ଜାତୀୟ ଚିକିତ୍ସକ ଦିବସ

0 8

ଭାରତରେ ପ୍ରତି ବର୍ଷ ଜୁଲାଇ ୧ ତାରିଖକୁ ‘ଜାତୀୟ ଚିକିତ୍ସକ ଦିବସ’ ରୂପେ ପାଳନ କରାଯାଏ। ଏହି ଦିବସ ପ୍ରଥମେ ୧୯୯୧ରେ ପାଳନ କରାଯାଇଥିଲା। ପ୍ରସିଦ୍ଧ ଚିକିତ୍ସାବିତ୍‌ ତଥା ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଡା. ବିଧାନ ଚନ୍ଦ୍ର ରାୟଙ୍କର ଉଭୟ ଜନ୍ମ ଓ ମୃତ୍ୟୁ ଏହି ଦିବସରେ ଘଟିଥିଲା। ଡା. ରାୟ ୧୮୮୨ ଜୁଲାଇ ୧ ତାରିଖରେ ଜନ୍ମଲାଭ କରିଥିଲେ। ୧୯୬୨ରେ ସେଇ ଏକା ଦିବସରେ ଅଶୀ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା। ଭାରତୀୟ ସମାଜ ଓ ଲୋକଙ୍କ ପାଇଁ ତାଙ୍କ ତ୍ୟାଗ ଥିଲା ଅତୁଳନୀୟ। ତାଙ୍କ ସମ୍ମାନାର୍ଥେ ତଥା ଚିକିତ୍ସକମାନଙ୍କ ତ୍ୟାଗ, ସେବା ଓ ଚିକିତ୍ସାକୁ ଉଚିତ ସମ୍ମାନ ପ୍ରଦର୍ଶନ ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ରୋଗୀ ଚିକିତ୍ସା ପ୍ରତି ଚିକିତ୍ସକଙ୍କର ସମର୍ପିତ ମନୋଭାବ ଏବଂ ସେମାନଙ୍କର ବୃତ୍ତିଗତ କର୍ତ୍ତବ୍ୟ ଓ ଦାୟିତ୍ୱ ବାବଦରେ ସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ଆଉ ଏକ ମହତ୍‌ ଉଦ୍ଦେଶ୍ୟ। ଚିକିତ୍ସା ଜଗତ୍‌କୁ ଉଲ୍ଲେଖନୀୟ ଅବଦାନ ପାଇଁ ଡା. ରାୟଙ୍କୁ ୧୯୬୧ରେ ‘ଭାରତ ରତ୍ନ’ ଉପାଧିରେ ସମ୍ମାନିତ କରାଯାଇଥିଲା।

ଅଭିମାନରେ କର୍ମଚାରୀମାନେ ମୋ ଜିନିଷପତ୍ର ପ୍ୟାକିଂ କରି ନଥିଲେ
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡା.କିଶୋର ଚନ୍ଦ୍ର ଦାସ ଥିଲେ ସ୍ଥାନୀୟ ଲୋକଙ୍କ ଭଗବାନ। ଦୀର୍ଘ ୮ବର୍ଷ କାଳ ନବରଙ୍ଗପୁର ଜିଲ୍ଲାକୁ ନିଜର ସେବା ଜରିଆରେ ପ୍ରଭାବିତ କରି ରଖିଥିଲେ। ତାଙ୍କର ମୂଳ ଲକ୍ଷ୍ୟ ଥିଲା କିଭଳି ଲୋକଙ୍କୁ ସେବା ଯୋଗାଇବା। ମାତ୍ର ଉଚ୍ଚଶିକ୍ଷା ପାଇଁ ଡା.ଦାସ ରାଜଧାନୀକୁ ଚାଲି ଆସିବା ଲୋକମାନେ ସହଜରେ ଗ୍ରହଣ କରିପାରି ନ ଥିଲେ। ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ବିଷାଦର ଛାୟା ଖେଳି ଯାଇଥିଲା। ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରୁ ବାହାରିବା ବେଳକୁ ଡା.ଦାସଙ୍କୁ ଘେରି ଯାଇଥିଲେ ଶହ ଶହ ଜନତା। ଦେଇଥିଲେ ଅଶ୍ରୁଳ ବିଦାୟ। ଶହ ଶହ ଲୋକଙ୍କ ଭିତରେ ନିଜକୁ ମଧ୍ୟ ସମ୍ଭାଳି ନ ପାରି କାନ୍ଦି ପକାଇଥିଲେ ଡା.ଦାସ। ମାତ୍ର ଏହି ଘଟଣା ରାଜ୍ୟ ତଥା ଜାତୀୟ ଗଣମାଧ୍ୟମରେ ଚର୍ଚାର କେନ୍ଦ୍ର ପାଲଟିଥିଲା। ବେଙ୍ଗାଲୁରସ୍ଥିତ ରାଜୀବ ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ହେଲ୍‌ଥ ସାଇନ୍ସରୁ ଅସ୍ଥିଶଲ୍ୟ ବିଭାଗରେ ଡାକ୍ତରୀ ପାସ କରିଥିବା ଡା. ଦାସ ରାଜଧାନୀର ଏକ ଘରୋଇ ମେଡିକାଲ କଲେଜରେ ଅସ୍ଥିଶଲ୍ୟ ବିଭାଗରେ ନିଜର ସ୍ନାତକୋତ୍ତର ଶିକ୍ଷା ହାସଲ କରୁଛନ୍ତି। ଏ ସଂପର୍କରେ ତାଙ୍କ ସହିତ ଆଲୋଚନା କରିଛନ୍ତି ‘ସମ୍ବାଦ’ ପ୍ରତିନିଧି କ୍ଷିତୀଶ ରାୟ…।

ନବରଙ୍ଗପୁର ଜିଲ୍ଲାରେ ଆପଣଙ୍କ ପାଇଁ କ’ଣ ସବୁ ଚ୍ୟାଲେଞ୍ଜ ରହିଥିଲା?
୨୦୧୦ ମସିହାରେ ଚାକିରି ଜୀବନ ଆରମ୍ଭ କରିବା ସମୟରେ ତେନ୍ତୁଳିଖୁଣ୍ଟି ବିକଶିତ ନ ଥିଲା। ସେଠାକୁ ଯିବା ପାଇଁ ରାସ୍ତାଘାଟର ସୁବିଧା ନ ଥିଲା। ନିଯୁକ୍ତି ପାଇବାର ୬ମାସ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି ହୋଇଥିଲା। ୨ବର୍ଷ ସେଠାରେ କାମ କରିବା ପରେ ୨୦୧୩ ମସିହାରେ ପୁନର୍ବାର ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଫେରିଥିଲା। ସିଏଚ୍‌ସିରେ ସେଭଳି କୌଣସି ସୁବିଧା ନ ଥିବାରୁ କାମ କରିବା କଷ୍ଟକର ଥିଲା। କେଉଁଠି କବାଟ ଭାଙ୍ଗି ଯାଇଥିଲା ତ ଆଉ କେଉଁଠି ଲାଇଟ୍‌ ଜଳୁ ନ ଥିଲା। ତେଣୁ ଏସବୁ ସମସ୍ୟାର କିଭଳି ସମାଧାନ କରାଯିବ ସେଥିପାଇଁ ଏକ ରଣନୀତି ପ୍ରସ୍ତୁତ କରିଥିଲି।

