୬୦ ପରିବାରକୁ ବିଦ୍ୟୁତ କାଟ : ଡିବିରି ଆଲୁଅ ଦେଖାଇ ପ୍ରତିବାଦ

ବାଲିଅନ୍ତା : ବକେୟା ବିଲ୍‌ ଦେଇ ନଥିବାରୁ ବାଲିଅନ୍ତା ବ୍ଲକ ଅଧୀନ ଆଣ୍ଠୁଆରି ଗ୍ରାମର ନାଏକ ସାହିରେ ୬୦ ଦଳିତ ପରିବାରଙ୍କ ଘରକୁ ବିଦ୍ୟୁତ ବିଛିନ୍ନ କରିଦିଆଯାଇଛି। ଫଳରେ ଗତ ୩ ଦିନ ଧରି ଗାଁ ଅନ୍ଧାରରେ ରହିଛି। ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବିଭାଗ ପକ୍ଷରୁ ବିଦ୍ୟୁତ କାଟ ଯୋଗୁ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ବାର୍ଷିକ ପରୀକ୍ଷା ଚାଲିଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା‌ ବାଧାପ୍ରାପ୍ତ ହେଉଛି। ୪ ବର୍ଷର ସଂପୂର୍ଣ୍ଣ ବକେୟା ବିଲ୍‌ ପୈଠ କଲେ ବିଦ୍ୟୁତ ସଂଯୋଗ ଦିଆଯିବ କହି କାର୍ଯ୍ୟରତ କମ୍ପାନି କର୍ମଚାରୀମାନେ ଚାପ ପକାଉଥିବାରୁ ଗରିବ ଶ୍ରେଣୀର ଏହି ଉପଭୋକ୍ତାମାନେ ଚିନ୍ତାରେ ପଡ଼ିଛନ୍ତି। ଏହାର ପ୍ରତିବାଦରେ ଆଜି ଉପଭୋକ୍ତାମାନେ ପିଲାଛୁଆଙ୍କ ସହିତ ଟ୍ରାନ୍ସଫର୍ମର ନିକଟରେ ଏକାଠି ହୋଇ ରାସ୍ତା ଅବରୋଧ କରିଥିଲେ। ହାତରେ ଡିବିରି, ଲଣ୍ଠନ ଓ ଲ୍ୟାମ୍ପ ଜଳାଇ ବିଭାଗ ବିରୋଧରେ ବିଭିନ୍ନ ସ୍ଳୋଗାନ ଦେଇଥିଲେ। ବିଦ୍ୟୁତ କର୍ମଚାରୀମାନେ ପ୍ରତିମାସରେ ସେମାନଙ୍କ ବିଲ ଆଦାୟ ନକରି ପ୍ରଚଣ୍ଡ ତାତି ସମୟରେ ବିଦ୍ୟୁତ ଲାଇନ କାଟି ଜୁଲମ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ତେବେ ସମସ୍ତ ଉପଭୋକ୍ତା ୫୦୦ ଟଙ୍କା ଲେଖାଏଁ ସଂଗ୍ରହ କରି ବିଲ୍‌ ବାବଦକୁ ଦେବାକୁ କର୍ତୃପକ୍ଷଙ୍କୁ ଜଣାଇଥିଲେ ହେଁ ପରିବାର ପିଛା ୪୦୦୦ ଟଙ୍କା ଲେଖାଏଁ ଦେବାକୁ ଅଧିକାରୀମାନେ ଦାବି କରିଛନ୍ତି। ଏ ଦିଗରେ ନିର୍ବାହୀ ଯନ୍ତ୍ରୀ ତୁରନ୍ତ ଦୃ‌ଷ୍ଟି ଦେବାକୁ ଦାବି ହେଉଛି। ସୂଚନାଯୋଗ୍ୟ ଗତ ୨୦୧୪/୧୫ ଆର୍ଥିକ ବର୍ଷରେ ନାଏକ ସାହିକୁ ବିପିଏଲ ଲାଇନ ସଂଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର