ଭଙ୍ଗାଗଲା ଡ୍ରଗ୍ସ ମାଫିଆ ‘ଛୋଟା’ର

ବେଆଇନ କୋଠା

ଖୋର୍ଦ୍ଧା: ଖୋର୍ଦ୍ଧାର ଡ୍ରଗ୍‌ସ ମାଫିଆ ଶୁଭ୍ରାଂଶୁ ପରିଡ଼ା ଓରଫ ଛୋଟା କୋର୍ଟରେ ଆତ୍ମସମର୍ପଣ କରିବାର ପ୍ରାୟ ୧ ସପ୍ତାହ ବିତିଯାଇଛି। ଛୋଟାର ଡ୍ରଗ୍‌ସ ସାମ୍ରାଜ୍ୟର ଗୁମର ଖୋଲିବା ପରେ ପ୍ରଶାସନ ଓ ପୁଲିସ୍‌ ପକ୍ଷରୁ ଦୋଷ ଛଡ଼ାଇବା ପାଇଁ ତାଳିପକା ଉଦ୍ୟମ ଆରମ୍ଭ ହୋଇଯାଇଛି। ଜାନୁଆରୀ ମାସରେ ଛୋଟାକୁ ବେଆଇନ କୋଠା ହଟାଇବାକୁ ନୋଟିସ୍‌ ଦିଆଯାଇଥଲା। କିନ୍ତୁ ଦୀର୍ଘ ୭ ମାସ ପରେ ଛୋଟା ଧରାପଡ଼ିବା ପରେ ଆଜି କୋଠା ଭାଙ୍ଗିବାକୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପଦକ୍ଷେପ ନେଇଛି। କିନ୍ତୁ କୋଠା ସମ୍ପୂର୍ଣ୍ଣ ଭାଙ୍ଗିବା ପରିବର୍ତ୍ତେ ଧର୍ମକୁ ଆଖିଠାର ଭଳି କୋଠାର କିଛି ଅଂଶ ଭାଙ୍ଗି ପୁଲିସ୍‌ ଓ ପ୍ରଶାସନ ଫେରିଆସିଛି।

