୧୪ରୁ ୭ମ ଆଧ୍ୟାତ୍ମିକ ପୁସ୍ତକ ମେଳା

ଭୁବନେଶ୍ୱର: ଚଳିତମାସ ୧୪ ତାରିଖରୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ସପ୍ତମ ଆଧ୍ୟାତ୍ମିକ ପୁସ୍ତକ ମେଳା। ପୁରୀ ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଏହି ମେଳା ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତୀୟ ଧର୍ମ, ଦର୍ଶନ ଓ ସଭ୍ୟତା ନେଇ ବିଭିନ୍ନ ଭାଷାର ଆଧ୍ୟାତ୍ମିକ ପୁସ୍ତକ ସହ ଶାସ୍ତ୍ର, ପୁରାଣ, ଗୀତା ଓ ଉପନିଷଦ ଆଦି ଏହି ମେଳାରେ ଉପଲବ୍ଧ ହେବ ବୋଲି କହିଛନ୍ତି ପୁସ୍ତକ ମେଳା କମିଟିର ଅଧ୍ୟକ୍ଷ ମୁରଲୀ ମନୋହର ଶର୍ମା। ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା କହିଲେ, ୧୦ଦିନ ବ୍ୟାପୀ ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୫୦ରୁ ଅଧିକ ଆଧ୍ୟାତ୍ମିକ ପୁସ୍ତକ ପ୍ରକାଶନ ସଂସ୍ଥା ଓ ଧାର୍ମିକ ଅନୁଷ୍ଠାନ ଅଂଶଗ୍ରହଣ କରିବେ। ପ୍ରତିଦିନ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆଧ୍ୟାତ୍ମିକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ୧୬ ତାରିଖରେ ରାଜ୍ୟସ୍ତରୀୟ ‘ଉତ୍କଳୀୟ ସଭ୍ୟତା ଓ ଶ୍ରୀଜଗନ୍ନାଥ ସଂସ୍କୃତି’ ଉପରେ ଆଲୋଚନା ହେବ। ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଂପ୍ରତିକ ସମାଜରେ ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ମନୋଭାବ ସୃଷ୍ଟି କରିବା ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟର ଅଧ୍ୟକ୍ଷ ଭାଗୀରଥି ବେହେରା, ଉପଦେଷ୍ଟା ଅଶ୍ୱିନୀ କୁମାର ଦାସ, ସଂପାଦକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, କାର୍ଯ୍ୟକ୍ରମ ସଂଯୋଜକ ଭବାନୀ ପ୍ରସାଦ ବଳିଆରସିଂହ ଓ ସଂଯୋଜକ ମଦନ ମୋହନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର