ଭାଗୀଦାରିରେ ହେବ ୩ ଇନ୍‌ଡୋର ସ୍ପୋର୍ଟସ କମ୍ପ୍ଲେକ୍ସ

ଭୁବନେଶ୍ୱର: ରାଜଧାନୀବାସୀଙ୍କୁ ଆଉ ଖେଳ ପଡ଼ିଆର ଅଭାବ ରହିବନି। ବର୍ଷା ହେଉ କି ଖରା, ଖେଳରେ ବାଧା ଉପୁଜିବନି। ଏଥିପାଇଁ ବିଡିଏ କ୍ରୀଡ଼ା ବିଭାଗ ସହାୟତାରେ ରାଜଧାନୀରେ ତିନିଟି ଇନଡୋର୍‌ ସ୍ପୋର୍ଟସ କମ୍ପ୍ଲେକ୍ସ ସହ ଖେଳ ପଡ଼ିଆର ଭିତ୍ତିଭୂମି ନିର୍ମାଣ କରିବ। ବିଏମ୍‌ସିର ତିନିଟି ଜୋନ୍‌ରେ ଏହା ନିର୍ମାଣ ହେବ। ଗୋଟିଏ ଭୁବନେଶ୍ୱର ମଧ୍ୟବର୍ତ୍ତୀ ଅଞ୍ଚଳରେ, ଗୋଟିଏ ଚନ୍ଦ୍ରଶେଖରପୁରରେ ଏବଂ ଆଉ ଗୋଟିଏ କଳିଙ୍ଗ ନଗର ନିକଟବର୍ତ୍ତୀ ଅଞ୍ଚଳରେ ହେବ। ଏଥିରେ ଯେତେ ଅର୍ଥ ଖର୍ଚ୍ଚ ହେବ ତା’ର ୫୦% କ୍ରୀଡ଼ା ବିଭାଗ ଦେବ, ଆଉ ୫୦% ଅର୍ଥ ବିଡିଏ ବହନ କରିବ। ବିଡିଏର ଏହି ଯୋଜନାକୁ ଆଜି ଅଥରିଟି ବୈଠକରେ ଅନୁମୋଦନ ମିଳିଛି। ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀବାସୀଙ୍କ ଚାହିଦାକୁ ନଜରରେ ରଖି ଏହି କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିବାକୁ ନିଷ୍ପତ୍ତି ହୋଇଛି। ଭୁବନେଶ୍ୱରକୁ ସ୍ପୋର୍ଟସ କ୍ୟାପିଟାଲ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାରୁ ଏହି ଭିତ୍ତିଭୂମି ଏଥିରେ ସହାୟକ ହେବ। କିନ୍ତୁ ଏହି ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସ କେବଳ ଲୋକଙ୍କ ବ୍ୟବହାର ପାଇଁ ରହିବ। ଏଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ପ୍ରତିଯୋଗିତା ଆୟୋଜନ ହେବନି। ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ବିଡିଏ ଆବଶ୍ୟକୀୟ ଜମି ଯୋଗାଇବାକୁ ଥିବା ବେଳେ କ୍ରୀଡ଼ା ବିଭାଗ ଭିତ୍ତିଭୂମି ନିର୍ମାଣ କରିବ। ଏହି କମ୍ପ୍ଲେକ୍ସରେ ବ୍ୟାୟାମ ପାଇଁ ଜିମ୍‌, ଟେନିସ୍‌ ଓ ବ୍ୟାଡମିଣ୍ଟନ କୋର୍ଟରୁ ଆରମ୍ଭ କରି ବହୁ ଇନଡୋର୍‌ ଖେଳର ଭିତ୍ତିଭୂମି ରହିବ। ଏହାବାଦ୍‌ ଏହି କମ୍ପ୍ଲେକ୍ସ ନିକଟରେ ଏକ ଖେଳ ପଡ଼ିଆ ରହିବ। ଯେଉଁଠାରେ ଆଉଟଡୋର୍‌ ଖେଳ ଖେଳି ହେବ। ଏନେଇ ୬ମାସ ମଧ୍ୟରେ ଜମି ଚିହ୍ନଟ କରାଯିବା ସହ, ଡିପିଆର୍‌ ପ୍ରସ୍ତୁତ ଏବଂ ଟେଣ୍ଡର ପ୍ରକ୍ରିୟା ଶେଷ କରାଯିବ। ଆଉ ବର୍ଷକ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ନିଷ୍ପତ୍ତି ହୋଇଛି।

