ବ୍ୟକ୍ତିର ଅଗ୍ରଗତିରେ ସହାୟତା କରିଥାଏ ସାହିତ୍ୟ

ସାହିତ୍ୟ ଅକାଦେମି ପକ୍ଷରୁ ‘ଲେଖକଙ୍କ ସହିତ’

ଭୁବନେଶ୍ବର: ସାହିତ୍ୟ ଜଣେ ବ୍ୟକ୍ତିର ଅଗ୍ରଗତିରେ ସହାୟତା କରିଥାଏ। କବିତାର ଗୋଟିଏ ଧାଡ଼ି ଜଣେ କବିକୁ କବିତା ଲେଖିବା ପାଇଁ ପ୍ରେରଣା ଯୋଗାଇଥାଏ। ଏଥିପାଇଁ ପରିଶ୍ରମୀ ହେବା ସହିତ ପ୍ରଚୁର ଅନୁଭୂତି ଓ ଜ୍ଞାନ ପଛରେ ଦୌଡ଼ିବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ବିଶିଷ୍ଟ କବି ପ୍ରମୋଦ କୁମାର ମହାନ୍ତି। ଆଜି କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ‘ଲେଖକଙ୍କ ସହିତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ବିଜୟାନନ୍ଦ ସିଂହଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ମହାନ୍ତି କହିଲେ, ହାଇସ୍କୁଲରେ ପଢ଼ିବା ସମୟରୁ ଲେଖିବାର ଅଭ୍ୟାସ ଆରମ୍ଭ ହୋଇଥିଲା। ଗାଁର ବରଗଛ, ନଈକୂଳ, ବର୍ଷାଦିନର ବନ୍ୟା, ଧାନ କ୍ଷେତ ଓ କାଜୁ ଜଙ୍ଗଲ ପ୍ରଭୃତି ଭଲ ଲେଖିବାରେ ସହାୟତା କରିଛି। ଜୀବନରେ ଅନେକ ବନ୍ଧୁ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଛନ୍ତି। ଈଶ୍ବରଙ୍କ ଇଚ୍ଛାରେ ଜୀବନ ଗତି କରିଥାଏ। ତେଣୁ ଈଶ୍ବରଙ୍କ ଉପରେ ଗଭୀର ବିଶ୍ବାସ ରହିଛି। ୭ବର୍ଷ ବୟସରେ ବାପାଙ୍କ ଦେହାନ୍ତ ପରେ ବହୁ ଦୁଃଖ କଷ୍ଟରେ ଜୀବନ ବିତାଇବାକୁ ପଡ଼ିଛି। ଏହାସତ୍ବେ ମଧ୍ୟ ତାଙ୍କ ଆଗକୁ ବଢ଼ିବାର ଉତ୍ସାହକୁ ରୋକିପାରି ନାହିଁ। ସେ ଆହୁରି ମଧ୍ୟ କହିଥିଲେ ଯେ, ବିଶିଷ୍ଟ କବି ରମାକାନ୍ତ ରଥ ତାଙ୍କର ପ୍ରିୟ ସାହିତ୍ୟିକ। ତାଙ୍କୁ ବାଦ୍ ରାଜେନ୍ଦ୍ର ପଣ୍ଡା, ସୀତାକାନ୍ତ ମହାପାତ୍ର ଓ ଦେବଦାସ ଛୋଟରାୟ ମଧ୍ୟ ବେଶ ଉଚ୍ଚକୋଟୀର ସାହିତ୍ୟିକ। ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ ଉଭୟ ଗଦ୍ୟ ଓ ପଦ୍ୟରେ ଚମତ୍କାର ଭାବେ ଲେଖିପାରନ୍ତି ବୋଲି ଶ୍ରୀ ମହାନ୍ତି କହିଥିଲେ। ପରେ ବିଭିନ୍ନ ପ୍ର‌ଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ସାହିତ୍ୟ ଅକାଦେମି ଆଞ୍ଚଳିକ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ମିହିର କୁମାର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଦୀପ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ। କ୍ଷେତ୍ରବାସୀ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର