ସିଂହଦ୍ବାରରୁ ସର୍ଭେ, ଶ୍ରୀଲିଙ୍ଗରାଜ ମନ୍ଦିର  ଚାରିପାଖ ମାପଚୁପ ଆରମ୍ଭ

ଅସୁରକ୍ଷିତ ଲିଙ୍ଗରାଜ ମାର୍କେଟ

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଜମି ଜବରଦଖଲ ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାପଚୁପ ସରିଛି। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି), ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ(ବିଡିଏ), ସାଧାରଣ ପ୍ରଶାସନ(ଜିଏ), ମନ୍ଦିର ପ୍ରଶାସନ, ଦେବୋତ୍ତର ବିଭାଗ ଓ ପର୍ଯ୍ୟଟନ ବିଭାଗର ମିଳିତ ଟିମ୍‌ ସିଂହଦ୍ବାର ରାସ୍ତାରୁ ସର୍ଭେ ଆରମ୍ଭ କରିଥିଲେ। ଉକ୍ତ ରାସ୍ତାରେ ଥିବା ସରକାରୀ, ବେସରକାରୀ ଓ ମନ୍ଦିର ପ୍ରଶାସନ ଜମି ଚିହ୍ନଟ କରାଯାଇଥିଲା। ପୂର୍ବାହ୍ନ ୧୦ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଚାଲିଥିବା ଏହି ସର୍ଭେରେ ୫୦ରୁ ଅଧିକ ଦୋକାନ ଘର ଚିହ୍ନଟ କରାଯାଇଛି।

ପୂର୍ବ ନିଷ୍ପତ୍ତି ଅନୁଯାୟୀ ସକାଳୁ ମିଳିତ ଟିମ୍‌ ମନ୍ଦିର କାର୍ଯ୍ୟାଳୟରେ ଏକାଠି ହୋଇ ବିଭିନ୍ନ ପ୍ରସଙ୍ଗରେ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା କରିଥିଲେ। ସ୍ଥାନୀୟ ପୁଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ବିଡିଏ ଅତିରିକ୍ତ କମିସନର(ଏନ୍‌ଫୋର୍ସମେଣ୍ଟ) ହରିଣ କୁମାର ନାୟକ, ବିଏମ୍‌ସି ଡେପୁଟି କମିସନର ଅବନୀ ପଟ୍ଟନାୟକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ, ମନ୍ଦିର ଅମିନ ଓ ଆର୍‌ଆଇ, ବିଏମ୍‌ସି ଅମିନ ଓ ଆର୍‌ଆଇ, ବିଏମ୍‌ସି, ବିଡିଏ, ସାଧାରଣ ପ୍ରଶାସନ(ଜିଏ) ଓ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ସିଂହଦ୍ବାର ରାସ୍ତାରେ ସର୍ଭେ କରିଥିଲେ।
ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ରାସ୍ତା ଓ ମନ୍ଦିର ସମ୍ମୁଖରେ ଥିବା ବ୍ୟାଖାନ କେନ୍ଦ୍ର ନିକଟ ବି ସର୍ଭେ କରାଯାଇଥିଲା। ଏହି ରାସ୍ତାର ଉଭୟ ପାର୍ଶ୍ବରେ ଯେଉଁ ଦୋକାନ ରାସ୍ତା ଉପରକୁ ମାଡ଼ି ଆସିଛନ୍ତି ସେଗୁଡ଼ିକୁୁ ଚିହ୍ନଟ କରି ହଳଦିଆ ରଙ୍ଗ ଲଗାଇଛନ୍ତି। ସର୍ଭେରେ ସାମିଲ ହୋଇଥିବା ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ମନ୍ଦିର ଚାରିପଟେ ଦିନକୁ ଦିନ ଜବରଦଖଲ ବୃଦ୍ଧି ପାଉଛି। ଫଳରେ ପର୍ଯ୍ୟଟକ ଯିବା ଆସିବାରେ ସମସ୍ୟା ହେଉଛି। ତେଣୁ ପର୍ଯ୍ୟଟକମାନେ ଯେପରି ବିନା ବାଧାରେ ବୁଲିପାରିବେ ସେଦିଗରେ ପଦକ୍ଷେପ ନିଆଯିବ। ମନ୍ଦିର ଚତୁଃପାର୍ଶ୍ବ ସହ ବିନ୍ଦୁସାଗର ରାସ୍ତା, ନୂଆ ଲିଙ୍ଗରାଜ ମାର୍କଟ ରାସ୍ତାଗୁଡ଼ିକ ସର୍ଭେ କରାଯିବ। ୩ ଦିନ ଧରି ଏହି ସର୍ଭେ ଚାଲିବ। ଏହାପରେ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯିବ। ତେବେ ଯେଉଁ ସ୍ଥାନ ପର୍ଯ୍ୟଟକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ତାହାକୁ ଅଗ୍ରଧିକାର ଭାବେ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି।

କାମରେ ଲାଗୁନି ମହାରାଜା କୃଷ୍ଣଚନ୍ଦ୍ର ସଂସ୍କୃତି ମହାବିଦ୍ୟାଳୟ କୋଠା
ବିନ୍ଦୁସାଗର ପୂର୍ବ ଦକ୍ଷିଣ କୋଣ ଓ ଶଙ୍କରଚାର୍ଯ୍ୟ ମଠ ସମ୍ମୁଖରେ ମହାରାଜ କୃଷ୍ଣଚନ୍ଦ୍ର ସଂସ୍କୃତି ମହାବିଦ୍ୟାଳୟର କୋଠା ରହିଛି। ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତ ଓ ବ୍ରାହ୍ମଣ ଶିକ୍ଷାର୍ଥୀଙ୍କୁ ଜ୍ଞାନ ଆହରଣ ପାଇଁ ତିଆରି ହୋଇଥିବା ଏହି କୋଠା ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ନୟାଗଡ଼ ମହାରାଜା ୧୯୩୫ ମସିହରେ ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ଏବେ କୋଠା ବିପଦପୂର୍ଣ୍ଣ ଥିବାରୁ ଆଉ ସେଠାରେ ପାଠ ପଢ଼ାଯାଉନାହିଁ। ଏହାକୁ ଉଚ୍ଛେଦ କରି ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ କରିବା ପାଇଁ ଦାବି କରାଯାଇଛି।

ପାର୍କ ନିକଟରେ ରାସ୍ତା ହେଲେ ଭିଡ଼ କମିବ
ଶ୍ରୀଲିଙ୍ଗରାଜ ମନ୍ଦିରର ପଶ୍ଚିମ ଓ ଉତ୍ତର କୋଣରେ ରହିଛି ଚିତ୍ରକାରିଣୀ ମନ୍ଦିର ଘାସ ପାର୍କ। ମନ୍ଦିର ପରିସରକୁ ବାଦ୍‌ ଦେଇ ଏହି ଘାସ ପାର୍କ ରହିଛି। ରଥଦାଣ୍ଡରୁ ଶ୍ରୀଲିଙ୍ଗରାଜ ମନ୍ଦିର ପଶ୍ଚିମ ପାଚେରି କିମ୍ବା ବିଏମ୍‌ସି ହସ୍ପିଟାଲ ଆଡ଼କୁ ଯିବା ବେଳେ ଏକ ‌ଛୋଟ ଗଳି ରହିଛି। ଏହା ନିକଟରେ ଥିବା ଘାସ ପାର୍କରୁ ୨୦ ଫୁଟ୍‌ ରାସ୍ତା ପାଇଁ ଜବରଦଖଲ ଉଚ୍ଛେଦ ହେଲେ ସେଠାରେ ବହୁ ପରିମାଣରେ ଭିଡ଼ କମିବ ବୋଲି ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି।

