କ୍ଷୁଦ୍ର ଗଳ୍ପ ସମୟର ଶିଳ୍ପ ରୂପ

‘କଥା’ର ରାଜ୍ୟସ୍ତରୀୟ କଥା କର୍ମଶାଳା

ଭୁବନେଶ୍ୱର: କ୍ଷୁଦ୍ର ଗଳ୍ପ ସମୟର ଶିଳ୍ପ ରୂପ। ସେଇ ସମୟର ଗୁରୁତ୍ୱକୁ ବୁଝ। ଜୀବନ ଓ ଜଗତରେ ଘଟୁଥିବା ପରିବର୍ତନକୁ ଅନୁଶୀଳନ କର। ସେଥିରେ ନିଜର କଳ୍ପନା ଶକ୍ତି ମିଶାଇ ନୂଆ ଗଳ୍ପ ସୃଷ୍ଟି କର। ଯୁବ ଗାଳ୍ପିକମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ। ଗଳ୍ପ ପତ୍ରିକା ‘କଥା’ ପକ୍ଷରୁ ପାନ୍ଥ ନିବାସରେ ଅନୁଷ୍ଠିତ ୨ ଦିନିଆ ରାଜ୍ୟସ୍ତରୀୟ କଥା କର୍ମଶାଳାର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ଯେଉଁ ଗଳ୍ପରେ ଆକସ୍ମିକ ଆରମ୍ଭ, ଉତ୍କଣ୍ଠିତ ମଧ୍ୟ ଭାଗ ଏବଂ ନାଟକୀୟ ପରିସମାପ୍ତି ଥିବ ତାହା ସାର୍ଥକ ଗଳ୍ପ। ଏହା ହିଁ ଗଳ୍ପର ବ୍ୟାକରଣ। ‘ସମ୍ବାଦ’ର ସମ୍ପାଦକ ତଥା ‘କଥା’ର ମୁଖ୍ୟ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଉଦ୍‌୍‌ଘାଟନ କରି କହିଲେ, କ୍ଷୁଦ୍ର ଗଳ୍ପ ଯେତେ ଅଧିକ ଲେଖାଯିବ ତାହା ଭାଷାକୁ ବଞ୍ଚାଇବାରେ ସାହାଯ୍ୟ କରିବ। କାଗଜ କାଳିର ଦୁନିଆ ସରି ଆସୁଥାଇପାରେ, କିନ୍ତୁ ଗଳ୍ପ ରହିବ। ଭଲ ଗଳ୍ପ ଲେଖିବା ପାଇଁ ଏହିଭଳି କର୍ମଶାଳା ସହଯୋଗ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ‘କଥା’ର ସମ୍ପାଦକ ଗୌରହରି ଦାସ ଉଦ୍‌ଘାଟନୀ ସଭାରେ ଅଧ୍ୟକ୍ଷତା କରି କହିଲେ, ସବୁ ମଣିଷ ଗୋଟେ ଗୋଟେ ଗପ। ତେବେ ଗପ ଲେଖିବା ଏତେ ସହଜ ନୁହେଁ କି ବେଶି କଷ୍ଟ ବି ନୁହେଁ। ଗପ ପଢ଼ିବା ଭିତରେ ଲେଖିବାର ପ୍ରେରଣା ଆସେ ବୋଲି ସେ କହିଥିଲେ। କଥା ସାହିତ୍ୟର ଦିଗଦର୍ଶକ ତଥା ସାହିତ୍ୟିକା ଗାୟତ୍ରୀ ସରାଫ, ସାହିତ୍ୟିକ ଅଜୟ ସ୍ୱାଇଁ, ସଦାନନ୍ଦ ତ୍ରିପାଠୀ, ପରେଶ ପଟ୍ଟନାୟକ ଏବଂ ଚିରଶ୍ରୀ ଇନ୍ଦ୍ରସିଂହ ପ୍ରମୁଖ ଅଭିଭାଷଣରେ ମାଟି ମନସ୍କ, ଜୀବନ ମନସ୍କ ଓ ସମାଜ ମନସ୍କ ହେବା ସହ ଭାବର ବଳୟ ଭିତରେ ରହିବାକୁ ଚେଷ୍ଟା କର ବୋଲି କହିଥିଲେ। ‘କଥା’ର ସହ ସମ୍ପାଦକ କ୍ଷେତ୍ରବାସୀ ନାୟକ କାର୍ଯ୍ୟକ୍ରମ ପରିଚାଳନା ସହ ଶେଷରେ ଧନ୍ୟବାଦ ଦେଇଥିଲେ।

ପୂର୍ବରୁ ‘କଥା’ର ନବପ୍ରତିଭା ପ୍ରତିଯୋଗିତାରେ ପୁରସ୍କାର ଜିଣିଥିବା ପ୍ରଜ୍ଞା ପାରମିତା ରଥ, ଦିଲ୍ଲୀପ କୁମାର ବେହେରା, ଅସିତ କୁମାର ଷଡ଼ଙ୍ଗୀ, ଶ୍ରୀକାନ୍ତ କୁମାର ବାରିକ, ବିଶ୍ୱନାଥ ସାହୁ, ଲାଲମୋହନ ମାଝୀ, ଜଗନ୍ନାଥ ସାହୁ, ବିଭାବତୀ ଦାଶ, ଲକ୍ଷ୍ମଣ ମିଶ୍ର, ଶୁଭଲକ୍ଷ୍ମୀ ଦାସ ବିଶ୍ୱାଳ, ବସନ୍ତରାଜ ସାହୁ, ଦେବୀପ୍ରସାଦ ଭଦ୍ର, ଶୁଭ୍ରାଂଶୁ ବିଶ୍ୱାଳ, ଶାନ୍ତନୁ କୁମାର ନାୟକ, ସତ୍ୟଜିତ ଭୂୟାଁ, ଶର୍ମିଷ୍ଠା ନନ୍ଦ, ଶୁଭଲକ୍ଷ୍ମୀ ମହାନ୍ତି, ସୋନାଲି ମାଦେଳି, ସୁବ୍ରତ କୁମାର ସେନାପତି, ବିମଳ କୁମାର ରାଉଳ ପ୍ରମୁଖ ୨୦ ଜଣ ଯୁବ ଗାଳ୍ପିକ ଓ ଗାଳ୍ପିକା କର୍ମଶାଳାରେ ସାମିଲ୍‌ ହୋଇଛନ୍ତି। କର୍ମଶାଳା ପରେ ସେମାନଙ୍କ ଗପକୁ ନେଇ କଥାର ସ୍ୱତନ୍ତ୍ର ସଂସ୍କରଣ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର