ଓଡ଼ିଶା ଅମଲା ସଂଘର ଦାବି ପୂରଣ ନହେଲେ ଜୁନ୍‌ ୨୭ରେ ମୁଖ୍ୟ ଶାସନ ସଚିବଙ୍କ ବାସଭବନ ସମ୍ମୁଖରେ ଧାରଣା

ଭୁବନେଶ୍ୱର : ରାଜ୍ୟର ସାଧାରଣ ପ୍ରଶାସନ ବିଭାଗକୁ ଅଧିକରୁ ଅଧିକ ଲୋକାଭିମୁଖୀ କରିବା ପରିବର୍ତ୍ତେ ଠିକାଦାରୀ ଢଙ୍ଗରେ ବିଭାଗ ଉପରେ ଚାପ ସୃଷ୍ଟି କରି ବ୍ୟବସ୍ଥିତ ପରମ୍ପରାକୁ ଅବ୍ୟବସ୍ଥିତ କରିବାକୁ ପ୍ରୟାସ ଚାଲିଛି। ଦଳୀୟ ଢାଞ୍ଚାରେ ପ୍ରତିଷ୍ଠିତ ସଂଘମାନଙ୍କୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ସଂଘ-ସଂଘ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବାକୁ ଉତ୍ସାହିତ କରାଯାଉଛି ବୋଲି ଓଡ଼ିଶା ଅମଲା ସଂଘ ଅଭିଯୋଗ ଆଣିଛି।

ଆଜି ସଂଘର ଜରୁରୀ କାର୍ଯ୍ୟକାରୀ ପରିଷଦ ବୈଠକରେ ସଂଘର ସଭାପତି ଶତ୍ରୁଘ୍ନ ପାଣିଗ୍ରାହୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ସଂଘର ଜରୁରୀ ଦାବି ଦୀର୍ଘ ଦିନ ହେଲା ଉପସ୍ଥାପନ କରାଯାଇଥିଲେ ହେଁ ଏହାକୁ ଅଣଦେଖା କରାଯାଇଛି। ଠିକା ପ୍ରଥା ଉଚ୍ଛେଦ, ବ୍ଲକଠାରୁ ଜିଲ୍ଲା ପର୍ଯ୍ୟନ୍ତ ପଦବୀ, ଶ୍ରେଣୀ ଓ ଦରମାର ପୁନର୍ଗଠନ, ଭତ୍ତାରେ ସଂଶୋଧନ, ପଦୋନ୍ନତି ମାପକାଠିରେ ଉନ୍ନତିକରଣ, ଅବସର ବୟସ ୬୨କୁ ବୃଦ୍ଧି, ନୂତନ ଦରମା ପ୍ରବର୍ତ୍ତନରେ ରହିଥିବା ତ୍ରୁଟି ଅପସାରଣ, ଷ୍ଟାଣ୍ଡିଂ କମିଟି ଓ ଉଚ୍ଚ କ୍ଷମତାସଂପନ୍ନ କମିଟି ବୈଠକ ମାଧ୍ୟମରେ ସହମତି ଭିତ୍ତିରେ ଆଲୋଚନା ଇତ୍ୟାଦି ଦାବି ଜଣାଯାଇଥିଲେ ହେଁ ଏହାକୁ ଉପେକ୍ଷା କରାଯାଉଛି। ଏହାର ପ୍ରତିବାଦରେ ସଂଘ ରାଜ୍ୟ ସରକାରଙ୍କୁ ୩୦ ଦିନ ମହଲତ୍‌ ଦେବ। ଏହି ସମୟରେ ଦାବି ପୂରଣ ନହେଲେ ସଂଘର ୩୧ଟି ସାଙ୍ଗଠନିକ ଜିଲ୍ଲାର ୨ଜଣ କରି ଏବଂ ରାଜ୍ୟର କର୍ମକର୍ତ୍ତାମାନେ ମୁଖ୍ୟ ଶାସନ ସଚିବଙ୍କ ବାସଗୃହ ସମ୍ମୁଖରେ ଆସନ୍ତା ଜୁନ୍‌ ୨୭ ତାରିଖ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଗଣଧାରଣାରେ ବସିବେ। ଯଦି ଦାବି ପୂରଣ ନହେବ, ତେବେ ଅପରାହ୍ନ ୫ଟା ପରେ ପରିସ୍ଥିତିକୁ ଦେଖି ପରବର୍ତ୍ତୀ କାର୍ଯ୍ୟକ୍ରମ ଘୋଷଣା ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଆଜିର କାର୍ଯ୍ୟକାରୀ ପରିଷଦ ବୈଠକରେ ସଂଘର ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ତ୍ରିପାଠୀ, ରାଜ୍ୟ ଅଣଗେଜେଟେଡ୍‌ କର୍ମଚାରୀ ସମନ୍ଵୟ ସମିତିର ସଭାପତି ଜ୍ୟୋତିରଂଜନ ପଟ୍ଟନାୟକ, ସାଧାରଣ ସମ୍ପାଦକ ବ୍ରଜ କିଶୋର ନନ୍ଦ, ଓଡ଼ିଶା ଅମଲା ସଂଘର ସଙ୍ଗଠନ ସମ୍ପାଦକ ଚିତ୍ତରଂଜନ ତରାସିଆ, କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ନାରାୟଣ ଦାଶ, ବରିଷ୍ଠ ଉପସଭାପତି ଦିଲ୍ଲୀପ ରଥ, ଉପସଭାପତି ଅସିତ ଚରଣ ସ୍ୱାଇଁ, ଗଣମାଧ୍ୟମ ସମ୍ପାଦକ ପ୍ରଦୀପ୍ତ ମହାନ୍ତିଙ୍କ ସମେତ ରାଜ୍ୟ ଓ ଜିଲ୍ଲା କର୍ମକର୍ତ୍ତାମାନେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର