ବଢ଼ିବ ପିସିଆର୍‌ ସଂଖ୍ୟା, ନିଯୁକ୍ତ ହେବେ କଣ୍ଟ୍ରୋଲ ରୁମ୍‌ ଡିସିପି

କମିସନରେଟ୍‌ ପୁଲିସର ନୂଆ ଯୋଜନା

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀ ପରିସୀମା ପରିବ୍ୟାପ୍ତ ହେବା ସହିତ ଜନସଂଖ୍ୟା ମଧ୍ୟ ହୁହୁ ହୋଇ ବଢ଼ି ଚାଲିଛି। ଏହାକୁ ଦେଖିଲେ ସହରରେ ପାଟ୍ରୋଲିଂ ପାଇଁ ଥିବା ପିସିଆର ଭ୍ୟାନ୍‌ର ଅଭାବ ପରିଲକ୍ଷିତ ହେଉଛି। ଅଧିକାଂଶ ପିସିଆର୍‌ ଭ୍ୟାନ ଅତ୍ୟନ୍ତ ରୁଗ୍‌ଣ ଅବସ୍ଥାରେ ଅଛି। କର୍ମଚାରୀଙ୍କ ଅଭାବ ମଧ୍ୟ ପରିଲକ୍ଷିତ ହେଉଛି। ଏଭଳି ପରିସ୍ଥିତିରେ ପିସିଆର ଓ ମଡର୍ନ କଣ୍ଟ୍ରୋଲ ବ୍ୟବସ୍ଥାକୁ ସୁଦୁଢ଼ କରିବାକୁ ଯୋଜନା ହୋଇଛି। ଯୋଜନା ମୁତାବକ, ସହରରେ ପିସିଆର ସଂଖ୍ୟା ଓ କର୍ମଚାରୀ ବୃଦ୍ଧି କରାଯିବା ସହିତ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଅତ୍ୟାଧୁନିକ କରାଯିବ। ଏନେଇ ଏକ ଯୋଜନା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି କମିସନରେଟ ପୁଲିସ। ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କ ସୂଚନା ମୁତାବକ, ବର୍ତମାନ ରାଜଧାନୀରେ ୩୩ଟି ପିସିଆର୍‌ ଭ୍ୟାନ୍‌ ପାଟ୍ରୋଲିଂ କରୁଛି। ଥାନା ସଂଖ୍ୟା ୧୯। ରାଜଧାନୀରେ ଉପକଣ୍ଠରେ ପିସିଆର୍‌ ଭ୍ୟାନ୍‌ ଅବସ୍ଥା ମଧ୍ୟ ତଦ୍ରୁପ। ୩୩ଟି ପିସିଆର୍‌ ମଧ୍ୟରୁ ଏକାଧିକ ପିସିଆର୍‌ ଭ୍ୟାନ୍‌ର ଅବସ୍ଥା ଖରାପ। ଏଭଳି ପରିସ୍ଥିତିରେ କେବଳ ଭୁବନେଶ୍ୱରେ ୬୦ଟି ପିସିଆର ଭ୍ୟାନ୍‌ର ଆବଶ୍ୟକତା ହେଉଛି। ତେଣୁ ୬୦ଟି ପିସିଆର୍‌ ଭ୍ୟାନ୍‌ ମଞ୍ଜର କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସେହିପରି ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଦୈନିକ ୪ ହଜାର ଫୋନ୍‌ କଲ୍‌ ଆସୁଛି। ଖବର ପାଇ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳକୁ ଯାଉଛି। ପିସିଆର୍‌ ଭ୍ୟାନ୍‌ ଖରାପ ହେବା ଏବଂ କର୍ମଚାରୀ ଅଭାବ ଯୋଗୁ ଏଥିରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ପୁଲିସ କଣ୍ଟ୍ରୋଲ ରୁମ୍‌ରେ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ହୋଇଛି। ସେହିପରି ପିସିଆର ଭ୍ୟାନ୍‌ କର୍ମଚାରୀ ମଧ୍ୟ ବୃଦ୍ଧି କରାଯିବ। ଅଧିକ ସଂଖ୍ୟକ ହୋମଗାର୍ଡ ନିଯୁକ୍ତି ପାଇବେ। ବଡ଼ କଥା ହେଉଛି ପିସିଆର୍‌ ଭ୍ୟାନ୍‌ ଓ ପୁଲିସ କଣ୍ଟ୍ରୋଲରୁମ୍‌କୁ ଏକ ସ୍ୱତନ୍ତ୍ର ଜିଲ୍ଲା ପୁଲିସ ଭଳି ମାନ୍ୟତା ଦିଆଯିବ। ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଦାୟିତ୍ୱରେ ଜଣେ ଡିସିପି ର‍୍ୟାଙ୍କର ଅଧିକାରୀ ରହିବେ। ତାଙ୍କ ଅଧୀନରେ ୩ ଜଣ ଇନ୍ସପେକ୍ଟର, ୧୫ ଜଣ ଏସ୍‌ଆଇ ଓ ଏଏସ୍‌ଆଇ ରହିବେ। ଦାୟିତ୍ୱରେ ରହିବାକୁ ଥିବା ଡିସିପି ସମସ୍ତ ଘଟଣାର ପ୍ରତ୍ୟେକ୍ଷ ଅନୁଧ୍ୟାନ କରିବେ ବୋଲି ପୁଲିସ କମିସନର୍‌ ଖୁରାନିଆ କହିଛନ୍ତି।

ସମ୍ବନ୍ଧିତ ଖବର