ରାଜଧାନୀ ଉପକଣ୍ଠ ଗ୍ରାମାଞ୍ଚଳରେ ଦିନ କେଇଟା ଯାଇନି, କଟକଣା ଭୁଲିଗଲେ : ରୁଣ୍ଡ ହୋଇ ମାଛ ଧରିଲେ, ଖଟି କଲେ, ପୁଲିସର ଲାଠିମାଡ଼

ଚନ୍ଦ୍ରଶେଖରପୁରରେ ଲକ୍‌ଡାଉନକୁ ମାନୁନାହାନ୍ତି ଲୋକେ : ପୁଲିସ୍-ପବ୍ଲିକ୍ ଲୁଚକାଳି ଖେଳ

ବାଲିପାଟଣା : ପୂରା ଦେଶ ଲକ୍‌ଡାଉନ୍‌ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣାକୁ ୫ ଦିନ ବିତିଛି। ବହୁ ଅସୁବିଧା ସତ୍ତ୍ବେ ଲୋକେ ଏହାକୁ ସ୍ବତଃସ୍ଫୂର୍ତ୍ତ ଭାବେ ପାଳନ କରୁଥିବା ବେଳେ ବାଲିପାଟଣାରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସାମାଜିକ ଦୂରତା ରକ୍ଷା କରିବା ପାଇଁ ବାରମ୍ବାର ସଚେତନ କରାଯାଉଥିଲେ ହେଁ ସରାଟ ନୀଳକଣ୍ଠେଶ୍ବର ମହାଦେବ ମନ୍ଦିର ନିକଟ ପଞ୍ଚାୟତ ପୋଖରୀ‌ ଓ ବସନ୍ତମାଳ ଗାଁ ପୋଖରୀରେ ଆଜି ୩୦ରୁ ଊର୍ଧ୍ବ ଯୁବକ ଏକାଠି ହୋଇ ମାଛ ଧରୁଥିଲେ। ବାଲିପାଟଣା ଥାନା ପୁଲିସ ସେଠାରେ ପହଞ୍ଚି ଅମାନିଆ ଯୁବକଙ୍କୁ ଲାଠିମାଡ଼ କରିବାରୁ ସେମାନେ ସେଠାରୁ ପଳାଇଥିଲେ। ଖାଲି ସେତିକି ନୁହେଁ, ସକାଳ ଓ ସଂଧ୍ୟାରେ ଗାଁ ଚାନ୍ଦିନୀ ପଡ଼ିଆ, ସାହି ଦୋକାନ, ବ୍ରିଜ୍‌ ନିକଟରେ ଲୋକେ ଏକାଠି ହୋଇ ଖଟି କରୁଛନ୍ତି। ଲୁଡୁ, ତାସ୍‌, ଚେସ୍‌, କ୍ୟାରମ୍‌ ଖେଳରେ ମାତି ଯାଉଛନ୍ତି।

ଅପରପକ୍ଷେ ସାମାଜିକ ଦୂରତା ରକ୍ଷା ପାଇଁ ଆଜି ପ୍ରଶାସନ ଉପସ୍ଥିତିରେ ଗୋରୁହାଟ ପଡ଼ିଆରେ ବାଲିପାଟଣା ହାଟ ବସିଥିଲା। ପୂର୍ବରୁ ଏହି ହାଟ ମେଳଣ ପଡ଼ିଆରେ ହେଉଥିଲା। ବ୍ୟବସାୟୀ-ବ୍ୟବସାୟୀ, ବ୍ୟବସାୟୀ-ଗ୍ରାହକ ଓ ଗ୍ରାହକ-ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ ପାଇଁ ଗୋଲେଇ କଟା ଯାଇଥିଲା। ବାଲିପାଟଣା ତହସିଲ, ପୁଲିସ୍‌ ଓ ସ୍ବେଚ୍ଛାସେବୀ ଯୁବକମାନେ ମଧ୍ୟ ଉପସ୍ଥିତ ରହି ଲୋକମାନଙ୍କୁ ସଚେତନ କରାଇଥିଲେ।