ଅସୁରକ୍ଷିତ ଲିଙ୍ଗରାଜ ମାର୍କେଟ
ଶ୍ରୀଲିଙ୍ଗରାଜ ମନ୍ଦିର ଉତ୍ତର ପୂର୍ବ କୋଣରେ ପୁରାତନ ଲିଙ୍ଗରାଜ ମାର୍କେଟ ରହିଛି। ମନ୍ଦିର ଓ ପର୍ଯ୍ୟଟକଙ୍କ ପାର୍କିଂ ସ୍ଥଳ ମଧ୍ୟରେ ଥିବା ଏହି ମାର୍କେଟ ଏବେ ଅସୁରକ୍ଷିତ ହୋଇପଡ଼ିଛି। ପ୍ରାୟ ୧୩୬ ଜଣ ଦୋକାନୀ ଏଠାରେ ବ୍ୟବସାୟ କରୁଥିଲେ ମଧ୍ୟ ଏଦିଗରେ ବିଏମ୍‌ସିର ଉଦାସୀନତା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ତେବେ ଏଠାକାର ବ୍ୟବସାୟୀଙ୍କ ଥଇଥାନ ଲାଗି ନିର୍ମାଣ ହୋଇଥିବା ନୂତନ ମାର୍କେଟ ଉଦ୍‌ଘାଟନକୁ ଇତି ମଧ୍ୟରେ ବର୍ଷେ ପୂରିବାକୁ ବସିଲାଣି। ହେଲେ ଦୋକାନ ଆବଣ୍ଟନ କାର୍ଯ୍ୟ ହୋଇପାରୁ ନାହିଁ। ଯେଉଁଥିପାଇଁ ବ୍ୟବସାୟୀମାନେ ୫ ବର୍ଷ ହେଲା ବିପଦସଙ୍କୁଳ କୋଠାରେ ବ୍ୟବସାୟ ଚଳାଇଛନ୍ତି। ୧୯୮୬ରେ ନିର୍ମିତ ଏହି ମାର୍କେଟ୍ କ‌ମ୍ପେକ୍ସର ରକ୍ଷଣାବେକ୍ଷଣ ଦାୟିତ୍ବ ବିଏମ୍‌ସି ଉପରେ ନ୍ୟସ୍ତ ଥିଲା। ତେବେ ଗତ ୨୮ବର୍ଷ ହେଲା ବିଏମ୍‌ସି ପକ୍ଷରୁ ମାର୍କେଟ୍‌ର ଯତ୍ନ ନିଆଯାଉ ନଥିବାରୁ କୋଠା ଦୁର୍ବଳ ହୋଇପଡ଼ିଲାଣି। ୨୦୧୪ରେ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ଅସୁରକ୍ଷିତ ଘୋଷଣା କରିବା ସହ ଦୋକନୀଙ୍କଠାରୁ ଭଡ଼ା ଆଦାୟ ବନ୍ଦ କରିଦେଇଛନ୍ତି। ଏବେ ମାର୍କେଟ ଘର କେତେବେଳେ ଭୁଶୁଡ଼ି ପଡ଼ିବ ତାହା କହି ହେବ ନାହିଁ। ଏଠାରେ ବ୍ୟବସାୟୀଙ୍କୁ ଖୁବ୍‌ଶୀଘ୍ର ଥଇଥାନ କରିବାକୁ ବ୍ୟବସାୟୀ ସଂଘର ସଭାପତି ଟୁଟୁ ପଣ୍ଡା ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟ ପର୍ଯ୍ୟଟନ ବଭାଗ ପକ୍ଷରୁ ପୁରୁଣା ଭୁବନେଶ୍ବରକୁ ଐତିହ୍ୟ ଜିଲ୍ଲାର ମାନ୍ୟତା ଦିଆଯିବା ସହ ଏହାର ଭିର୍ତ୍ତିଭୂମିକୁ ସଦୃଢ଼ କରିବାକୁ ସ୍ଥିର ହୋଇଥିଲା। ୫୮ଟି ଦୋକାନ ଗୃହ, ୮୦ ଜଣ ପର୍ଯ୍ୟଟକ ରହିବା ଭଳି ଯାତ୍ରୀ ଆଶ୍ରୟସ୍ଥଳ, ବସଷ୍ଟାଣ୍ଡ୍‌, ରାସ୍ତାଘାଟ ନିର୍ମାଣ ଓ ଆଲୋକୀକରଣ ଉପରେ ଗୁରୁତ୍ବ ଦିଆଯାଇଥିଲା।

ସମ୍ବନ୍ଧିତ ଖବର