ଭୁବନେଶ୍ୱର: ସକାଳୁ ସକାଳୁ ଇନ୍ଦିରା ଗାନ୍ଧୀ ପାର୍କରେ ମର୍ଣ୍ଣିଂଓ୍ଵାକ୍ କଲା ବେଳେ…ଜୟଦେବ ସାମ୍ନା ଓମ୍ଫେଡ୍ ପାଖରେ ଚା’ ଖଟି ଚାଲିଲା ବେଳେ… ପୁରୁଣା ବସ୍ଷ୍ଟାଣ୍ଡ୍ରେ ଖବରକାଗଜ ଓ ପତ୍ରିକା ଆଡ଼େଇଲା ବେଳେ…। ସକାଳର ନିର୍ଜନତା ଭାଙ୍ଗି ଭାସି ଆସେ ତାଜା ସମ୍ବାଦ। ଜୟଦେବ ଭବନର ରେଡିଓରୁ ସିଧାସଳଖ ଲାଉଡ୍ ସ୍ପିକର୍ ଦିଆଯାଇ ଏହି ଖବର ପ୍ରସାରଣ କରାଯାଏ। ଲୋକଙ୍କ ଆଗ୍ରହ ଥାଉ ବା ନ ଥାଉ, କାନରେ ବାଜିଯାଏ, ରାଜ୍ୟ ତଥା ଦେଶ ଦୁନିଆର ଖବର। ଆଉ ସଙ୍ଗେ ସଙ୍ଗେ ସେହି ଖବର ହିଁ ପାଲଟିଯାଏ ମର୍ଣ୍ଣିଂଓ୍ଵାକ୍ ଓ ଖଟିର ବିଷୟବସ୍ତୁ। ଦୀର୍ଘ ୪୦ବର୍ଷ ଧରି ଚାଲିଥିବା ଏହି ପରମ୍ପରାର ଏବେ ଯବନିକା ପଡ଼ିଛି। ଆଉ ଶୁଭୁନି ରେଡିଓର ସେହି ସ୍ୱର। ଏପରିକି ଟିଭିରୁ ପ୍ରସାରଣ ହେଉଥିବା ଖବର ବି ବନ୍ଦ କରି ଦିଆଯାଇଛି। କେବଳ ସକାଳେ ନୁହେଁ, ମଧ୍ୟାହ୍ନ ଓ ସନ୍ଧ୍ୟାର ଖବର ପ୍ରସାରଣ ବି ବନ୍ଦ ହୋଇଛି। ଜୟଦେବ ଭବନର ଚତୁର୍ଦ୍ଦିଗରେ ସକାଳର ନିର୍ଜନତାକୁ ଆଉ ଭାଙ୍ଗୁନି ସେହି ଗୁରୁଗମ୍ଭୀର ସ୍ୱର। ନିୟମିତ ଭାବେ ଖବର ଶୁଣୁଥିବା ଲୋକମାନଙ୍କୁ ପ୍ରଥମେ ପ୍ରଥମେ ଏହା ଅସ୍ୱାଭାବିକ ଲାଗୁଥିଲା। କିନ୍ତୁ ସାତ ମାସ ହେବ ତାହା ବନ୍ଦ ହୋଇଯିବାରୁ ସେମାନେ ବି ଆଉ ଅପେକ୍ଷା କରୁନାହାନ୍ତି ଏହି ଖବର ପ୍ରସାରଣକୁ। ୪୦ ବର୍ଷ ତଳେ ସୂଚନା ଭବନ (ବର୍ତ୍ତମାନର ଜୟଦେବ ଭବନ)ରେ ରେଡିଓରୁ ଲାଉଡ୍ ସ୍ପିକର୍ ଯୋଗେଁ ଖବର ପ୍ରସାରଣର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ସୂଚନା ଭବନର ନାମକୁ ଏହା ସାର୍ଥକ କରୁଥିଲା। ପରବର୍ତ୍ତୀ ସମୟରେ ଦୂରଦର୍ଶନକୁ ମଧ୍ୟ ଏଥିରେ ଯୋଡ଼ି ଦିଆଗଲା। ସେଠାରୁ ଖବର ଶୁଣିବା ପାଇଁ କିଛି ବର୍ଷ ପୂର୍ବରୁ ସଚିବାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ କାନ ଡେରି ବସୁଥିଲେ। ବହୁ ଲୋକ ସନ୍ଧ୍ୟାରେ ଅଫିସ୍ କାମ ସାରି ସେପଟେ ଫେରିଲା ବେଳେ ଅଟକି ଯାଉଥିଲେ ଖବର ଶୁଣିବା ପାଇଁ। ପୁଣି ସନ୍ଧ୍ୟା ସମୟରେ ଇନ୍ଦିରା ଗାନ୍ଧୀ ପାର୍କକୁ ଅବସର ବିନୋଦନ ପାଇଁ ଆସୁଥିବା ଲୋକମାନେ ବି ଅପେକ୍ଷାରେ ରହୁଥିଲେ ଖବର ଶୁଣିବାକୁ। ବିଭିନ୍ନ ଆନ୍ଦୋଳନ, ବିକ୍ଷୋଭ ଚାଲିଥିଲା ବେଳେ ଆନ୍ଦୋଳନକାରୀମାନଙ୍କ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଜାଣିବାର ପ୍ରମୁଖ ମାଧ୍ୟମ ଥିଲା ଜୟଦେବ ଭବନ ରେଡିଓ। ଏହି ବ୍ୟବସ୍ଥାକୁ ଚଳାଇବା ପାଇଁ ସ୍ୱତନ୍ତ୍ର ଭାବେ କର୍ମଚାରୀ ନିଯୁକ୍ତି ଦିଆଯାଇଥିଲା। ସକାଳୁ ରାତି ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ ସେ ଖବର ପ୍ରସାରଣ କରୁଥିଲେ। ତା’ ସହିତ ରାଜ୍ୟ ସୂଚନା କେନ୍ଦ୍ର ପକ୍ଷରୁ ‘ଆଜିର ସମ୍ବାଦ’ ନାମରେ ମଧ୍ୟ ଏଠାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରସାରଣ ହେଉଥିଲା। ସୂଚନା ଭବନ ପ୍ରେକ୍ଷାଳୟରେ ଥିବା କାର୍ଯ୍ୟକ୍ରମର ତାଲିକା ଏଥିରେ ଘୋଷଣା କରାଯିବା ସହ କେଉଁମାନେ ଅତିଥି ଭାବେ ଯୋଗଦେଉଛନ୍ତି ସେ ସମ୍ପର୍କରେ ଅବଗତ କରାଯାଉଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୭ ମସିହା ଡିସେମ୍ବର ମାସରୁ ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀଜଣଙ୍କ ଅବସର ନେଇଛନ୍ତି। ତାଙ୍କ ପରେ ଆଉ କର୍ମଚାରୀ ନିଯୁକ୍ତି ଦିଆଯାଇ ନାହିଁ। ଏହି ସେବା ସବୁଦିନ ପାଇଁ ଆପାତତଃ ବନ୍ଦ ହୋଇଯାଇଛି। ଫଳରେ ରେଡିଓ ଓ ଟିଭିର ସ୍ୱର ଆଉ କାହା କାନରେ ବାଜୁ ନାହିଁ କି ସକାଳେ, ସନ୍ଧ୍ୟାରେ ଖବର ଶୁଣିବାକୁ ଜୟଦେବ ଭବନ ନିକଟରେ କାହାର ପାଦ ଅଟକିଯାଉ ନାହିଁ। ଯୁକ୍ତି କରାଯାଉଛି ଯେ ବର୍ତ୍ତମାନର ମୋବାଇଲ୍ ଓ ଇଣ୍ଟର୍ନେଟ୍ ଯୁଗରେ ଜୟଦେବ ଭବନରୁ ରେଡିଓ ଓ ଦୂରଦର୍ଶନ ଖବର ଶୁଣିବାକୁ ଆଉ ଲୋକଙ୍କର ଆଗ୍ରହ ନାହିଁ। ଏହି ଯୁକ୍ତି ବଳରେ ସରକାର ବ୍ୟବସ୍ଥାଟିକୁ ଅଟକାଇ ଦେଇଛନ୍ତି ସତ। କିନ୍ତୁ ଜୟଦେବ ଭବନରୁ ଖବର ପ୍ରସାରଣର ଯେ ଆବଶ୍ୟକତା ନାହିଁ, ତାହାକୁ ଗ୍ରହଣ କରିବାକୁ ବହୁ ଲୋକ ନାରାଜ। ଏବେ ବି ସେହି ରାସ୍ତାରେ ଚାଲିଯାଉଥିବା ପଥଚାରୀ ଓ ପାର୍କକୁ ମର୍ଣ୍ଣିଂଓ୍ଵାକ୍ କରିବାକୁ ଆସୁଥିବା ଲୋକମାନେ ଏହି ରେଡିଓର ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି। ତା’ ସହ ଜୟଦେବ ଭବନରୁ ମିଳୁଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ସୂଚନା ଲୋକଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। ଜୟଦେବ ଭବନରେ ଥିବା ପାଠାଗାରକୁ ସକାଳ ୭ଟାରୁ ଆସୁଥିବା ଛାତ୍ରଛାତ୍ରୀ ପାଇଁ ମଧ୍ୟ ଏଠାରେ ବାଜୁଥିବା ରେଡିଓ ଓ ଟିଭିର ଆବଶ୍ୟକତା ଅନେକ ପରିମାଣରେ ରହିଛି।