ଆଜି ସକାଳେ ଉପଜିଲ୍ଲାପାଳ ଦାୟିତ୍ବରେ ଥିବା ତହସିଲଦାର ଶୁଭେନ୍ଦୁ କୁମାର ସାମଲଙ୍କ ନେତୃତ୍ବରେ ପୁଲିସ୍‌ ଫୋର୍ସ ଜେସିବି ନେଇ ଗୁରୁଜଙ୍ଗରେ ଥିବା ଛୋଟାର ବେଆଇନ କୋଠାଘର ଭାଙ୍ଗିବାକୁ ଯାଇଥିଲେ। ଭାଙ୍ଗିବା ପୂର୍ବରୁ ସେଠାରେ ଛୋଟାର ଗ୍ୟାଙ୍ଗ୍‌ର କିଛି ସଦସ୍ୟ ପ୍ରତିବାଦ କରିଥିଲେ ମଧ୍ୟ ପୁଲିସ୍‌ ସେମାନଙ୍କୁ ହଟାଇ ଦେଇଥିଲା। ତହସିଲଦାର ଶ୍ରୀ ସାମଲ କହିଛନ୍ତି ଯେ ଗୁରୁଜଙ୍ଗର ଖାତା ନମ୍ବର ୬୭୪ (ରକ୍ଷିତ), ପ୍ଲଟ ନମ୍ବର ୮୯୮ରେ ଥିବା .୪୦୦ ଡେସିମଲ ଜମିରେ ଶୁଭ୍ରାଂଶୁର ଭାଇ ଶୁଭେନ୍ଦୁ ଏକ ଘର ନିର୍ମାଣ କରିଥିଲେ। ଏନେଇ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଜବରଦଖଲ ହଟାଅ ନୋଟିସ୍‌ ଜାରି କରାଯାଇଥିଲା। ଏହାପରେ ପୁଣି ଜୁନ୍ ୨୬ ତାରିଖରେ କୋର୍ଟରେ ହାଜର ହୋଇ ଜବାବ ଦାଖଲ କରିବାକୁ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହାର କୌଣସି ପ୍ରତ୍ୟୁତ୍ତର ମିଳିନଥିଲା। ଫଳରେ ପୁଣି ଚଳିତ ମାସ ୫ ତାରିଖରେ ଜାଗା ଛାଡ଼ି ଯିବାକୁ ନୋଟିସ୍‌ ଜାରି କରାଯାଇଥିଲା। ଆଜି ସେହି ବେଆଇନ ଘରକୁ ଭଙ୍ଗାଯିବାକୁ ପଦକ୍ଷେପ ନିଆଯାଇଛି। ତେବେ ପ୍ରଶ୍ନ ଉଠୁଛି ଏତେ ବିସ୍ତୃତ ସରକାରୀ ଜାଗାରେ ବିରାଟ କୋଠା ବେଆଇନ ଭାବେ କିଭଳି ନିର୍ମାଣ କରାଗଲା? କେବଳ ଏହାନୁହେଁ କୋଠାକୁ କିଭଳି ବିଦ୍ୟୁତ୍ ଓ ପାଇପ ଜଳ ସଂଯୋଗ ଯୋଗାଇ ଦିଆଗଲା? ତେବେ ରାଜସ୍ବ ବିଭାଗ ପକ୍ଷରୁ କ୍ରାଇବ୍ରାଞ୍ଚ ଏସ୍‌ଟିଏଫ୍‌ ଚଢ଼ାଉ ସହ ଏହି ବେଆଇନ ଉଚ୍ଛେଦର କୌଣସି ସମ୍ପର୍କ ନାହିଁ ବୋଲି ସଫେଇ ଦିଆଯାଇଛି।ମାତ୍ର ଏତେ ଦିନ ଧରି କାହିଁକି କୌଣସି ପଦକ୍ଷେପ ନିଆଯାଇନଥିଲା, ଛୋଟାର ଡ୍ରଗ୍‌ସ ସାମ୍ରାଜ୍ୟର ଖୋଳତାଡ଼ ପରେ ତରବରିଆ ଭାବେ ଉଭୟ ରାଜସ୍ବ ଓ ପୁଲିସ୍‌ ବିଭାଗ କାହିଁକି ତତ୍‌ପର ହୋଇ ଉଠିଲା, ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଯଦିଓ ଖୋର୍ଦ୍ଧାର ଡ୍ରଗ୍ସ କାରବାରର କିଙ୍ଗ୍‌ପିନ୍ ଛୋଟା ବର୍ତ୍ତମାନ କୋର୍ଟ ହାଜତରେ ରହିଛି, କିନ୍ତୁ ତା’ର ବ୍ରାଉନ୍ ସୁଗାର କାରବାର ଗତ ୭ ଦିନରେ ସାମାନ୍ୟ ଧିମେଇ ଯାଇଥିବା ବେଳେ ପୁଣି ସକ୍ରିୟ ହୋଇଉଠିଛି।

ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶାସକ ଦଳର ଜଣେ ପ୍ରଭାବଶାଳୀ ନେତାଙ୍କ ପରୋକ୍ଷ ଇଙ୍ଗତରେ ଜଣେ ପୂର୍ବତନ କାଉନ୍‌ସିଲର ଓ ଛୋଟାଙ୍କ ଜଣେ ସମ୍ପର୍କୀୟ ମହିଳା ଏହି କାରବାରକୁ ଆଗେଇ ନେବାକୁ ଅଣ୍ଟା ଭିଡ଼ିଛନ୍ତି। ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ୍‌ ପକ୍ଷରୁ ଛୋଟା ଗ୍ୟାଙ୍ଗ୍‌ର ୬ଜଣ ସଦସ୍ୟଙ୍କୁ ଥାନାକୁ ଆଣି ପଚରାଉଚୁରା କରାଯାଉଛି। ସେମାନଙ୍କ ଠାରୁ ବିଶେଷ କିଛି ତଥ୍ୟ ମିଳି ନଥିବା ପୁଲିସ୍‌ କହିଥିଲେ ମଧ୍ୟ ଏସ୍‌ଟିଫ୍‌ର ଚଢ଼ଉ ପରେ ପୁଲିସର ଏଭଳି ପଦକ୍ଷେପ ଧର୍ମକୁ ଆଖିଠାର ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର