା ପକ୍ଷରୁ ଏହା ପରିବେଷିତ ହୋଇଥିଲା। ନାଟକରେ କାଳିଦାସ ଓ ମଲ୍ଲିକାଙ୍କ ପ୍ରେମ କାହାଣୀଠାରୁ ଆରମ୍ଭ କରି ସେମାନଙ୍କ ବିଚ୍ଛେଦର ଗାଥା ବର୍ଣ୍ଣନା କରାଯାଇଥିଲା ଏହି ନାଟକରେ। ନାଟକର ମୂଳ ରଚନା କରିଥିଲେ ମୋହନ ରାକେଶ ଓ ଅନୁବାଦ କରିଥିଲେ ରମାକାନ୍ତ ମିଶ୍ର। ଗୋବିନ୍ଦ ଜେନାଙ୍କ ନିର୍ଦ୍ଦେଶିତ ଏହି ନାଟକର ସହ ନିର୍ଦ୍ଦେଶକ ଥିଲେ ଅରୁବାବା ମହନ୍ତ ଓ ସତ୍ୟମ ଯୋଶେଫ।

‘ଏବଂ ଆମେ’ ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବର ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ, ଦର୍ଶକମାନଙ୍କ ବିନା ନାଟକ ମୂଲ୍ୟହୀନ। ବର୍ତ୍ତମାନ ଭୁବନେଶ୍ୱରରେ ନାଟକ ଦେଖିବା ପାଇଁ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗୁଛି। କିନ୍ତୁ ପେସାଦାର ନାଟକ ପ୍ରତି ଆଗ୍ରହ ସାଧାରଣରେ କମିବାରେ ଲାଗିଲାଣି। ନାଟକରେ ରୁଚି ରଖୁଥିବା ବ୍ୟକ୍ତି ଓ ଏହାକୁ ବ୍ୟବସାୟରେ ପରିଣତ କରିବା ପାଇଁ ଉଦ୍ୟମ କରୁଥିବା ବ୍ୟକ୍ତିମାନେ ଲୋକଙ୍କ ରୁଚିକୁ ଦୃଷ୍ଟିରେ ନ ରଖି ନାଟକ ତିଆରି କରୁଛନ୍ତି। ନାଟକ ପାଇଁ ଗ୍ରାହକଙ୍କ ଅଭାବ ନାହିଁ, କିନ୍ତୁ ନାଟ୍ୟ ପ୍ରେମୀ ଚାହୁଁଥିବା ଢଙ୍ଗରେ ନାଟକ ସବୁବେଳେ ପ୍ରଦର୍ଶିତ ହେଉ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ‘ଏବଂ ଆମେ’ର ସଭାପତି ସଚ୍ଚି ଦାସ ଓ ସାଧାରଣ ସମ୍ପାଦକ ଶୁଭକାନ୍ତ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର