୫ ମହାନଗର ନିଗମ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଦାବି : ୨୦ରେ ରାଜ୍ୟସ୍ତରୀୟ କନ୍ଭେନସନ୍
ଭୁବନେଶ୍ୱର : ରାଜ୍ୟର ୫ ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ କରିବା ଦାବି ନେଇ ଆସନ୍ତା ୨୦ତାରିଖରେ ଜୟଦେବ ଭବନରେ ଏକ ରାଜ୍ୟସ୍ତରୀୟ କନଭେନସନ୍ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ବସିବାସିନ୍ଦାଙ୍କ ନେତୃବୃନ୍ଦ, ସ୍ୱେଚ୍ଛାସେବୀ ସଂଗଠନ, ମାନବାଧିକାର କର୍ମୀ ଓ ସରକାରୀ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଓଡ଼ିଶା ବସ୍ତି ସଂଘର୍ଷ ସମିତି ପକ୍ଷରୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସମିତି ପକ୍ଷରୁ ଗୋଦାବରୀଶ ସାହିତ୍ୟ ସଂସଦ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପଦେଷ୍ଟା ପ୍ରଦୀପ ପ୍ରଧାନ କହିଲେ, ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମହାନଗର ନିଗମର ବସ୍ତିବାସିନ୍ଦା ଜମି ପଟ୍ଟା ପାଇଁ ଆନ୍ଦୋଳନ କରି ଆସୁଛନ୍ତି। ମାତ୍ର ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କ ସେମାନଙ୍କ ଦାବିକୁ ନ ଶୁଣି ଓଡ଼ିଶା ବସ୍ତିବାସିନ୍ଦା ଜମି ଅଧିକାର ଆଇନ, ୨୦୧୭ ପ୍ରଣୟନ କରି ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ କରିବାକୁ ଆରମ୍ଭ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ମହାନଗରରେ ରହୁଥିବା ବସ୍ତିବାସିନ୍ଦା ବିରୋଧ କରିବା ଆରମ୍ଭ କରିଛନ୍ତି।
ଭୁବନେଶ୍ୱରରେ ପଞ୍ଜୀକୃତ ଓ ଅଣପଞ୍ଜୀକୃତ ୫ଶହ ବସ୍ତି ରହିଥିବା ବେଳେ କଟକରେ ୨୧୩, ସମ୍ବଲପୁରରେ ୧୪୩, ରାଉରକେଲାରେ ୧୧୪ ଓ ବ୍ରହ୍ମପୁରରେ ୧୬୩ ବସ୍ତି ରହିଛି। ଏହି ବସ୍ତିଗୁଡ଼ିକ ମହାନଗର ଅଞ୍ଚଳରୁ ୪/୫ପ୍ରତିଶତ ସ୍ଥାନ ଦଖଲ କରିଛନ୍ତି। ଏଥିରେ ଦିନ ମଜୁରିଆ, ବାସହରା, ଭିନ୍ନକ୍ଷମ, କିନ୍ନର ଶ୍ରେଣୀର ଲୋକ ରହୁଛନ୍ତି। ସୂଚନା ଅଧିକାର ଆଇନରେ ଭୁବନେଶ୍ୱରରେ ୧୨ଶହ ଏକର ଜମି ଜବରଦଖଲରେ ରହିଛି। ଜବରଦଖଲ ଜମିକୁ ସରକାରୀ ଅଧୀନକୁ ଆଣି ବସ୍ତିବାସିନ୍ଦାଙ୍କୁ ପ୍ରଦାନ କରାଗଲେ ତହିଁରୁ ମଧ୍ୟ ଅନେକ ଜମି ବଳିବ ବୋଲି ସମିତି ପକ୍ଷରୁ କୁହାଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ସମିତିର ସଭାପତି ପ୍ରତାପ ସାହୁ, ଭୁବନେଶ୍ୱର ବସ୍ତି ଉନ୍ନୟନ ପରିଷଦର ସଭାନେତ୍ରୀ ରଂଜୁଲତା ମହାପାତ୍ର, ସୁଧୀର ମହାନ୍ତି, ଚିତ୍ତ ସେନାପତି, ପଞ୍ଚାନନ ନାୟକ, ପ୍ରଫୁଲ୍ଲ କୁମାର ପରିଡ଼ା, ଜଗନ୍ନାଥ ମହନ୍ତ, ଏ.ଶୈଳଜା, ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।