ରାଜଧାନୀ ଉପକଣ୍ଠ କୁଆଖାଇ ନଦୀ ଏବେ ଡେଥ୍ଜୋନ୍ରେ ପରିଣତ ହୋଇ ଗଲାଣି। କିଏ ନଦୀରେ ବୁଡ଼ି ପ୍ରାଣ ହରାଉଛି ତ କିଏ ଆତ୍ମହତ୍ୟା କରିବାକୁ ନଦୀକୁ ଲମ୍ଫ ଦେଉଛି। ହିସାବ କହୁଛି ଗତ ଦୁଇ ବର୍ଷ ମଧ୍ୟରେ ପାଖାପାଖି ୧୫ ଜଣଙ୍କ ମୃତ୍ୟୁ ଘଟିଲାଣି। ବିଶେଷକରି ବର୍ଷା ଋତୁ, ହୋଲିବେଳେ ଏଭଳି ଅଘଟଣ ବଢ଼ି ଯାଇଥାଏ। ମିଳିଥିବା ସୂଚନା ମୁତାବକ, ଚଳିତ ସପ୍ତାହ ମଧ୍ୟରେ ଜଣେ ମହିଳା ଓ ଜଣେ ହୋମ୍ଗାର୍ଡ ଆତ୍ମହତ୍ୟା ପାଇଁ ନଦୀକୁ ଡେଇଁଥିଲେ। ଆଜି କୁଆଖାଇ ନଦୀରେ ବୁଡି ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିବା ପରେ ଏବେ କୁଆଖାଇ ନଦୀକୁ ଲୋକେ ଶବ ଖାଇ ନଦୀ ବୋଲି କହିଲେଣି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ସ୍ଥାନୀୟ ଜଣେ ବାସିନ୍ଦା କହିଛନ୍ତି, କୁଆଖାଇ ନଦୀ କିଛି ସ୍ଥାନ ଅତ୍ୟନ୍ତ ଗଭୀର। ଏହା ଛଡ଼ା ଏହି ନଦୀରୁ ଲଗାତାର ବାଲି ଉଠାଣ ହେଉଛି। ଫଳରେ ନଦୀର କିଛି ନିର୍ଦିଷ୍ଟ ସ୍ଥାନରେ ଖାଲ ହୋଇଛି। ବର୍ଷା ହେଲେ ବା ବନ୍ୟା ଆସିଲେ ସେହି ସ୍ଥାନରେ ପାଣି ଜମି ଯାଇଥାଏ। ଅଜଣା ଲୋକ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ିଯାଏ। କିଛି ଦିନ ତଳେ ଅଗ୍ନିଶମ ବିଭାଗ ପକ୍ଷରୁ କୁଆଖାଇର କେତେକ ନିର୍ଦିଷ୍ଟ ସ୍ଥାନରେ ନ ଗୋଧାଇବାକୁ ସର୍ତକ ସୂଚନା ବୋର୍ଡ ଲଗାଯାଇଥିଲା। ଏବେ ସେହି ବୋର୍ଡର ଚିହ୍ନବର୍ଣ୍ଣ ନାହିଁ। ଫଳରେ କେବେଳ ନଦୀରେ ବୁଡିବା କାହିଁକି ଅନେକ ଏହି ନଦୀକୁ ଡେଇଁ ଆତ୍ମହତ୍ୟା ମଧ୍ୟ କରିଥିବା ନଜିର ରହିଛି। ୩ ବର୍ଷ ତଳେ ଜଣେ କେନ୍ଦ୍ରୀୟ ଗୁଇନ୍ଦା ଅଧିକାରୀଙ୍କ ପତ୍ନୀ କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ନଦୀପଠାରେ ଅନେକ ହତ୍ୟାକାଣ୍ଡ ମଧ୍ୟ ଘଟିଛି। ୨୦୧୭ ଫେବ୍ରୁଆରି ୧ ତାରିଖରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇ ଏହି ନଦୀ ପଠାରେ ଫିଙ୍ଗି ଦିଆଯାଇଥିଲା। ସେହିପରି ଗତବର୍ଷ ସେପ୍ଟେମ୍ବର ମାସରେ ବିଜୟ ବେହେରା ନାମକ ଜଣେ ଯୁବକଙ୍କୁ କେହି ପଥରେ ଛେଚି ହତ୍ୟା କରି ନଦୀପଠାରେ ଫିଙ୍ଗିଥିଲା। ଚଳିତ ବର୍ଷ ଉନ୍ମୟ ପାଢ଼ୀ ନାମକ ଜଣେ ଯୁବକଙ୍କ କ୍ଷତାକ୍ତ ଓ ଦଗ୍ଧ ମୃତଦେହ କୁଆଖାଇ ନଦୀପଠାରୁ ଠାବ ହୋଇଥିଲା।
କେତୋଟି ପ୍ରମୁଖ ଘଟଣା
୨୦୧୭ ମାର୍ଚ ୧୯ ତାରିଖ: ହୋଲି ଖେଳି ସାରି ଗାଧୋଇ ଯାଇଥିବା ଲିଟୁ ସେନାପତି ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ୩ ଜଣ ବନ୍ଧୁଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ।
୨୦୧୭ ଜୁଲାଇ ୧୨ ତାରିଖ: ମାନସ କୁମାର ମହାଳିକ ନାମକ ଜଣେ ଯୁବକଙ୍କ ନଦୀରେ ବୁଡି ମୃତ୍ୟୁ
୨୦୧୭ ସେପ୍ଟମ୍ବର ୩: ସୁକାନ୍ତ ବେହେରା ନାମକ ଜଣେ ମାଛ ଧରାଳି ମାଛ ଧରୁଥିବାବେଳେ ନଦୀ ସ୍ରୋତରେ ଭାସି ଯାଇଥିଲେ। ପରବର୍ତୀ ସମୟରେ ତାଙ୍କ ମୃତଦେହ ଠାବ କରାଯାଇଥିଲା।
୨୦୧୮ ମାର୍ଚ ୧୧ ତାରିଖ: ବରିମୁଣ୍ଡ କୁଆଖାଇ ନଦୀ ଭିତରୁ ଜଣେ ଅଚିହ୍ନା ଯୁବକ ମୃତଦେହ ଠାବ ହୋଇଥିଲା। ଏଯାଏ ଯୁବକଙ୍କ ପରିଚୟ ମିଳି ପାରିନାହିଁ।
୨୦୧୮ ଜୁଲାଇ ୨୩ ତାରିଖ: ସୁମିତ୍ରା ଦାସ ନାମକ ଜଣେ ମହିଳା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ଅଗ୍ନିଶମ କର୍ମଚାରୀ ତାଙ୍କୁ ଠିକଣା ସମୟରେ ଉଦ୍ଧାର କରିଥିଲେ।