ଚନ୍ଦ୍ରଶେଖରପୁରରେ ଲକ୍‌ଡାଉନକୁ ମାନୁନାହାନ୍ତି ଲୋକେ : ପୁଲିସ୍-ପବ୍ଲିକ୍ ଲୁଚକାଳି ଖେଳ
ଚନ୍ଦ୍ରଶେଖରପୁର : ରାଜଧାନୀ ଉପକଣ୍ଠ ଗ୍ରାମାଞ୍ଚଳରେ ଲକ୍‌ଡାଉନ କଟକଣାକୁ ଲୋକେ ମାନୁନାହାନ୍ତି। ସହରଠାରୁ ଦୂରରେ ରହିଥିବାରୁ ପିସିଆର ପାଟ୍ରୋଲିଂ ଭ୍ୟାନ୍ ସବୁବେଳେ ଏହି ଗ୍ରାମାଞ୍ଚଳ ଗୁଡ଼ିକରେ ଲୋକଙ୍କୁ ସଚେତନ କରାଇବା ସମ୍ଭବ ହୋଇପାରୁନାହିଁ। ଯାହାର ଫାଇଦା ଉଠାଇ ଲୋକମାନେ ଦୋକାନ ବଜାର ଖୋଲୁଛନ୍ତି ଓ ପୁଲିସ୍ ଭ୍ୟାନ୍ ସାଇରନ୍ ଶୁଣି ଦୋକାନ କବାଟ ବନ୍ଦ କରି ଚୁପଚାପ୍ ରହୁଛନ୍ତି। ଏମିତି ପୁଲିସ-ପବ୍ଲିକ ମଧ୍ୟରେ ଚାଲିଛି ଲୁଚକାଳି ଖେଳ।

ଆଜି ରବିବାର ହୋଇଥିବାରୁ ମଞ୍ଚେଶ୍ବର ଷ୍ଟେସନ୍ ବଜାର, ପଟିଆ କେନାଲ ବନ୍ଧ ବଜାର, ମଞ୍ଚେଶ୍ବର କୁଆଖାଇ କେନାଲ୍ ବନ୍ଧ ବଜାର, ଦୟାୱେଷ୍ଟ ଗଡ଼ାସାହି ବଜାର, ଅଳଶୁଆ ବଜାର ଓ ବିଭିନ୍ନ ଗ୍ରାମାଞ୍ଚଳର ଛୋଟ ବଜାର ଗୁଡ଼ିକର ଅଧିକାଂଶ ଦୋକାନ ଖୋଲାଥିବା ଦେଖିବାକୁ ମିଳିଥିଲା। ଲୋକମାନେ ସେଲୁନରେ ଜମାହୋଇ ଚୁଟି କାଟୁଥିଲେ, ଦୋକାନରେ ଭିଡ଼ ଜମାଇ ବିଭିନ୍ନ ସାମଗ୍ରୀ କିଣୁଥିଲେ। ଏହା ବ୍ୟତୀତ ତେଜରାତି ଓ ଦୁଗ୍ଧ ଦୋକାନ ଖୋଲିବା ଆଳରେ ବ୍ୟବସାୟୀମାନେ ଧଣ୍ଡା ପାନୀୟ, ଚା’, କଫି ଏବଂ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରୁଥିଲେ। ଏହା ଦେଖି କିଛି ସାମାଜିକ କର୍ମୀ ଥାନାକୁ ସୂଚନା ଦେବାରୁ ପୁଲିସ୍ ବଜାର ଗୁଡ଼ିକ ଉପରେ ଚଢ଼ଉ କରିଥିଲା। ହେଲେ ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସାଇରନ୍ ଦେଇ ଆସୁଥିବାରୁ ବ୍ୟବସାୟୀମାନେ ଦୋକାନ ବନ୍ଦ କରି ବାହାରେ ବୁଲାବୁଲି କରୁଥିଲେ। ପୁଲିସ ସେମାନଙ୍କୁ ତାଗିଦ କରି ପଳାଇବା ପରେ ପୁଣି ବେପାର ଚାଲିଥିଲା।

ସମ୍ବନ୍ଧିତ ଖବର