ଏବେ ରାଜଧାନୀରେ ପାର୍କ ନିର୍ମାଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ବହୁ ଅଞ୍ଚଳରେ ପାର୍କ ନିର୍ମାଣ ହୋଇସାରିଲାଣି। ତେଣୁ ଏବେ ପାର୍କ ପାଇଁ ଥିବା ଜମି, ବିଡିଏ/ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ଜମି ବା ଜବରଦଖଲମୁକ୍ତ ହୋଇଥିବା ଜମିରେ ଏହି ଇନଡୋର୍‌ ଷ୍ଟାଡିୟମ ଏବଂ ଖେଳପଡ଼ିଆ ନିର୍ମାଣ କରିବାକୁ ଯୋଜନା ହୋଇଛି। ଏହି ପ୍ରକଳ୍ପକୁ ତ୍ୱରାନ୍ଵିତ କରିବା ପାଇଁ ବିଡିଏରେ ଏକ ସ୍ୱତନ୍ତ୍ର ଶାଖା ଖୋଲିବ। ଏହାବାଦ୍‌ କ୍ରୀଡ଼ା ବିଭାଗ ସହାୟତାରେ ଆଉ ପ୍ରାୟ ୩୦ଟି ସ୍ଥାନରେ ଓପନ୍‌ ଜିମ୍‌ ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି। ଏଥିପାଇଁ କ୍ରୀଡ଼ା ବିଭାଗ ୫୦% ଏବଂ ବିଡିଏ ୫୦% ଅର୍ଥ ଦେବେ ବୋଲି ନିଷ୍ପତ୍ତି ହୋଇଛି। ଏବେ ୨୬ଟି ପାର୍କରେ ଓପନ୍‌ ଜିମ୍‌ ଥିବାବେଳେ ରାଜଧାନୀର ସମସ୍ତ ପାର୍କରେ ଓପନ୍‌ ଜିମ୍‌ କରିବାକୁ ନିଷ୍ପତ୍ତି ହୋଇଛି।

ବିଡିଏ (ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡସ) ରେଗୁଲେସନ୍ସ ୨୦୧୭ ନେଇ ବିଜ୍ଞପ୍ତି ଖୁବ୍‌ଶୀଘ୍ର

ବିଡିଏର (ପ୍ଲାନିଂ ଆଣ୍ଡ ବିଲଡିଂ) ନିୟମ- ୨୦୦୮ (ସଂଶୋଧିତ -୨୦୧୩)ରେ କେତେକ ପରିବର୍ତ୍ତନ ପରେ ଆସିଥିବା ବିଡିଏ (ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡସ) ରେଗୁଲେସନ୍ସ ୨୦୧୭କୁ ଆଜି ଅଥରିଟି ବୈଠକରେ ଅନୁମୋଦନ କରାଯାଇଛି। ଏହାକୁ ନଗର ଉନ୍ନୟନ ବିଭାଗକୁ ପଠାଯିବ। ଏହାପରେ ଏନେଇ ଖୁବ୍‌ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ଏଣିକି ବିଡିଏ (ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡସ) ରେଗୁଲେସନ୍ସ ୨୦୧୭ ଅନୁଯାୟୀ ସମସ୍ତ ପ୍ଲାନ୍‌ ଅନୁମୋଦନ ହେବ। ମେ ୨୩ରେ ଏହି ରେଗୁଲେସନ୍‌ ନେଇ ଗେଜେଟ୍‌ ନୋଟିଫିକେସନ୍‌ ହୋଇଥିବା ବେଳେ ଜୁଲାଇ ୩ରେ ବସିଥିବା ବିଡିଏର ଅଥରିଟି ବୈଠକରେ ଏହାକୁ ଅନୁମୋଦନ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ରେଗୁଲେସନ୍‌ରେ ପରିବର୍ତ୍ତନ ଆଣିବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ କର୍ତ୍ତୃପକ୍ଷ ଏବଂ ବିଏମ୍‌ସି ଅଭିଯୋଗ କରିବା ପରେ ଏଥିରେ ପରିବର୍ତ୍ତନ ଅଣାଯାଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବେନଶ୍ୱର ଟାଉନ୍‌ ଡିଷ୍ଟ୍ରିକ୍ଟ ଅଞ୍ଚଳରେ ଯେକୌଣସି ପ୍ରକଳ୍ପ/ ନିର୍ମାଣ ହେବ, ସେଥିପାଇଁ ବିଡିଏର ଅନୁମତି ଆଣିବାକୁ ପଡ଼ିବନି। ଏଥିପାଇଁ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଅନୁମତି ଦେବେ। ସେହିପରି ଯେଉଁଠି ୧ଏକରରୁ ଅଧିକ ଜମିରେ ଗୃହ ପ୍ରକଳ୍ପ ହେବ ସେଠାରେ ବର୍ଜ୍ୟ ପରିଚାଳନା ପାଇଁ ବ୍ୟବସ୍ଥା ରହିବା ବାଧ୍ୟତାମୂଳକ। କେଉଁଠି ଆବର୍ଜନା ଗଦା ହେବ, କେଉଁଠି ବିଶୋଧନ ହେବ, କମ୍ପୋଷ୍ଟ ହେବ ତା’ର ସବିଶେଷ ବିବରଣୀ ପ୍ଲାନ୍‌ ଅନୁମୋଦନ ସମୟରେ ଯାଞ୍ଚ ହେବ। ଏହାସହ ଏଠାରେ ପବ୍ଲିକ ଟଏଲେଟ୍‌ ସୁବିଧା ଯୋଗାଇବା ବାଧ୍ୟତାମୂଳକ କରାଯାଇଛି। ଆପାର୍ଟମେଣ୍ଟ ନିର୍ମାଣ ପାଇଁ ୩୦ଫୁଟ ରାସ୍ତା ଥିଲେ ଅନୁମତି ମିଳିବ। ୧୮ମିଟର ଉଚ୍ଚତା ପର୍ଯ୍ୟନ୍ତ ବହୁତଳ କୋଠା ନିର୍ମାଣ କରିହେବ। ଏହାବାଦ୍‌ ଇ-ଯାନ ଏବଂ ଭବିଷ୍ୟତରେ ଆସିବାକୁ ଥିବା ପ୍ରକଳ୍ପ ପାଇଁ ଏହି ରେଗୁଲେସନ୍‌ରେ ବ୍ୟବସ୍ଥା ଅଛି।

ବିଡିଏ ଜମି/ଘର ବିକିବା ପାଇଁ ଏସ୍‌ଓପି
ବିଡିଏରୁ ଯେଉଁମାନେ ଘର/ଜମି/ଫ୍ଲାଟ୍‌ କିଣିଛନ୍ତି ସେମାନେ ଏହାକୁ ବିକ୍ରି କରିବାରେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ହେବେନି କି ଯିଏ ଏହାକୁ କିଣିବେ ସେମାନେ ଯେପରି ଭବିଷ୍ୟତରେ ହଇରାଣ ହେବେ ନାହିଁ, ସେଥିପାଇଁ ବିଡିଏ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଅର୍‌ (ଏସ୍‌ଓପି) ପ୍ରସ୍ତୁତ ହୋଇଛି। ବିଡିଏରୁ କିଣିଥିବା ଜମି/ଘର/ଫ୍ଲାଟ୍‌ ବିକିଲେ, କ୍ରେତାଙ୍କୁ ୧୦ଦିନ ଭିତରେ ଲିଜ୍‌ ଡିଡ୍‌ ପ୍ରଦାନ କରାଯିବ। ଏହାସହ ଏକ ମାସ ମଧ୍ୟରେ ସମ୍ପତ୍ତି ସ୍ଥାନାନ୍ତର ଅନୁମିତି ମିଳିବ। ଏହାକୁ ଅଧିକାରୀ ମାନିବାକୁ ବାଧ୍ୟ ହେବେ। ଯଦି କ୍ରେତା ଏସ୍‌ଓପିରେ ଧାର୍ଯ୍ୟ ହୋଇଥିବା ସମୟସୀମା ମଧ୍ୟରେ ଲିଜ୍‌ ଡିଡ୍‌ ଏବଂ ସ୍ଥାନାନ୍ତର ଅନୁମତି ନ ପାଇବେ, ତେବେ ଏନେଇ ସେ ବିଡିଏରେ ଅଭିଯୋଗ କରିପାରିବେ। ଯେଉଁ ଅଧିକାରୀଙ୍କ ଯୋଗୁଁ ବିଳମ୍ବ ହୋଇଥିବ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ଅପରପକ୍ଷେ ଏବେ ବିଡିଏଠାରୁ କିଣିଥିବା ଜମି/ଘର/ଫ୍ଲାଟ୍‌ ବିକ୍ରି ଉପରେ ନିଷେଧାଦେଶ ଲାଗିଥିବା ବେଳେ ନୂଆ ଏସ୍‌ଓପି ଦ୍ୱାରା ଏହା ସହଜ ହୋଇଯିବ। ବିଡିଏରୁ ନେଇଥିବା ଜମିରେ ଘର ପ୍ଲାନ୍‌ ଅନୁଯାୟୀ ନିର୍ମାଣ ହେଉଥାଉ କି ନଥାଉ, ଯେତିକି ପ୍ଲାନ୍‌ ମିଳିଛି ତାହା ଠାରୁ ଅଧିକ ନିର୍ମାଣ କରିଥାନ୍ତୁ କି ଘରର ଆବଶ୍ୟକୀୟ ଭିତ୍ତିଭୂମି ଥାଉ କି ନଥାଉ, ଯେଉଁ ଉଦ୍ଦେଶ୍ୟରେ ଜମି ନେଇଥିଲେ ସେହି ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରିଥାନ୍ତୁ କି ନଥାନ୍ତୁ। ଯାହା ବି ସମସ୍ୟା ଥିବ, ଏଣିକି ବିକ୍ରି କରିବା ସମୟରେ କିଛି ଅସୁବିଧା ହେବନି। କେବଳ ବିଡିଏକୁ ଜମି/ଫ୍ଲାଟ୍‌/ଘର ବିକ୍ରିର ଲାଭାଂଶରୁ ୨୫% ଦେଇଦେଲେ ସବୁ ପ୍ରକାରର ଅନୁମତି ମିଳିଯିବ। ଯେତିକି ଟଙ୍କାରେ ଜଣେ ବିଡିଏରୁ କିଣିଥିବେ ଏବଂ ଯେତିକି ଟଙ୍କାରେ ବିକ୍ରି କରିବେ ସେହି ବ୍ୟବଧାନର ୨୫% କେବଳ ବିଡିଏକୁ ଦେବାକୁ ହେବ।

ସମ୍ବନ୍ଧିତ ଖବର