ଏତେ ପାତରଅନ୍ତର! ଭଲକୁ ମାଖୁଛନ୍ତି, ଖରାପକୁ ଅନାଉ ନାହାନ୍ତି

ଭୁବନେଶ୍ବର : ପୂର୍ତ୍ତ ବିଭାଗ ଏବେ ଭଲ ରାସ୍ତା ଯୋଗାଇବା, ଡ୍ରେନ୍ ନିର୍ମାଣ କରିବାରେ ପାତରଅନ୍ତର କରୁଥିବା ରାଜଧାନୀବାସୀ ଅଭିଯୋଗ କଲେଣି। ଅଭିଯୋଗ ଯେ ରାଜଧାନୀର କିଛି ରାସ୍ତାକୁ ବର୍ଷକୁ ଦୁଇଥର ମରାମତି କରାଯାଉଥିବା ବେଳେ ଆଉ କିଛି ରାସ୍ତା ବର୍ଷ ବର୍ଷ ଧରି ମରାମତି ହେଉନି। ଯେଉଁଠି କେହି ଅଭିଯୋଗ କରିବାକୁ ନାହାନ୍ତି, ସେଠାରେ ପୂର୍ତ୍ତ ବିଭାଗ ମନକୁ ମନ ରାସ୍ତା ମରାମତି କରିଦେଉଛି। ଯେଉଁଠି ରାସ୍ତା ମରାମତି ପାଇଁ ଲୋକ ଅଭିଯୋଗ କରି କରି ଥକି ଗଲେଣି, ସେଠାରେ ବଜୁରି ଝୁଡ଼ିଏ ବି ପଡ଼ୁନି।

ପୂର୍ତ୍ତ ବିଭାଗର କିଛି ଯନ୍ତ୍ରୀଙ୍କ ଲୁଟିବା ମନବୃତ୍ତି ଏବଂ ଅଧିକ ପିସି ପାଇବା ଲୋଭ ଯୋଗୁଁ ରାଜଧାନୀବାସୀ ବର୍ଷତମାମ୍ ଖାଲ ଢ଼ିପ ରାସ୍ତା‌ରେ ଯାତାୟାତ କରୁଛନ୍ତି। ନିକଟରେ ପୂର୍ତ୍ତ ବିଭାଗ କିଛି ମୁଖ୍ୟ ରାସ୍ତାରେ ନୂଆ କରି ପିଚୁ ପକାଇ ମରାମତି କରୁଥିବାରୁ ଲୋକଙ୍କ ଧୈର୍ଯ୍ୟ ଭାଙ୍ଗି ଗଲାଣି।

ସଚିବାଳୟ ରୋଡ୍, ଜନପଥ, ବିଦ୍ୟୁତ ମାର୍ଗ, ଆଚାର୍ଯ୍ୟବିହାରରୁ ନାଲ୍‌କୋ ଛକ ଆଦି ରାସ୍ତା ବର୍ଷକୁ ଦୁଇ ଥର ନିଶ୍ଚିତ ପିଚୁ ହେବା କଥା ହେବ। ରାସ୍ତା ଖରାପ ହେଉ କି ନହେଉ, ଥରେ ମାର୍ଚ୍ଚ ମାସରେ ଆଉ ଥରେ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ। ଏହି ରାସ୍ତାଗୁଡ଼ିକରେ ଅଧିକ ଭିଭିଆଇପି ଯାତାୟାତ କରୁଥିବାରୁ ଏହି ରାସ୍ତା ସୁନ୍ଦର ଦିଶିବା ଦରକାର। କିନ୍ତୁ ଏହା ନୁହେଁ ଯେ ଭଲ ରାସ୍ତାକୁ ସଦାବେଳେ ଅତି ଭଲ କରାଯାଉଥିବ, ହେଲେ ଖରାପ ରାସ୍ତାରେ ବଜୁରି ଝୁଡ଼ିଟିଏ ବି ପଡ଼ିବନି। ରାସ୍ତା ଭଳି ଡ୍ରେନ୍ ଅବସ୍ଥା। ଡ୍ରେନ୍ ସ୍ଲାବ୍ ଭାଙ୍ଗିକି ବର୍ଷବର୍ଷ ହେଲା ମୁକୁଳା ପଡ଼ିଛି। କିନ୍ତୁ ସଚିବାଳୟ ସମ୍ମୁଖରେ ଠିକାଦାରଙ୍କୁ ପୋଷିବା ଲାଗି ଡ୍ରେନ୍‌ କାନ୍ଥରୁ ପ୍ଲାଷ୍ଟର ଛଡ଼ାଇ ପୁଣି ନୂଆ ପ୍ଲାଷ୍ଟର କରାଯାଉଛି। ରଙ୍ଗ ବୋଳା ଯାଉଛି।

ପୂର୍ତ୍ତ ବିଭାଗର ଏଭଳି ଅବିଚାର ଦେଖି ଲୋକ କହିଲେଣି ଯେ ପୂର୍ତ୍ତ ମନ୍ତ୍ରୀ, ସଚିବଙ୍କଠାରୁ ଆରମ୍ଭ କରି କନିଷ୍ଠ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ କେହି ଲୋକଙ୍କର କ’ଣ ଦରକାର, ତାହା ବୁଝୁନାହାନ୍ତି। ତାଙ୍କର ଯାହା ଦରକାର, ଯେଉଁଠି ଫାଇଦା ପାଇବେ, ତାହାକୁ ରାତାରାତି ମରାମତି କରୁଛନ୍ତି। ପୂର୍ତ୍ତ ବିଭାଗ ଭଳି ଇଡ୍‌କୋ ବିଭିନ୍ନ ଶିଳ୍ପାଞ୍ଚଳରେ ଦୀର୍ଘବର୍ଷ ଧରି ରାସ୍ତା ମରାମତି କରୁନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି।

ସମ୍ବନ୍ଧିତ ଖବର