‘କୋଣାର୍କ ଓଡ଼ିଶା ପରିବାର’ର ସାରସ୍ୱତ ପର୍ବ

ଭୁବନେଶ୍ୱର: ଫେସ୍‌ବୁକ୍‌ ବନ୍ଧୁତାରୁ ଜନ୍ମ ନେଇଥିବା ‘କୋଣାର୍କ ଓଡ଼ିଶା ପରିବାର’ର ବନ୍ଧୁ ମିଳନ ଓ କବିତା ପାଠୋତ୍ସବ ପାନ୍ଥ ନିବାସରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କବିତା ପାଠ ସହ ପୂଜ୍ୟପୂଜା ଏବଂ ପୁସ୍ତକ ଲୋକାର୍ପଣ କରାଯାଇଥିଲା। କପିଳେଶ୍ୱର ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ଆୟକର ଆୟୁକ୍ତ ମୁଖ୍ୟ, ଏଫ୍‌ଆଇଡିଆର୍‌ର ନିର୍ଦେଶକ ଚାରୁଦତ୍ତ ପାଣିଗ୍ରାହୀ, ଗୀତିକବି ବିପିନ୍‌ ମହାନ୍ତି ପ୍ରମୁଖ ଯୋଗଦେଇ ରାଜ୍ୟର ସମୃଦ୍ଧ ସଂସ୍କୃତି ଏବଂ ଏହାର ପ୍ରଚାରପ୍ରସାରରେ ସାମାଜିକ ଗଣମାଧ୍ୟମର ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଉତ୍ସବରେ ମୁଖପତ୍ର ‘ସୃଜନର ସୈକତ’, ବିପିନ୍‌ ମହାନ୍ତିଙ୍କ ‘ଫେସ୍‌ବୁକ୍‌ କବିତା’, ଆଶୁତୋଷ ମେହେରଙ୍କ ‘ପ୍ରେମ ପଳାଶ ଫୁଲର’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏଥିସହିତ ଘାସିରାମ ମିଶ୍ର, ଦୁର୍ଗା ପଣ୍ଡା, ରୋହିଣୀ କୁମାର ବେହେରା, ସୀତାରାମ ପଣ୍ଡା ଏବଂ ଚଳଚ୍ଚିତ୍ର ପ୍ରଯୋଜକ ତଥା ନିର୍ଦେଶକ ରମେଶ ପ୍ରସାଦ ସାହୁଙ୍କୁ ସମ୍ବର୍ଧିତ କରାଯାଇଥିଲା। ବିଚିତ୍ର ମହାପାତ୍ର ସମ୍ପାଦକୀୟ ପାଠ କରିଥିବା ବେଳେ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ପ୍ରିୟବ୍ରତ ପଣ୍ଡା। ଶତାଧିକ କବି କବିତା ପାଠ କରିଥିଲେ। ସଂଜୟ ଜୟସିଂ, ପ୍ରଭାତ ଗୁରୁ, କାଶୀନାଥ ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ‘ପ୍ରାଚୀଧାରା’ର ସମ୍ପାଦକ ଭଗବାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର