ସଜେଇ ହେଉଛି ପୂଜାମଣ୍ଡପ ଆସୁଛନ୍ତି ଅଗ୍ରପୂଜ୍ୟ

ଭୁବନେଶ୍ୱର: ଆସୁଛନ୍ତି ପାର୍ବତୀନନ୍ଦନ। ଚଳଚଞ୍ଚଳ ହେଲାଣି ପୂଜାମଣ୍ଡପ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନିଆରା ଢଙ୍ଗରେ ଅଗ୍ରପୂଜ୍ୟଙ୍କୁ ଆବାହନ ପାଇଁ ଚାଲିଛି ପ୍ରତିଯୋଗିତା। କେଉଁଠି ଦୀର୍ଘକାୟ ମୂର୍ତି ପ୍ରସ୍ତୁତ ହେଉଛି ତ କେଉଁଠି ବିଭିନ୍ନ ଥିମ୍‌କୁ ନେଇ ପ୍ରସ୍ତୁତ ହୋଇଛି ପୂଜା ମଣ୍ଡପ। ଚଳିତ ବର୍ଷ ଏମିତି କିଛି ପୂଜା ମଣ୍ଡପକୁ ନେଇ ଆମର ଉପସ୍ଥାପନା…

୪୫ ଫୁଟର ମୁମ୍ବାଇ ଲାଲ୍‌ବାଗ୍‌ ଗଣେଶ, ଧରିବେ ୫୧ କେଜିର ଲଡ଼ୁ
ସହିଦ ନଗର ଓ୍ଵିନର୍ସ୍‌ ଆସୋସିଏସନ୍‌ ପକ୍ଷରୁ ୪୫ ଫୁଟ୍‌ ଉଚ୍ଚର ଗଣେଶ ମୂର୍ତି ପ୍ରସ୍ତୁତ କରାଯାଇଛି। ମୁମ୍ବାଇର ଲାଲ୍‌ବାଗ୍‌ ମୂର୍ତି ଶୈଳୀରେ ଏହା ନିର୍ମିତ ହୋଇଥିବା ବେଳେ ଗଣେଶଙ୍କ ହାତରେ ୫୧ କେଜିର ଲଡ଼ୁ ଏବଂ୧୫ ଫୁଟ ଉଚ୍ଚର ମୂଷା ବାହନ ଆକର୍ଷଣ ସାଜିବ। ୧୨ଜଣ କୋଲ୍‌କାତା ଓ ଓଡ଼ିଆ କାରିଗର ଏହି ମୂର୍ତି ପ୍ରସ୍ତୁତି ପାଇଁ ଦେଢ଼ମାସ ସମୟ ନେଇଛନ୍ତି। ଗଣେଶଙ୍କ ଅଳଙ୍କାର ଓ ମେଢ଼ ତିଆରି କାମ ପୁରୀ କାରିଗରଙ୍କୁ ଦିଆଯାଇଛି। ମୂର୍ତି ତିଆରି ପାଇଁ ୩ରୁ ସାଢ଼େ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ଆସୋସିଏସନ୍‌ର ଉପଦେଷ୍ଟା ଉମାନାଥ ମିଶ୍ର କହିଛନ୍ତି। ଭସାଣିରେ ପାରମ୍ପରିକ ବାଦ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରିନ୍‌ସ୍‌ ଡ୍ୟାନ୍ସ ଗ୍ରୁପ୍‌ର ନୃତ୍ୟ ଓ ଖୋର୍ଧା ପାଇକ ଆଖଡ଼ା ଦଳର ଯୁଦ୍ଧଶୈଳୀ ପରିବେଷଣ ହେବ।

ଚାଉଳରେ ବିନାୟକ
ଅଶୋକନଗର ୟୁଥ୍‌ ଆସୋସିଏସନ୍‌ ପକ୍ଷରୁ ଶୁଦ୍ଧ ଅରୁଆ ଚାଉଳରେ ପ୍ରସ୍ତୁତ ବିନାୟକ ଦେଖିବାକୁ ମିଳିବେ। ପାହାଡ଼ ଉପରେ ମନ୍ଦିର ଏବଂ ବାଘ, ଭାଲୁ ଓ ହାତୀଙ୍କ ମେଳରେ ପ୍ରଭୁ ଗଣେଶ ବିରାଜମାନ ହେବେ। ୧୭ ହଜାର ଟଙ୍କା ମୂଲ୍ୟରେ ତିଆରି ହୋଇଛି ମୂର୍ତି। ପୂଜା ଭଗବାନଙ୍କ ପାଇଁ ସମର୍ପିତ ଥିବାରୁ ଏହି କ୍ଲବ ତରଫରୁ କୌଣସି ମେଲୋଡି କାର୍ଯ୍ୟକ୍ରମ ହେବ ନାହିଁ ବୋଲି କ୍ଲବର ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି।

ହାତୀ ଶୁଣ୍ଢର ଗଣେଶ
ଗଣେଶ ପୂଜାରେ କିଛି ସାମାଜିକ ବାର୍ତ୍ତା ଦେବାକୁ ଉଦ୍ୟମ କରିଛି ‘କ୍ଲବ୍‌ ଫର୍‌ ୟୁ’। ହାତୀମାନଙ୍କୁ ସୁରକ୍ଷା ଦେବା ଓ ନୂତନ ଜଙ୍ଗଲ ସୃଷ୍ଟି କରିବାର ବାର୍ତା ଦେଇ ପୂଜା ଅନୁଷ୍ଠିତ ହେଉଛି। ହାତୀ ଶୁଣ୍ଢର ଗଣେଶଙ୍କୁ ଏଠାରେ ପୂଜା କରାଯିବ। ଗଣେଶଙ୍କ ନିକଟରେ ଶାନ୍ତିର ପ୍ରତୀକ ବୁଦ୍ଧଦେବ, ଜଗନ୍ନାଥ ଓ ଦାସିଆ ବାଉରିଙ୍କ ମୂର୍ତ୍ତି ରହିବ। ୭ ଦିନ ପର୍ଯ୍ୟନ୍ତ ପ୍ରଭୁ ପୂଜା ପାଇବେ। ଚଳିତ ବର୍ଷ ଭସାଣିରେ ଡିଜେ ଓ ଟିଣ ବାଜାର ବ୍ୟବସ୍ଥା ରହିଥିବା ନେଇ ଚିତ୍ତରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ଶାନ୍ତି ପ୍ରତିଷ୍ଠା ପାଇଁ ୭ ଦିନ ଧରି ଯଜ୍ଞ
ପାହାଡ଼, ତା’ଭିତରେ ଅସୁର ମୁଣ୍ଡ ଏବଂ ତା ଭିତରେ ଛୋଟ ଗୁମ୍ଫା। ଆଉ ଗୁମ୍ଫା ଭିତରେ ମାତା ପାର୍ବତୀଙ୍କ ପୁତ୍ର ଗଣେଶ। ଚଳିତ ବର୍ଷ ଏଭଳି ଭିନ୍ନ ଧରଣର ମେଢ ପ୍ରସ୍ତୁତ କରିଛିି ଅଶୋକ ନଗର ଜେ ଏମ୍‌ କ୍ଲବ। ଗଣେଶ ପୂଜାଠାରୁ ୭ ଦିନ ଧରି ଶାନ୍ତି ପ୍ରତିଷ୍ଠା ପାଇଁ ଯଜ୍ଞ କରାଯିବ। ବୁଧବାର ଭସାଣିରେ ଡିଜେ ଓ ସମ୍ବଲପୁରୀ ବାଜାର ଆୟୋଜନ ହୋଇଛି ବୋଲି କ୍ଲବ୍‌ର କର୍ମକର୍ତ୍ତା ମାନସ ନାୟକ କହିଛନ୍ତି।

ହାତୀ ଉପରେ ବିଜେ କରିବେ ଗଣେଶ
ହାତୀ ଉପରେ ବସିବେ ୯ ଫୁଟର ଗଣେଶ। ବଙ୍ଗାଳି ମିସ୍ତ୍ରୀଙ୍କ ଦ୍ୱାରା ଏହା ପ୍ରସ୍ତୁତ ହେଉଛି। କ୍ଲବ୍‌ ଉଷାଲୋକ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଗଣେଶ ପୂଜାରେ ପ୍ରତ୍ୟେକ ଦିନ ପ୍ରସାଦରେ କାନିକା ଅନ୍ନର ବ୍ୟବସ୍ଥା କରାଯାଇଛି। ରାସ୍ତା ଖରାପ କାରଣରୁ ଭସାଣି ଉତ୍ସବ ଆୟୋଜନ କରାଯିବ ନାହିଁ ବୋଲି କ୍ଲବ୍‌ ପକ୍ଷରୁ ନାରାୟଣ ମହାନ୍ତି କହିଛନ୍ତି।

