ସତ୍ୟନଗର ସିଲ୍‌ : ବାହାରିଛନ୍ତି ୪ ଆକ୍ରାନ୍ତ

ତଥ୍ୟ ନେଇ ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗ ବାଉଳା, ତୋଷାଳି ଭବନ ସମ୍ମୁଖ ଓମଫେଡ୍‌କୁ ଯାଇଥିବା ବ୍ୟକ୍ତିଙ୍କୁ ୧୪ଦିନ ସଙ୍ଗରୋଧ

ଭୁବନେଶ୍ବର : ସତ୍ୟନଗର ଅଞ୍ଚଳରେ କିଛି କରୋନା ଆକ୍ରାନ୍ତ ଥିବାରୁ ଏହି ଅଞ୍ଚଳକୁ ସିଲ୍‌ କରାଯାଉଛି ବୋଲି ଆଜି ସକାଳୁ ବିଏମ୍‌ସି ପକ୍ଷରୁ ଜଣାଯାଇଥିଲା। ଏହାପରେ କମିସନରେଟ୍‌ ପୁଲିସ ପକ୍ଷରୁ ସତ୍ୟନଗର ଅଞ୍ଚଳକୁ ବିଭିନ୍ନ ଆଡୁ ସିଲ୍‌ କରାଯାଇଥିଲା। ହେଲେ କେତେ ଜଣ କରୋନା ଆକ୍ରାନ୍ତ, କେବେ ଚିହ୍ନଟ ହେଲେ ସେନେଇ କିଛି ତଥ୍ୟ ନଦେଇ ବିଏମ୍‌ସି ହଠାତ୍ ସତ୍ୟନଗର ଓ ଏହା ନିକଟବର୍ତ୍ତୀ ଅଞ୍ଚଳକୁ ସିଲ୍‌ କରିଦେବାରୁ ସ୍ଥାନୀୟ ଲୋକ ଭୟଭୀତ ହୋଇଯାଇଥିଲେ। ସତ୍ୟନଗରରେ କେତେ କରୋନା ଆକ୍ରାନ୍ତ ଅଛନ୍ତି ସେନେଇ କର୍ତ୍ତୃପକ୍ଷ ସ୍ପଷ୍ଟ କରିବାକୁ ତନାଘନା ଆରମ୍ଭ ହେବା ପରେ ଆଜି ଅପରାହ୍‌ଣରେ ସ୍ବାସ୍ଥ୍ୟ ବିଭାଗ ଟୁଇଟ୍‌ କରି ଜଣାଇଛି ଯେ, ସତ୍ୟନଗରରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିରୁ ତିନି ଜଣଙ୍କର ବମିଖାଲରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ପରିବାର ସହ ସମ୍ପର୍କ ଅଛି। ତେଣୁ ସେହି ଅଞ୍ଚଳକୁ ସିଲ୍‌ କରାଯାଇଛି। ହେଲେ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ କେବେ ସତ୍ୟନଗରରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ, ତାଙ୍କ ବୟସ କେତେ, ସେ କେଉଁଠି ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ, ତାଙ୍କୁ କେମିତି ଚିହ୍ନଟ କରାଗଲା, ସେନେଇ କିଛି ସୂଚନା ଦେଇନଥିଲା। ଆଜି ଯେତେବେଳେ ବିଏମ୍‌ସି ଉକ୍ତ ଅଞ୍ଚଳକୁ ସିଲ୍‌ କରିଦେଲା ତା’ପରେ ସ୍ବାସ୍ଥ୍ୟ ବିଭାଗ ଏଭଳି ଉତ୍ତର ଦେଇଛି ଯେ, ସତ୍ୟନଗର ବାସିନ୍ଦା ପୂରା ଭୟଭୀତ ହୋଇଯାଇଛନ୍ତି। କେବଳ ଏତିକି ନୁହେଁ ସତ୍ୟନଗରରେ ୪ଜଣ କରୋନା ଆକ୍ରାନ୍ତ ଯଦି ଚିହ୍ନଟ ହେଲେ,ଆଉ ତିନି ଜଣଙ୍କର ବମିଖାଲ କରୋନା ଆକ୍ରାନ୍ତଙ୍କ ସହ ସମ୍ପର୍କ ଅଛି ତେବେ ଚତୁର୍ଥ ବ୍ୟକ୍ତି କେମିତି କରୋନା ଆକ୍ରାନ୍ତ ହେଲେ, କିପରି ହେଲେ ସେନେଇ କାହିଁକି ଜଣାଗଲାନି ବୋଲି ପ୍ରଶ୍ନ ଉଠିଛି। କେବଳ ଏତିକି ନୁହେଁ ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ତୋଷାଳି ଭବନ ସମ୍ମୁଖ ଓମେଫଡ୍‌ ବୁଥ୍‌ ନିକଟକୁ ଜଣେ କରୋନା ଆକ୍ରାନ୍ତ ଯାଉଥିଲେ। ତେଣୁ ସେହି ବୁଥ୍‌କୁ ଯେଉଁମାନେ ଯାଉଥିବେ ସେମାନେ ୧୪ଦିନ ସଙ୍ଗରୋଧ ରହିବେ। ଏହା କହିବା ସହ ବିଏମ୍‌ସି ପକ୍ଷରୁ ସତ୍ୟନଗର ଅଞ୍ଚଳକୁ ସିଲ୍‌ କରିବା ନେଇ କାରଣ ଦର୍ଶାଯାଇଛି ଯେ, କିଛି କରୋନା ଆକ୍ରାନ୍ତ ସତ୍ୟନଗର ଅଞ୍ଚଳରେ ଚିହ୍ନଟ ହୋଇଥିବାବେଳେ ସେମାନଙ୍କର କୌଣସି ଯାତାୟାତ ରେକର୍ଡ ନାହିଁ। ସେମାନେ ବିଦେଶକୁ କି ବାହାର ରାଜ୍ୟକୁ ଯାଇନାହାନ୍ତି। ତେଣୁ ସତ୍ୟନଗର ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଘୋଷଣା କରି ସିଲ୍‌ କରାଗଲା। ଏଥିରେ ସତ୍ୟନଗର ଅଞ୍ଚଳରୁ ବିଗ୍‌ ବଜାରର ଉତ୍ତର ପାର୍ଶ୍ବ ରାସ୍ତା, ସତ୍ୟନଗର ଛକରୁ କାଳୀ ମନ୍ଦିର ଛକ, କାଳୀ ମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର, ପତଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ କ୍ବାର୍ଟର୍ସ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର୍ସ କ୍ବାର୍ଟର୍ସରୁ ସତ୍ୟନଗର ଛକ ଭାୟା ଆକ୍ସିସ ବ୍ୟାଙ୍କ ଓ ସତ୍ୟନଗର ଚର୍ଚ୍ଚ। ସେହିପରି ସତ୍ୟନଗର ଅଞ୍ଚଳରୁ ବିଗ୍‌ବଜାରର ଦକ୍ଷିଣ ପାର୍ଶ୍ବରେ ଥିବା ରାସ୍ତା ଯଥା ପୂର୍ତ୍ତ ବିଭାଗର ଡିଭିଜନ-୩ କାର୍ଯ୍ୟାଳୟ ଏବଂ କ୍ବାର୍ଟର୍ସ ପରିସର। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଏହି ସଂକ୍ରମିତ ଅଞ୍ଚଳ କେବେ ଖୋଲିବ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ଏଠାରେ ଥିବା ସମସ୍ତ ପ୍ରକାରର ଦୋକାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ସିଲ୍‌ କରିଦିଆଯାଇଛି। ଏହି ଅଞ୍ଚଳକୁ କାହାକୁ ଛଡ଼ାଯିବନି କି ଏଠାରୁ କେହି ବାହାରକୁ ଯିବେନି। ଏହି ଅଞ୍ଚଳର ପ୍ରବେଶ ଓ ପ୍ରସ୍ଥାନ ପଥକୁ ବ୍ୟାରିକେଡ୍‌ କରି ସିଲ୍‌ କରାଯାଇଛି। ଏହାସହ ସ୍ଥାନୀୟ ବାସିନ୍ଦାଙ୍କୁ ୧୪ ଦିନ ଘରେ ସଙ୍ଗରୋଧ ହୋଇ ରହିବାକୁ କୁହାଯାଇଛି। ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ସ୍ଥାନୀୟ ବାସିନ୍ଦାଙ୍କର ଯେପରି କୌଣସି ସମସ୍ୟା ନହେବ ସେଥିପାଇଁ ଆମେ ସବୁ ପ୍ରକାରର ପଦକ୍ଷେପ ନେବୁ। ପ୍ରତି ଦିନ ଡାକ୍ତରୀ ଟିମ୍ ବିଭିନ୍ନ ଘରକୁ ଯାଇ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବ। ଏହି ଅଞ୍ଚଳରେ ନିୟମିତ ସଫେଇ କରାଯିବା ସହ ବିଶୋଧକ ସ୍ପ୍ରେ ହେବ ଓ ଫଗିଂ କରାଯିବ। ଏହାସହ ଭ୍ୟାନ୍ ମାଧ୍ୟମରେ ପରିବା ଓ ସଉଦା ସାମଗ୍ରୀ ପ୍ରତି ଗଳିକନ୍ଦିରେ ବୁଲିବ। ଲୋକଙ୍କ ଘର ପାଖରେ ସବୁ ଜିନିଷ ମିଳିବ। ସକାଳେ ଓ ସଂଧ୍ୟାରେ ଭ୍ୟାନ୍‌ ଯୋଗେ ସବୁ ସାମଗ୍ରୀ ଯୋଗାଇ ଦିଆଯିବ। ଯଦି କେହି ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ଏପିଡେମିକ୍ ଡିଜିଜ୍ ଆକ୍ଟ ୧୮୯୭ର ଧାରା ୧୮୮ ଆଇପିସି ଅନୁସାରେ ଦଣ୍ଡିତ କରାଯିବ।

ସମ୍ବନ୍ଧିତ ଖବର