ଡାକ୍ତରଖାନାର ଅବସ୍ଥା କିଭଳି ସୁଧୁରିଲା ?
ଏଥିପାଇଁ ନିଜ ଆଡ଼ୁ ପ୍ରଚେଷ୍ଟା କରିଥିଲି। ରୋଗୀ କଲ୍ୟାଣ ସମିତି ସହିତ କିଭଳି ଡାକ୍ତରଖାନାକୁ ଅର୍ଥ ଆସିବ ସେଥିପାଇଁ ସ୍ଥାନୀୟ ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ଆଲୋଚନା କରିଥିଲି। ଜାତୀୟ ଗ୍ରାମୀୟ ସ୍ୱାସ୍ଥ୍ୟ ମିସନ୍‌ରେ ଆସୁଥିବା ଟଙ୍କାରେ ଭିତ୍ତିଭୂମିର ବିକାଶ ହେବା ସହିତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଓ ବିଜୁ କୃଷକ କଲ୍ୟାଣ ଯୋଜନାରୁ ଡାକ୍ତରଖାନାକୁ ଆସୁଥିବା ଭାଗକୁ ଏଥିରେ ଲଗା ଯାଇଥିଲା। ୨୦୧୫ ମସିହାରେ କେନ୍ଦ୍ରରୁ ଏକ ଦଳ ତେନ୍ତୁଳିଖୁଣ୍ଟି ସିଏଚ୍‌ସି ପରିଦର୍ଶନ କରିଥିଲେ। ପରବର୍ତୀ ସମୟରେ ଡବ୍ଲୁଏଚ୍‌ଓ, ୟୁନିସେଫ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଉପ-ସଚିବଙ୍କଠାରୁ ଆରମ୍ଭ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଦଳ, କେବିକେ ନୋଡାଲ ସଚିବ ଓ ସ୍ଥାନୀୟ ଜିଲ୍ଲାପାଳ ଅନେକ ସମୟରେ ସ୍ଥାନୀୟ ସିଏଚ୍‌ସି ପରିଦର୍ଶନ କରିବା ସହିତ ଡାକ୍ତରଖାନାକୁ ପ୍ରଶଂସା କରିଛନ୍ତି। ୨୦୧୭ ମସିହାରେ ତେନ୍ତୁଳିଖୁଣ୍ଟି ସିଏଚ୍‌ସି ‘କାୟାକଳ୍ପ’ ପୁରସ୍କାର ମଧ୍ୟ ହାସଲ କରିଥିଲା।

Panda Mobile only

ସ୍ଥାନୀୟ ଲୋକଙ୍କ ଆଶା ଓ ବିଶ୍ୱାସ କିଭଳି ଜିତିବାରେ ସକ୍ଷମ ହୋଇଥିଲେ?
ଦିନରାତି ଲୋକଙ୍କ ସେବା କରୁଥିଲି। ବହୁ ଜଟିଳ ରୋଗର ସମଧାନ କରି ଲୋକଙ୍କ ହୃଦୟ ଜିଣିପାରି ଥିଲି। କେବଳ ତେନ୍ତୁଳିଖୁଣ୍ଟି ବ୍ଲକ୍‌ ନୁହେଁ ବହୁତ ଦୂରରେ ଲୋକମାନେ ସେଠାକୁ ଚିକିତ୍ସା ପାଇଁ ଆସୁଥିଲେ। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ମାଲକାନାଗିରି, କଳାହାଣ୍ଡି, ଉମରକୋଟ, ଡାବୁଗାଁ ଭଳି ଅଞ୍ଚଳରୁ ଲୋକମାନେ ସେଠାକୁ ଆସୁଥିଲେ।

ରାଜଧାନୀରେ ଜନ୍ମ ହୋଇ କେବିକେ ଅଞ୍ଚଳରେ ରହିବାକୁ କିଭଳି ମନ ଲାଗିଲା?
ଏଥିପାଇଁ ପରିବାରରୁ ସମର୍ଥନ ପାଇଛି। ବାପା ସାମାଜିକ କାର୍ଯ୍ୟ କରୁଥିବାରୁ ତାଙ୍କଠାରୁ ମତେ ପ୍ରେରଣା ମିଳିଥିଲା। ଛୋଟବେଳୁ ଆଦିବାସୀ ଲୋକାମନଙ୍କ ସମସ୍ୟା ସଂପର୍କରେ ଦେଖି ଆସିଛି। ତେଣୁ ସେଠାକୁ ଯାଇ କିଛି କରିବା ପାଇଁ ମନରେ ଉତ୍ସାହ ଥିଲା। ନିଷ୍ଠାର ସହିତ ଲୋକମାନଙ୍କ ସେବା କରିଛି ଓ ତାହା ମତେ ବହୁତ ଆନନ୍ଦ ଦେଇଛି।

