ବର୍ଷ ବର୍ଷ ଧରି ଚାଲିଛି ଚିଠି ଲେଖା: ୨୦ବର୍ଷ ବିତିଲା, କାର୍ଯ୍ୟକ୍ଷମ ହୋଇପାରିଲାନି ଲକ୍ଷ୍ମୀସାଗର ପିଏଚ୍‌ସି

କ’ଣ ହେବ ନିର୍ମାଣାଧୀନ ଲକ୍ଷ୍ମୀସାଗର ପିଏଚ୍‌ସି କୋଠାର ଭାଗ୍ୟ

ଭୁବନେଶ୍ବର: ୨୦ବର୍ଷ ତଳେ ଲକ୍ଷ୍ମୀସାଗରରେ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ପରେ ସାଂସଦ ପାଣ୍ଠିରୁ ଅର୍ଥ ମିଳିବା ପରେ ବିଲ୍ଡିଂ ନିର୍ମାଣ ହୋଇଥିଲା। ହେଲେ ଡାକ୍ତର କିମ୍ବା ଷ୍ଟାଫ୍ ନର୍ସ ନିଯୁକ୍ତ ହୋଇପାରିଲେ ନାହିଁ। ଗ୍ରାମବାସୀ ବିଧାୟକଙ୍କଠାରୁ ଆରମ୍ଭ କରି ମେୟର, ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ଭେଟି ଏ ସଂପର୍କରେ ଦାବି ଜଣାଇଥିଲେ। ‌ମାତ୍ର କେବଳ ଚିଠି ଦିଆନିଆରେ ଏହା ସୀମିତ ରହିଗଲା। ପୂର୍ବରୁ ନିଷ୍ପତ୍ତି ହୋଇଥିବା ଏହି ସ୍ବାସ୍ଥ୍ୟ କେନ୍ଦ୍ର ସଂପର୍କରେ ଆଉ କାହା ପାଖରେ କିଛି ସୂଚନା ନାହିଁ। କେଉଁଠାରେ ସମସ୍ୟା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ ତାହା ରହସ୍ୟ ହୋଇ ରହିଯାଇଛି। ଏଭଳି ଭାବେ ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି) ଖୋଲିବା ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ହୋଇଯାଇଛି।

ଭୁବନେଶ୍ବର ୱାର୍ଡ ନଂ ୪୩ର ଲକ୍ଷ୍ମୀସାଗର ଗାଁରେ ୧୯୯୯ ମସିହାରେ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି‌ ନେଇଥିଲେ ସରକାର। ଏଥିପାଇଁ ଜାଗା ଯୋଗାଇ ଦେବା ଲାଗି ସେହିବର୍ଷ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଥିଲା ବିଏମ୍‌ସି। ପ୍ଲଟ୍ ନଂ ୫୯୦ ଓ ଖାତା ନଂ-୭୧୬ରେ ଥିବା ୦.୬୪୦ ଏକର ଜାଗା ଖାଲି ଥିବାରୁ ବିଏମ୍‌ସି ଅଧୀନକୁ ଏହି ଜାଗା ପ୍ରଦାନ କରିବା ପାଇଁ ବିଏମ୍‌ସି ଚିଠି ଦ୍ବାରା ଜଣାଇଥିଲା। ପରବର୍ତୀ ସମୟରେ ବିଏମ୍‌ସି ପକ୍ଷରୁ ମ୍ୟୁନସିପାଲଟିର ମୁଖ୍ୟ ମେଡିକାଲ ଅଧିକାରୀ (ସିଏମ୍‌ଓ)ଙ୍କୁ ଡିସ୍‌ପେନସାରି ନିର୍ମାଣ କରିବା ଲାଗି ଚିଠିରେ ଉଲ୍ଲେଖ ହୋଇଥିଲା। ପ୍ଲଟ୍ ନଂ ୫୯୦ରେ ୨ଏକର ଜାଗା ରହିଛି ସେଠାରେ ଏକ ଡିସ୍‌ପେନସାରି ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ବୋଲି ଦର୍ଶାଇଥିଲା ବିଏମ୍‌ସି। ଏଥିପାଇଁ ୱାର୍ଡ କାଉନସିଲର ଏକ ସ୍କେଚ୍ ପ୍ଲାନ୍ ପ୍ରସ୍ତୁତ କରି ଦାଖଲ କରି ସାରିଛନ୍ତି। ତେଣୁ ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବା ଦରକାର ବୋଲି ବିଏମ୍‌ସି ଜଣାଇଥିଲା। ପରବର୍ତୀ ସମୟରେ ଭୁବନେଶ୍ବର ସାଂସଦ ପାଣ୍ଠିରୁ ୨ଲକ୍ଷ ଟଙ୍କା ଖର୍ଚ କରାଯାଇ ଏକ ମହଲା ବିଶିଷ୍ଟ ଘର ନିର୍ମାଣ ହୋଇଥିଲା। ମାତ୍ର ଦୁର୍ଭାଗ୍ୟର ବିଷୟ ଡିସ୍‌ପେନସାରି ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଥିଲେ ହେଁ, ଡାକ୍ତର, ଷ୍ଟାଫ୍ ନର୍ସଙ୍କ ସମେତ ଅନ୍ୟ କର୍ମଚାରୀ ନିଯୁକ୍ତି କରାଗଲା ନାହିଁ।

