ସେକ୍ସ ଭିଡିଓ ଓ ଋଷି ମୃତ୍ୟୁ ମାମଲା: ମେୟରଙ୍କୁ କ୍ଲିନ୍‌ଚିଟ୍‌

ଅତ୍ୟଧିକ ଡ୍ରଗ୍ସ ଓ ମଦ୍ୟପାନ ଯୋଗୁଁ ଋଷିଙ୍କ ମୃତ୍ୟୁ ହୋଇଛି: ପୁଲିସ

ଭୁବନେଶ୍ୱର: ବହୁ ଚର୍ଚିତ ସେକ୍ସ ଭିଡିଓ ଓ ଇଞ୍ଜିନିୟରିଂ ଛାତ୍ର ଋଷି ମୃତ୍ୟୁ ମାମଲାରେ ମେୟର ଅନନ୍ତ ନାରାୟଣ ଜେନାଙ୍କୁ କ୍ଲିନ୍‌ଚିଟ୍‌ ଦେଇଛି କମିସନରେଟ୍‌ ପୁଲିସ। ତଦନ୍ତରୁ ଜଣାପଡ଼ିଛି ଯେ ବିବାଦୀୟ ଭିଡିଓ ଓ ଋଷିଙ୍କ ମୃତ୍ୟ ସହିତ ମେୟର ଶ୍ରୀ ଜେନାଙ୍କର କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସମ୍ପର୍କ ନାହିଁ। ଏହା କେବଳ ଏକ ଅଭିଯୋଗ ଥିଲା ବୋଲି ପୁଲିସ କହିଛି।
ଆଜି ଏ ନେଇ ଏକ ରିପୋର୍ଟ କମିସନରେଟ ପୁଲିସ ପକ୍ଷରୁ ରାଜ୍ୟ ମାନବାଧିକାର କମିସନଙ୍କୁ ପ୍ରଦାନ କରାଯାଇଛି। ୬ ପୃଷ୍ଠା ସମ୍ବଳିତ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି କି, ଋଷି ମୃତ୍ୟୁ ଓ ବିବାଦୀୟ ଭିଡିଓ ସହିତ ମେୟର ଶ୍ରୀ ଜେନାଙ୍କର କୌଣସି ସମ୍ପର୍କ ନାହିଁ। ଅଭିଯୋଗ ପରେ ଋଷିଙ୍କ ମୋବାଇଲ୍‌ ଫୋନକୁ କୋଲକାତା ଫରେସନସିକ ଲାବୋରେଟାରିକୁ ପଠାଯାଇଥିଲା। କିନ୍ତୁ ମୋବାଇଲରେ ଏହି ବିବାଦୀୟ ସେକ୍ସ ଭିଡିଓ ରହିଥିବା ନେଇ କୌଣସି ପ୍ରମାଣ ମିଳି ନାହିଁ। ଅନ୍ୟପକ୍ଷରେ ଏ କଥା ଜଣାପଡ଼ିଛି ଯେ ଋଷିଙ୍କ ମୃତ୍ୟୁ ଅଧିକ ଡ୍ରଗ୍‌ସ ସେବନ ଓ ମଦ୍ୟପାନ କାରଣରୁ ଘଟିଛି। ଡ୍ରଗ୍‌ସ ସେବନ ପରେ ଋଷିଙ୍କ ଶରୀରରେ ବିଷକ୍ରିୟା ସୃଷ୍ଟି ହୋଇଥିଲା। ଯେଉଁ କାରଣରୁ ତାଙ୍କର ଏକାଧିକ ଅଙ୍ଗ ଅଚଳ ହୋଇ ଯାଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି କି, ଘଟଣା ଦିନ ମେୟର ଶ୍ରୀ ଜେନା ସନ୍ଦେହଜନକ ଭାବେ କାହାରିକୁ ଫୋନ୍‌ କରି ନ ଥିଲେ। ଏପରିକି ଗିରଫ ହୋଇଥିବା ଡ୍ରଗ୍‌ସ ବେପାରୀଙ୍କ ସହିତ ମେୟରଙ୍କ କୌଣସି ସମ୍ପର୍କ ନାହିଁ। ଘଟଣା ପରେ ମେୟର କେବଳ ଋଷଙ୍କ ମାମୁ ରାଜକିଶୋର ମଲ୍ଲିକଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। କାରଣ ରାଜକିଶୋରଙ୍କର ମେୟରଙ୍କ ସହିତ ଉତ୍ତମ ସମ୍ପର୍କ ଥିଲା।
ଏହାଛଡ଼ା ପୁଲିସ ଋଷିଙ୍କ ଗାର୍ଲଫ୍ରେଣ୍ଡ୍‌, ସାଙ୍ଗସାଥୀଙ୍କ ମୋବାଇଲ୍‌ ଫୋନ୍‌ ଟ୍ରାକ୍‌ କରି ଜାଣିବାକୁ ପାଇଛି କି ସେମାନେ ମାସକ ତଳେ ଋଷିଙ୍କ ସହିତ କଥା ହୋଇଥିଲେ। ତେଣୁ ସାଙ୍ଗମାନେ ଯେଉଁ ଅଭିଯୋଗ ଆଣଥିଲେ ତାହା ତଦନ୍ତବେଳେ ସ୍ପଷ୍ଟ ହୋଇ ପାରିନାହିଁ। ଏଠାରେ ପ୍ରକାଶଥାଉକି, ୨୦୧୬ ମସିହା ମେ ୬ ତାରିଖ ସକାଳୁ ଖଣ୍ଡଗିରି ଥାନା ଅଧୀନ ଜାଗମରା ଜଗମୋହନଗରରେ ଥିବା ଏକ ହଷ୍ଟେଲରେ ଇଞ୍ଜିନିୟରିଂ ଛାତ୍ର ଋଷିଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ପରେ ବଜାରକୁ ଏକ ସେକ୍ସ ସିଡି ଆସିଥିଲା ଯେଉଁଥିରେ ମେୟର ଶ୍ରୀ ଜେନାଙ୍କ ଭଳି ଜଣେ ବ୍ୟକ୍ତି ଥିବା ନେଇ ଏକ େଓ୍ଵବସାଇଟ୍‌ ଗୁରୁତର ଅଭିଯୋଗ ଆଣିଥିଲା। ଏପରିକି ଏହି ସିଡି ପାଇଁ ଋଷିଙ୍କୁ ହତ୍ୟା କରାଯାଇଛି ବୋଲି ମଧ୍ୟ ଅଭିଯୋଗ ଆଣି ଏହାର ତଦନ୍ତ ଦାବି କରାଯାଇଥିଲା। ସେତେବେଳେ ଏହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର