ମହାସୁଲ ଜୁଲମ ନେଇ ଚିନ୍ତାରେ ପ୍ରଶାସନ

ପୁରୁଣା ଭୁବନେଶ୍ୱର: ଶ୍ରୀମନ୍ଦିର ଆଖପାଖରେ ଆଦାୟ ହେଉଥିବା ମହାସୁଲ ଏବେ ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି। ଏହି ମହାସୁଲ ନାମରେ କେଉଁଠି ନକଲି ରସିଦ୍‌ରେ ଟଙ୍କା ଆଦାୟ ହେଲାଣି ତ ଆଉ କେଉଁଠି ନିୟମ ବିରୋଧରେ ଆଦାୟ କରାଯାଉଛି। ଏନେଇ ପ୍ରତିଦିନ ମନ୍ଦିର ପ୍ରଶାସନ ନିକଟକୁ ଅଭିଯୋଗ ଆସୁଛି। ଏପରିକି ସ୍କୁଲକୁ ଆସୁଥିବା ଅଭିଭାବକ ୫ମିନିଟ୍‌ରୁ ଅଧିକ ସମୟ ଗାଡ଼ି ରଖିଲେ ସେମାନଙ୍କଠାରୁ ମହାସୁଲ ଆଦାୟ କରାଯାଉଛି। ତେଣୁ ମହାସୁଲ ବ୍ୟବସ୍ଥାକୁ କିପରି ଠିକ୍‌ ଭାବେ ପରିଚାଳନା କରିବ, ସେ ନେଇ ପ୍ରଶାସନ ହରଡ଼ଘଣାରେ ପଡ଼ିଛି।

ସରକାରଙ୍କ ପକ୍ଷରୁ ଟଙ୍କାଟିଏ ବି ମନ୍ଦିରକୁ ମିଳୁ ନଥିବାରୁ ମନ୍ଦିର ପ୍ରଶାସନ ମହାସୁଲ ଆଦାୟ କରି ଗୁଜୁରାଣ ମେଣ୍ଟାଉଛି। ଏହି ମହାସୁଲ ମଧ୍ୟରେ ରହିଛି ଦାଣ୍ଡ ମହାସୁଲ, ହାଟ ମହାସୁଲ, ହାଟ ସାଇକେଲ ଷ୍ଟାଣ୍ଡ୍‌ ମହାସୁଲ, ଦାଣ୍ଡ ମଟର ସାଇକେଲ୍‌ ଓ ସାଇକେଲ୍‌ ମହାସୁଲ, ଚାରିଚକିଆ ତିନିଚକିଆ ମହାସୁଲ, ମନ୍ଦିର ଭିତର କଦଳୀପତ୍ର ବିକ୍ରି, ଚପଲ ଷ୍ଟାଣ୍ଡ। ଏଥିରୁ ବର୍ଷକୁ ପ୍ରାୟ ୭୦ ଲକ୍ଷ ୯୩ ହଜାର ଟଙ୍କା ମନ୍ଦିର ପ୍ରଶାସନକୁ ମିଳିଥାଏ। ଗତ ମାସରେ ଦାଣ୍ଡ ମହାସୁଲ ଜୁଲମ ବୃଦ୍ଧି ପାଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ନିଲାମଧାରୀଙ୍କ ଦ୍ଵାରା ଆଦାୟ ଏହି ମହାସୁଲ ନିୟମଠାରୁ ୩ଗୁଣା ଆଦାୟ କରାଯାଉଛି ବୋଲି ଅଭିଯୋଗ ହୋଇଥିଲା। ସେହିପରି ଗତ ସପ୍ତାହରେ ଲିଙ୍ଗରାଜ ହାଟ ମହାସୁଲ ଆଦାୟ ନେଇ ବ୍ୟବସାୟୀମାନେ ମନ୍ଦିର ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ସେହିପରି ପାର୍କିଂ ସ୍ଥାନରେ ବ୍ୟବସାୟ କରୁଥିବା ଲୋକଙ୍କଠୁ ଗାଡ଼ି ରଖିବା ଟିକଟରେ ମହାସୁଲ ଆଦାୟ କରାଯାଇଛି ବୋଲି ବ୍ୟବସାୟୀମାନେ କହିଛନ୍ତି। ସ୍ଥାନୀୟ କେଦାରଗୌରୀ ମନ୍ଦିର ନିକଟରେ ଥିବା ସ୍କୁଲକୁ ଯାଇଥିବା ଅଭିଭାବକମାନଙ୍କଠୁ ପାର୍କିଂ ଫି’ ଆଦାୟ କରାଯାଉଛି ବୋଲି ଅଭିଯୋଗ ହେଉଛି। ଏହାକୁ ନେଇ ମନ୍ଦିର ପ୍ରଶାସନ ଚିନ୍ତାରେ ପଡ଼ିଛି। ଏହି ମହାସୁଲ ଆଦାୟ କ୍ଷେତ୍ରରେ କିପରି ସଂସ୍କାର ଅଣାଯିବ, ସେ ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା କହିଛନ୍ତି।

ସରକାର ମନ୍ଦିରକୁ ଅନୁଦାନ ଦିଅନ୍ତୁ : ବିଜେପି
ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ପରି ଶ୍ରୀଲିଙ୍ଗରାଜ ମନ୍ଦିରକୁ ଅନୁଦାନ ଦିଅନ୍ତୁ ବୋଲି ବିଜେପି ନେତା ଅମିୟ ଦାଶ ଦାବି କରିଛନ୍ତି। ସେ କହିଛନ୍ତି ଯେ ସରକାର ଅନୁଦାନ ଦେବା ସହ ବିଭିନ୍ନ ଜମିର ପୁନରୁଦ୍ଧାର କଲେ, ଠାକୁରଙ୍କ କୋଟି କୋଟି ଟଙ୍କା ଆୟ ବଢ଼ିବ। ଫଳରେ ମହାସୁଲ ଜୁଲମ ବନ୍ଦ ହେବ। ପର୍ଯ୍ୟଟକଙ୍କ ସୁବିଧା କରାଯାଉଥିବା କହୁଥିବା ସରକାର ମନ୍ଦିରକୁ ଅନୁଦାନ ନଦେଇ ପରୋକ୍ଷରେ ମହାସୁଲ ଜୁଲମକୁ ପ୍ରତ୍ସାହନ କରୁଛନ୍ତି ବୋଲି ଶ୍ରୀ ଦାଶ କହିଛନ୍ତି। ସରକାର ତୁରନ୍ତ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଅନୁଦାନ ଦେଇ ମହାସୁଲ ବ୍ୟବସ୍ଥା ବନ୍ଦ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର