କାନ୍ତା ଓ ସହଯୋଗୀଙ୍କ ଗିରଫ ଦାବିରେ କମିସନରଙ୍କ କାର୍ଯ୍ୟାଳୟ ଘେରାଉ

ଦୀପାବଳି ରାତିରେ ୪ ଯୁବକଙ୍କୁ ଛୁରାମାଡ଼ ଘଟଣା

ଭୁବନେଶ୍ୱର : ଦୀପାବଳି ରାତିରେ ଖାରବେଳନଗର ଥାନା ଅଧୀନ ହାଉସିଂବୋର୍ଡ ଛକରେ ୪ ଜଣ ଯୁବକଙ୍କୁ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ କାନ୍ତା ରେଡ୍ଡି ଏବେ କେଉଁଠି ଅଛି, ତିନି ସପ୍ତାହ ପରେ ପୁଲିସ ଜାଣି ପାରୁନାହିଁ। ଅଭିଯୁକ୍ତମାନଙ୍କୁ ଗିରଫ ଦାବି କରି ଦୁଇ ସପ୍ତାହ ତଳେ ‘ଓଡ଼ିଶା ବିକାଶ ପରିଷଦ’ର ଶତାଧିକ ଯୁବକ ଖାରବେଳନଗର ଥାନା ଘେରାଉ କରିଥିଲେ। ଏ ନେଇ ପରିଷଦ ପକ୍ଷରୁ ଏକ ସ୍ମାରକପତ୍ର ପୁଲିସକୁ ପ୍ରଦାନ କରାଯାଇଥିଲା। ପୁଲିସ ସ୍ମାରକପତ୍ର ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏଯାଏ ପୁଲିସ ଜଣେ ବି ଅଭିଯୁକ୍ତକୁ ଗିରଫ କରିବାକୁ ସକ୍ଷମ ହୋଇ ନାହିଁ। ଶେଷରେ ଆଜି ପୁଣିଥରେ ପୁଲିସ କମିସନରଙ୍କ କାର୍ଯ୍ୟାଳୟ ଘେରାଉ କରିଛି ଓଡ଼ିଶା ବିକାଶ ପରିଷଦ।

ଓଡ଼ିଶା ବିକାଶ ପରିଷଦ ମୁଖ୍ୟ ସୁଶାନ୍ତ ପାଢ଼ୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଦୀପାବଳି ରାତିରେ ଖାରବେଳନଗର ଥାନା ଅଧୀନ ୧୧ ତାଲା ହାଉସିଂବୋର୍ଡ ଛକରେ ପରିଷଦର ସଦସ୍ୟ ଆଲୋକ ଦାସ, ଚିନ୍ମୟ କୁମାର ସାହୁ, ଅମିତ ଦାସ, ଭରତ ଚକ୍ରବର୍ତୀ, ରାକେଶ ମଲ୍ଲିକ, ଜଗନ୍ନାଥ ଦାସ ପ୍ରମୁଖ ବାଣ ଫୁଟାଉଥିଲେ। ଏହି ସମୟରେ ପ୍ରେସ୍‌ କଲୋନିର କାନ୍ତା ରେଡ୍ଡି ସେହି ରାସ୍ତାରେ ଯାଉଥିଲେ। ବାଣ ଫୁଟାଇବାକୁ ନେଇ କାନ୍ତାଙ୍କ ସହିତ ଆଲୋକଙ୍କ ଯୁକ୍ତିତର୍କ ହୋଇଥିଲା। ଏହା ପରେ କାନ୍ତା ଓ ତାଙ୍କର ୩୦ରୁ ଅଧିକ ସହଯୋଗୀ ହାତରେ ଲୁହାରଡ଼, ଗୁପ୍ତି, ହକି ଷ୍ଟିକ୍‌ ଆଦି ଧରି ୧୧ତାଲା ହାଉସିଂବୋର୍ଡ ଛକରେ ପହଞ୍ଚିଥିଲେ। ସେମାନେ ଆଲୋକ, ଚିନ୍ମୟ, ଅମିତ, ଭରତ ଓ ରାକେଶଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଏ ନେଇ ଆଲୋକ ପ୍ରମୁଖ ଅନ୍ୟମାନେ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ଉଦ୍ୟମ ସମେତ ୧୦ଟି କଡ଼ା ଦଫାରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ଭାବେ ପୁଲିସ କାନ୍ତା ରେଡ୍ଡି ଓ ତାର ସହଯୋଗୀ ସୌମ୍ୟରଂଜନ, ବାପୁନ ବେହେରା, ଆଲଫନ୍‌ ଦେ, ମିଥୁନ ଭୂୟାଁ, ପ୍ରଶାନ୍ତ ନାୟକ, ନିଖିଲେଶ ମିଶ୍ର, ସନତ ସୁଶାନ୍ତ ପଣ୍ଡା, ସଂଜୟ କୁମାର ସ୍ୱାଇଁ, ଶୁକଦେବ କାଠୁଆ, ଛବି ସେଠୀଙ୍କ ନାଁ ରହିଛି। ଘଟଣାକୁ ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ପୁଲିସ ଏଯାଏ କାହାରିକୁ ଗିରଫ କରିବାକୁ ସକ୍ଷମ ହୋଇ ନାହିଁ।

ସମ୍ବନ୍ଧିତ ଖବର