ନବରଙ୍ଗପୁର ଜିଲ୍ଲାରେ ୮ବର୍ଷର ରହଣିକାଳର ସମୟରେ ସ୍ମରଣୀୟ ମୁହୂର୍ତ କ’ଣ ରହିଛି?
୨୦୧୪ ମସିହାରେ ତେନ୍ତୁଳିଖୁଣ୍ଟି ସିଏଚ୍‌ସିର ଇନଚାର୍ଜ ଦାୟିତ୍ୱ ଦିଆଯାଇଥିଲା। ଇନଚାର୍ଜ ଭାବେ ମୋର କିଛି ଅଭିଜ୍ଞତା ନ ଥିଲା। ଏହି ସମୟରେ ଝରିଗୁମା ଗାଁରେ ଝାଡ଼ାବାନ୍ତି ବ୍ୟାପିଥିଲା। ଏହାକୁ ନିୟନ୍ତ୍ରଣ କରିବା ମୋ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ଏହି ସମୟରେ ଏକ ଟିମ୍‌ ଗଠନ କରି ୩ ଦିନ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ସେବା କରିଥିଲା। ସେଠାରେ ଏକ ଡାଇରିଆ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଝରିଗୁମାରେ ଝାଡ଼ାବାନ୍ତି କିଭଳି ବ୍ୟାପିଲା ତାହାର ଅନୁସନ୍ଧାନ କରିବା ସମୟରେ ବର୍ଷାଦିନେ ଉପର ଗାଁରୁ ମଇଳା ପାଣି ଆସି ସ୍ଥାନୀୟ ଲୋକଙ୍କ କୂଅରେ ପଶୁଥିବାରୁ ଜଣାପଡ଼ିଥିଲା। ତେଣୁ ସ୍ଥାନୀୟ ବିଡିଓଙ୍କୁ ଏ ସଂପର୍କରେ ଜଣାଇବା ସହିତ ଆରଡବ୍ଲୁଏସ୍‌ଏସ୍‌ ସହିତ ଆଲୋଚନା କରି ପରିମଳ ବ୍ୟବସ୍ଥାକୁ ଠିକ୍‌ କରାଯାଇଥିଲା। ଗାଁ ଲୋକଙ୍କ ସହିତ ମିଶି ଡ୍ରେନେଜ୍‌ ବ୍ୟବସ୍ଥାକୁ ଠିକ କରିଥିଲୁ। ଯାହାଫଳରେ ଝାଡ଼ାବାନ୍ତି ନିୟନ୍ତ୍ରଣ ହୋଇପାରିଥିଲା। ୨୦୧୪ ମସିହା ପରଠାରୁ ସେହି ଗାଁରେ ଆଉ ଝାଡ଼ାବାନ୍ତି ଦେଖିବାକୁ ମିଳିନାହିଁ।

ବିଦାୟ ବେଳର ମୁହୂର୍ତ କିଭଳି ରହିଥିଲା ?
ତେନ୍ତୁଳିଖୁଣ୍ଟି ଛାଡ଼ିବାର ୫ଦିନ ପୂର୍ବରୁ ସ୍ଥାନୀୟ ଲୋକମାନଙ୍କ ଭିତରେ ଏକ ଅଜବ ମାହୋଲ ସୃଷ୍ଟି ହୋଇଥିଲା। ଜିନିଷପତ୍ର ପ୍ୟାକିଂରେ ସହାୟତା କରିବା ପାଇଁ ଡାକ୍ତରଖାନାର କିଛି ଷ୍ଟାଫଙ୍କୁ ଅନୁରୋଧ କରିଥିଲେ ହେଁ ସେମାନେ ଅଭିମାନରେ ପ୍ୟାକିଂ କରିବାକୁ ଆସି ନ ଥିଲେ। ବିଦାୟ ନେବା ଦିନ ଘର ସମ୍ମୁଖରେ ଶହ ଶହ ଲୋକ ରୁଣ୍ଡ ହୋଇଯାଇଥିଲେ। ମୁଁ ଚାଲିଯିବା ଖବର ଶୁଣି ସେମାନେ ବିଦାୟ ଦେବାକୁ ଆସିଥିଲେ। ସମନ୍ତେ କାନ୍ଦୁଥିଲେ। ସେମାନଙ୍କ କାନ୍ଦ ଦେଖି ମୁଁ ନିଜକୁ ସମ୍ଭାଳି ପାରି ନଥିଲି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.