ବିକ୍ରି ହୋଇଛି ହଷ୍ଟେଲ ରୁମ୍‌

ବାଣୀବିହାର ହଷ୍ଟେଲର ଆଉ ଏକ କେଳେଙ୍କାରୀ, ଦୁଇ ବର୍ଷକୁ ନେଉଛନ୍ତି ୩୦ରୁ ୪୦ ହଜାର

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରାବାସରେ ଚାଲିଥିବା କେଳେଙ୍କାରୀର ଗୁମର ଖୋଲିବାରେ ଲାଗିଛି। ୭ ନମ୍ବର ହଷ୍ଟେଲରେ ପୁଲିସ ଚଢ଼ଉ ବେଳେ ଜୁଆ ଆଡ଼ାର ସନ୍ଧାନ ମିଳିଥିଲା। ମଦ ବୋତଲ, ସିଗାରେଟ୍‌, ଚରସ ଓ ଆପତ୍ତିଜନକ ସାମଗ୍ରୀ ଆଦି ଜବତ କରାଯାଇଥିଲା। ଏହାଦ୍ବାରା ବିଶ୍ବବିଦ୍ୟାଳୟ ବଦନାମ ହେବା ପରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏବେ ଅଧିକ ଖୋଳତାଡ଼ ଆରମ୍ଭ କରିଛନ୍ତି। ବାକି ହଷ୍ଟେଲଗୁଡ଼ିକ ଉପରେ ଚଢ଼ଉ କରିବା ଲାଗି ସଜବାଜ ହେଉଥିବା ବେଳେ ଏବେ ଆଉ ଏକ ତଥ୍ୟ ପଦାକୁ ଆସିଛି। ୧ ଓ ୨ ନମ୍ବର ହଷ୍ଟେଲରେ ରୁମ୍‌ ବିକ୍ରି ହେଉଥିବା ଜଣାପଡ଼ିଛି। କଥାଟା ଅଖାଡ଼ୁଆ ଲାଗୁଥିଲେ ମଧ୍ୟ ବାଣୀବିହାର ହଷ୍ଟେଲରେ ଚାଲିଛି ଏମିତି କେ‌ଳେଙ୍କାରୀ। ଗୋଟିଏ କି ଦୁଇଟି ନୁହେଁ। ଉକ୍ତ ଦୁଇ ହଷ୍ଟେଲରେ ୩୫ରୁ ଅଧିକ ରୁମ୍‌ ବିକ୍ରି ହୋଇଛି। ତାହା ପୁଣି ହଜାରେ କି ଦୁଇ ହଜାର ଟଙ୍କାରେ ନୁହେଁ। ଦୁଇ ବର୍ଷକୁ ୩୦ରୁ ୪୦ ହଜାର ଟଙ୍କାରେ ବିକ୍ରି କରାଯାଇଛି। ଯେଉଁମାନଙ୍କୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ରୁମ୍‌ ଆଲର୍ଟ କରିଥିଲେ ସେମାନେ ଅନ୍ୟ ଛାତ୍ରଙ୍କୁ ବିକି ଦେଇଛନ୍ତି। ଗୁରୁବାର ବସିଥିବା ବିଶ୍ବବିଦ୍ୟାଳୟ ରେସିଡେଣ୍ଟ କମିଟି ବୈଠକ‌ରେ ହଷ୍ଟେଲ ଅଧୀକ୍ଷକମାନେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ଏଭଳି ତଥ୍ୟ ପ୍ରଦାନ କରିଛନ୍ତି। ଯାହାକୁ ନେଇ ବିଶ୍ବବିଦ୍ୟାଳୟ ବରିଷ୍ଠ ଅଧିକାରୀଙ୍କ ନିଦ ହଜି ଯାଇଛି। ଏଭଳି ଭାବେ ‌ହଷ୍ଟେଲ ରୁମ୍‌ ବିକ୍ରି ହେଉଥିବା ନେଇ ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କିଭଳି ଓ କେଉଁ ଆଧାରରେ ସମ୍ପୃକ୍ତ ଛାତ୍ରମାନଙ୍କୁ ହଷ୍ଟେଲ ରୁମ୍‌ରୁ କଢ଼ାଯିବ ତାହାକୁ ନେଇ ଗୁରୁତ୍ବାରୋପ କରାଯାଇଛି। ଜଣେ ହଷ୍ଟେଲ ଅଧୀକ୍ଷକ କହିଛନ୍ତି ଯେ ଗତ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ନୋଟିସ୍‌ ଆଧାରରେ ଆମେ ପ୍ରାଥମିକ ଯାଞ୍ଚ କରିଥିଲୁ। ଉକ୍ତ ଦୁଇଟି ହଷ୍ଟେଲରେ ମାତ୍ର ୭ରୁ ୯ ଜଣ ଅଣଛାତ୍ର ରହୁଥିବା ଦେଖିବାକୁ ମିଳିଥିଲା‌। ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ ୫ରୁ ୬ଟି ରୁମ୍‌କୁ ଛାଡ଼ି ସମସ୍ତ ରୁମ୍‌ରେ ଛାତ୍ରମାନେ ରହୁଛନ୍ତି। କିନ୍ତୁ ନାମଲେଖା ସମୟରେ ଯେଉଁ ଛାତ୍ରମାନଙ୍କୁ ରୁମ୍‌ ଆଲର୍ଟ ହୋଇଥିଲା ସେମାନେ ସେଠାରେ ରହୁ ନାହାନ୍ତି। ଯେଉଁମାନଙ୍କୁ କୌଣସି ବି ହଷ୍ଟେଲରେ ରୁମ୍‌ ମିଳିନି ସେମାନେ ସେଠାରେ ରହୁଛନ୍ତି। ଗୋଟିଏ କି ଦୁଇଟି ନୁ‌ହେଁ ଏକ ନମ୍ବର ହଷ୍ଟେଲର ପ୍ରାୟ ୧୩ଟି ରୁମ୍‌ରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ୨ ନମ୍ବର ହଷ୍ଟେଲ୍‌ରେ ବି ଅନୁରୂପ ଭାବେ ପ୍ରାୟ ୯ଟି ରୁମ୍‌ରେ ଅନ୍ୟ ଛାତ୍ରମାନେ ରହୁଥିବା ଯାଞ୍ଚ ବେଳେ ପଦାକୁ ଆସିଛି। ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ କେମିତି ହଷ୍ଟେଲରେ ସିଟ୍‌ ମିଳିଲା ବୋଲି ଛାତ୍ରମାନଙ୍କୁ ପଚାରିବାରୁ ସେମାନେ କହିଥିଲେ ଯେ ଆମେ ରୁମ୍‌ କିଣୁଛୁ। ଏଠାରେ ଦୁଇ ବର୍ଷ ରହି ପଢ଼ିବା ପାଇଁ ପ୍ରାୟ ୩୬ ହଜାର ଟଙ୍କା ଦେଇଛୁ। ଯେଉଁମାନଙ୍କୁ ସିଟ୍‌ ମିଳିଥିଲା ସେମାନେ କ୍ୟାମ୍ପସ ବାହାରେ ରହୁଛନ୍ତି। ଆମକୁ ରୁମ୍‌ ବିକି ଦେଇଛନ୍ତି। କୌଣସି ଅନ୍ୟାୟ ଉପାୟରେ ରୁମ୍‌ ପାଇନୁ। କିମ୍ବା ଆମେ ଅଣଛାତ୍ର ନୋହୁଁ। ଆମକୁ ଛାଡ଼ି ଦିଅ ବୋଲି ସେମାନେ ଅନୁରୋଧ କରିଥିଲେ। ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ ହଷ୍ଟେଲ ରୁମ୍‌ ବିକ୍ରି ଏବେକାର ଘଟଣା ନୁହେଁ। ବହୁ ବର୍ଷ ହେଲା ରୁମ୍‌ ବିକ୍ରି ହେଉଛି। ନାମଲେଖା ବେଳେ କେତେଜଣ ଛାତ୍ରନେତା ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଉପରେ ଚାପ ପକାଇ ରୁମ୍‌ ନେଇଯାଉଛନ୍ତି। ପରବର୍ତୀ ସମୟରେ ତାହାକୁ କୌଣସି ଛାତ୍ରଙ୍କୁ ବିକି ଦେଉଛନ୍ତି। ଛାତ୍ରଙ୍କଠାରୁ ମଧ୍ୟ ପ୍ରଚୁର ଅର୍ଥ ନେଉଛନ୍ତି। କ୍ୟାମ୍ପସ ବାହାରେ ରହିବା ପରିବର୍ତେ ହଷ୍ଟେଲ ରହି ପଢ଼ିବା ଲାଗି ଛାତ୍ରମାନଙ୍କୁ ଯେ‌ତେ ଟଙ୍କା ମଗାଯାଉଛି ସେମାନେ ଦେଉଛନ୍ତି। ଚଢ଼ଉ ହେଲେ କିଛି ଲାଭ ହେବନି। ବରଂ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଅଣଛାତ୍ର ତଥା ଛାତ୍ରନେତାଙ୍କ ନିକଟରେ ମୁଣ୍ଡ ନ ନୁଆଁଇବା ଆବଶ୍ୟକ।

ସମ୍ବନ୍ଧିତ ଖବର