କେରଳ ବନ୍ୟା ପ୍ରପୀଡ଼ିତଙ୍କ ଉଦ୍ଧାରକର୍ତା ଗଣେଣ
ସମସାମୟିକ ପ୍ରସଙ୍ଗକୁ ନେଇ ନିଆରା ଢଙ୍ଗରେ ଗଣେଶ ପୂଜା କରୁଥିବା ୟୁନିଟ୍‌-୮ ଗଣେଶ ପୂଜା କମିଟି ଚଳିତ ବର୍ଷ କେରଳ ବନ୍ୟାକୁ ବିଷୟବସ୍ତୁ ଭାବେ ବାଛିଚି। ବନ୍ୟା ପ୍ରଭାବିତ ଲୋକଙ୍କୁ ଭଗବାନ ଗଶେଶ କିଭଳି ଉଦ୍ଧାର କରୁଛନ୍ତି, ତାହା ଏହି ଗଣେଶ ପୂଜାରେ ଦେଖିବାକୁ ମିଳିବ।

ଗୋଟା ବିରିରେ ୧୦ ଫୁଟିଆ ଗଣେଶ
ବୁଦ୍ଧେଶ୍ୱରୀ କଲୋନି ମା’ ମଙ୍ଗଳା ୟୁଥ୍‌ କ୍ଲବ ପକ୍ଷରୁ ଚଳିତ ବର୍ଷ ୧୦ ଫୁଟ ଉଚ୍ଚତାର ବିରିରେ ପ୍ରସ୍ତୁତ ଗଣେଶଙ୍କୁ ଦେଖିବାକୁ ମିଳିବ। ସମ୍ପୂର୍ଣ୍ଣ ଶରୀର ଚୋପା ଛଡ଼ା ଗୋଟା ବିରିରେ ପ୍ରସ୍ତୁତ ହୋଇଥିବା ବେଳେ ରୁଦ୍ରାକ୍ଷ ପାଟ ପରିଧାନ କରିଛନ୍ତି। ଉତ୍ତରୀୟ ଗୋଟା ମୁଗରେ ତିଆରି ହୋଇଥିବା ବେଳେ ଆଖି ଓ ଭ୍ରୂଲତା ଚା’ ପତି ଦାନାରେ ପ୍ରସ୍ତୁତ ହୋଇଛି। ତୃତୀୟ ଦିନ ୫ ହଜାର ଲୋକଙ୍କ ପାଇଁ ‘ହରିହାଟ’ର ବ୍ୟବସ୍ଥା କରାଯିବ ବୋଲି କ୍ଲବ୍‌ର ସମ୍ପାଦକ ସଞ୍ଜୟ କୁମାର ଆଚାର୍ଯ୍ୟ କହିଛନ୍ତି।

୪୦ ଫୁଟର ତୋରଣ ମୁଖ୍ୟ ଆକର୍ଷଣ
ନୂଆସାହି ଆଖଣ୍ଡଳମଣି ପୂଜା କମିଟି ଓ ମୋରିଆ ଗ୍ରୁପ୍‌ର ମିଳିତ ଆନୁକୂଲ୍ୟରେ ଆଖଣ୍ଡଳମଣି ସେବା ସଂସଦ ପ୍ରାଙ୍ଗଣରେ ଚଳିତବର୍ଷ ଗଣେଶ ପୂଜା ଅନୁଷ୍ଠିତ ହେଉଛି। ଏଥର ମୁଖ୍ୟ ଆକର୍ଷଣ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ୪୦ ଫୁଟ ଚଉଡ଼ା ଓ ୫୦ ଫୁଟ ଉଚ୍ଚତା ବିଶିଷ୍ଟ ତୋରଣ ବୋଲି କହିଛନ୍ତି କମିଟିର ବାର୍ତା ସଂପାଦକ ଦେବବ୍ରତ ମହାନ୍ତି। ନୂଆସାହି ଆଖଣ୍ଡଳମଣି ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଲେ, ସପ୍ତାହବ୍ୟାପୀ ଭଜନ ସମାରୋହ ଓ ମେଲୋଡି ସହ କୁନି କୁନି ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅନ୍ୟମାନଙ୍କ ମଧ୍ୟରେ କମିଟିର ସଂପାଦକ ସାଗର ବଳବନ୍ତରାୟ, କୋଷାଧ୍ୟକ୍ଷ ବିଶ୍ୱଜିତ ବଳବନ୍ତରାୟ, ସିତୁ ବଳବନ୍ତରାୟ, ରାକେଶ ମହାନ୍ତି, ସୁଜିତ ରାୟ, ସନ୍ତୋଷ ସାହୁ, ମହେନ୍ଦ୍ର ବେହେରା ଓ ଶିବ ଶଙ୍କର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର