ଅକ୍ଟୋବର ମାସରେ ହେବ ଛାତ୍ର ସଂସଦ ନିର୍ବାଚନ। ହେଲେ ଏବେଠାରୁ ନିର୍ବାଚନ ପାଇଁ ପାଗ ଭିଡ଼ିଲେଣି ଛାତ୍ର ସଙ୍ଗଠନ। କ୍ୟାମ୍ପସ୍ ରାଜନୀତି ସରଗରମ ହୋଇଥିବା ବେଳେ ‘ସମ୍ବାଦ’ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି ସ୍ୱତନ୍ତ୍ର ସ୍ତମ୍ଭ ‘ମୋ ସମୟର ଛାତ୍ର ସଂସଦ ନିର୍ବାଚନ’। ଏହି ସ୍ତମ୍ଭରେ ରାଜ୍ୟର ବିଭିନ୍ନ ପଦପଦବିରେ ରହିଥିବା ବ୍ୟକ୍ତିବିଶେଷଙ୍କ ସମୟର ଛାତ୍ର ସଂସଦ ନିର୍ବାଚନର ଅନୁଭୂତି ସାଉଁଟିବାକୁ ଉଦ୍ୟମ କରିଛୁ।
Sambad is now on WhatsApp
Join and get latest news updates delivered to you via WhatsApp
ପୁରୀ ଏସ୍ସିଏସ୍ କଲେଜ ଛାତ୍ର ସଂସଦର ସହ ସମ୍ପାଦକ, ଉପସଭାପତି ରହିବା ପରେ ୧୯୬୭ରେ ସେହି କଲେଜର ସଭାପତି ହୋଇଥିଲେ ଅଧ୍ୟାପକ ବିଶ୍ୱରଞ୍ଜନ। ତାଙ୍କ ସମୟର ନିର୍ବାଚନ ସଂପର୍କରେ ସେ କୁହନ୍ତି, ସେତେବେଳେ କୌଣସି ବି ରାଜନୈତିକ ଦଳ ପ୍ରତ୍ୟକ୍ଷ ଭାବେ ନିର୍ବାଚନରେ ସାମିଲ ହେଉ ନ ଥିଲେ। ସେତେବେଳେ ଛାତ୍ର ୟୁନିଅନ୍ ଓ ଛାତ୍ର ସଂଘ ପ୍ରାର୍ଥୀଙ୍କ ମଧ୍ୟରେ କେବଳ ପ୍ରତିଦ୍ୱନ୍ଦ୍ୱିତା ହେଉଥିଲା। ନିର୍ବାଚନ ସମୟରେ କୌଣସି ଉପହାର ପ୍ରଦାନ, ଖାଦ୍ୟ ବଣ୍ଟନ ହେଉ ନ ଥିଲା। ଘରକୁ ଘର ବୁଲି ଓ ହଷ୍ଟେଲକୁ ଯାଇ ପିଲାଙ୍କୁ ଭେଟିଥିଲି। ଟଙ୍କାଟିଏ ବି ଖର୍ଚ୍ଚ କରି ନ ଥିଲି। ପୋଷ୍ଟର୍ ଛପାଯାଇ ନ ଥିଲା। କେବଳ ଛାତ୍ର ୟୁନିୟନ୍ ପକ୍ଷରୁ ଏକ ଲିଫ୍ଲେଟ୍ ଛପାଯାଇ ସେଥିରେ ‘ବିଶ୍ୱରଞ୍ଜନକୁ ଆମେ କାହିଁକି ପ୍ରାର୍ଥୀ କଲୁ’ ବୋଲି ଉଲ୍ଲେଖ ଥିଲା। ଏହାକୁ ଛାପିବା ଲାଗି ୧୦୦ରୁ ୨୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ଲିଫ୍ଲେଟ୍ ଏବେ ବି ମୋ ପାଖରେ ରହିଛି। ସାର୍ କ୍ଲାସ ନେବା ପୂର୍ବରୁ କ୍ଲାସ ରୁମ୍କୁ ଯାଇ ନିଜ ସପକ୍ଷରେ କହିବା ପାଇଁ ଏକପ୍ରକାର ପ୍ରତିଯୋଗିତା ଚାଲୁଥିଲା। ନିର୍ବାଚନ ପୂର୍ବଦିନ ଅନୁଷ୍ଠିତ ‘ମୁଁ କାହିଁକି ପ୍ରାର୍ଥୀ ହେଲି’ ବୈଠକ ପ୍ରାର୍ଥୀଙ୍କ ଲାଗି ନିର୍ଣ୍ଣାୟକ ଥିଲା। ଅତ୍ୟନ୍ତ ଶୃଙ୍ଖଳାର ସହ ନିର୍ବାଚନ ହେଉଥିଲା। ନିର୍ବାଚନ ସରିବା ପରେ ଆମେ ଉଭୟ ପ୍ରତିଦ୍ୱନ୍ଦ୍ୱୀ ପରସ୍ପରର ବନ୍ଧୁ ହେଉଥିଲୁ। ସଭାପତି ପଦ ପାଇଁ ଲଢ଼େଇ କରିବା ସମୟରେ ମୋ ଅନର୍ସ ବିଭାଗର ଜଣେ ଛାତ୍ର ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଜିତିବା ପରେ ଉଭୟ ମିଶି ଫଟୋ ଉଠାଇଥିଲୁ। ପରବର୍ତୀ ସମୟରେ ଆମର ବନ୍ଧୁତା ସୁଦୃଢ଼ ହୋଇଥିଲା। ବର୍ତମାନ ସମୟରେ ତାହାର ବିପରୀତ ଦେଖିବାକୁ ମିଳୁଛି। ଯାହାକି ଅତ୍ୟନ୍ତ ଦୁଃଖଦ। ଛାତ୍ର ବିଜେଡି, ଛାତ୍ର କଂଗ୍ରେସ, ଏବିଭିପି ପରି ସଙ୍ଗଠନ ମାଧ୍ୟମରେ ରାଜନୈତିକ ଦଳଙ୍କ ସମ୍ପୃକ୍ତି ରହୁଥିବାରୁ କ୍ୟାମ୍ପସରେ ବିଶୃଙ୍ଖଳା ଦେଖିବାକୁ ମିଳୁଛି।