ପରବର୍ତୀ ସମୟରେ ଲକ୍ଷ୍ମୀସାଗର ବିକାଶ ମଞ୍ଚ ପକ୍ଷରୁ ୨୦୧୭ ମସିହାରେ ମଧ୍ୟ ବିଧାୟକଙ୍କୁ ଏ ସଂକ୍ରାନ୍ତୀୟ ଦାବି ପତ୍ର ପ୍ରଦାନ କରାଯାଇଥିଲା। ୨୦୧୮ ମସିହାରେ ତତ୍କାଳୀନ ମେୟର ଓ ଏବେର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲା ମଞ୍ଚ। ସେହିବର୍ଷ ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀ ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ପରିଚାଳନା କରିବା ଲାଗି ଜାତୀୟ ସ୍ବାସ୍ଥ୍ୟ ମିସନ୍‌କୁ ଚିଠି ଲେଖିଥିଲେ। ତେବେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ପକ୍ଷରୁ ଦିଆଯାଇଥିବା ଚିଠିରେ ରାଜଧାନୀରେ ଏବେ ୨୨ଟି ସ୍ବାସ୍ଥ୍ୟକେନ୍ଦ୍ର ଚାଲୁଥିବାରୁ ୱାର୍ଡ ନଂ ୪୩ରେ ଏକ ପିଏଚ୍‌ସି ପ୍ରତିଷ୍ଠା କରିବା ଏକପ୍ରକାର ଅସମ୍ଭବ। ତେବେ ଯଦି ବିଏମ୍‌ସି ଚାହିଁବ ତେବେ ନିଜସ୍ବ ଖର୍ଚରୁ ଏହାର ପରିଚାଳନା କରିପାରିବ ବୋଲି ମିସନ୍‌ ପକ୍ଷରୁ କୁହାଯାଇଥିଲା। ଗତବର୍ଷ ମଞ୍ଚ ପକ୍ଷରୁ ବିଏମ୍‌ସି କମିସନଙ୍କରୁ ଏ ସଂକ୍ରାନ୍ତରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲେ ହେଁ, ଏଥିପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ମଞ୍ଚ ପକ୍ଷରୁ କୁହାଯାଇଛି। ଗ୍ରାମବାସୀଙ୍କ କହିବା ମୁତାବକ, ଦୀର୍ଘଦିନରୁ ଲୋକମାନେ ଏକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବି କରିବା ପରେ ଏଥିପାଇଁ ଏକ ପିଏଚ୍‌ସି ପ୍ରତିଷ୍ଠା କରାଯାଇଥିଲା। ମାତ୍ର ବର୍ଷ ପରେ ବର୍ଷ ବିତି ଯାଇଥିଲେ ହେଁ, ଡାକ୍ତର ଓ କର୍ମଚାରୀ ନିଯୁକ୍ତି ଦିଆ ନ ଯିବା ଫଳରେ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ। ପରବର୍ତୀ ସମୟରେ କିଛି ଲୋକ ଏହାକୁ କବ୍‌ଜା କରି ରଖିଥିଲେ। ତେବେ ଯଦିଓ ଏହି ଘର ଏକ ଜବରଦଖଲ ମୁକ୍ତ ହୋଇସାରିଛି ‌ମାତ୍ର କିଏ ଏହାକୁ ପରିଚାଳନା କରିବ ତାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ସାମନ୍ୟ ରୋଗ ପାଇଁ ଗ୍ରାମର ଲୋକମାନଙ୍କୁ ସବୁ ସମୟରେ ନିକଟସ୍ଥ ଝାରପଡ଼ା ପିଏଚ୍‌ସିକୁ ଯିବା ସମ୍ଭବ ‌ନୁହେଁ। ରାଜନୈତିକ ଚକ୍ରାନ୍ତରେ ଲକ୍ଷ୍ମୀସାଗର ପିଏଚ୍‌ସିର ଏଭଳି ଅବସ୍ଥା ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ପୂର୍ବରୁ କେଉଁ ପରିସ୍ଥିତିରେ ୱାର୍ଡ ନଂ ୪୩ରେ ପିଏଚ୍‌ସି ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା ତାହା ଏବେ କହିବା ସମ୍ଭବ ନୁହେଁ। ସହରାଞ୍ଚଳରେ ୫୦ହଜାର ଜନସଂଖ୍ୟାରେ ଏକ ପିଏଚ୍‌ସି ନିର୍ମାଣ କରାଯିବାର ନିୟମ ରହିଛି। ବାଇ ଲ’ ଓ ଅନ୍ୟାନ୍ୟ ଘଟଣାକୁ ନଜର କଲେ ହୁଏତ ସେଠାରେ ପିଏଚ୍‌ସି ନିର୍ମାଣ କରିବା ହୁଏତ ଉପାଦେୟ ସାବ୍ୟସ୍ତ ହୋଇ ନ ପାରେ ବୋଲି ବିଚାର କରାଯାଇଥିବା ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର