ସ୍କୁଲ ଛାତ୍ର ପରିବହନ ନୀତି ଉଭାନ୍‌, ବିପଦରେ ପିଲାଙ୍କ ଜୀବନ

ଭୁବନେଶ୍ୱର: ନିୟମିତ ବ୍ୟବଧାନରେ ସ୍କୁଲ ଛାତ୍ରଛାତ୍ରୀ ଦୁର୍ଘଟଣାର ଶିକାର ହେଉଛନ୍ତି। କେତେବେଳେ ଅଟୋ ଓଲଟି ଯାଉଛି ତ କେତେବେଳେ ପିଲା ଯାଉଥିବା ଗାଡ଼ି ଦୁର୍ଘଟଣାର ଶିକାର ହେଉଛି। ଏପରିକି ସ୍କୁଲ ଛାତ୍ରଛାତ୍ରୀ ଅଟୋ ଓ ଭ୍ୟାନ୍‌ରେ ଲଦାଲଦି ହୋଇ ବିପଜ୍ଜନକ ଅବସ୍ଥାରେ ସ୍କୁଲ ଯାଉଥିବାରୁ କେତେବେଳେ କିଏ ଗାଡ଼ିରୁ ଖସି ପଡ଼ୁଛି ତ କେତେବେଳେ ଅତିକ୍ରମ କରୁଥିବା ଗାଡ଼ିରେ ଘଷି ହୋଇ ପିଲା ଆହତ ହେଉଛନ୍ତି। କିନ୍ତୁ ସ୍କୁଲ କର୍ତ୍ତୃପକ୍ଷଙ୍କର ଏତିପ୍ରତି ନିଘା ନାହିଁ। କେବଳ ସ୍କୁଲ କର୍ତ୍ତୃପକ୍ଷ ନୁହେଁ କମିସନରେଟ୍‌ ପୁଲିସ କି ଆଞ୍ଚଳିକ ପରିବହନ ଅଧିକାରୀଙ୍କର ବି ଏଥିପ୍ରତି ନଜର ନାହିଁ। ଯେଉଁଥିପାଇଁ ପ୍ରତିଦିନ ହଜାର ହଜାର ପିଲା ରାଜଧାନୀରେ ବିପଜ୍ଜନକ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କିଭଳି ପରିବହନ କରାଯିବ? ସୁରକ୍ଷା ବ୍ୟବସ୍ଥା କେମିତି ରହିବ? କେଉଁ ଭଳି ଗାଡ଼ିରେ ଛାତ୍ରଛାତ୍ରୀଙ୍କୁ ନିଆଯିବ? ପିଲା ଯିବା ସମୟରେ ଗାଡ଼ିରେ କେଉଁମାନେ ରହିବେ? ଏହାକୁ ନଜରରେ ରଖି ୨୦୧୬ରେ ବିଦ୍ୟାଳୟ ଛାତ୍ର ପରିବହନ ନୀତି ହୋଇଥିଲା। ଇତି ମଧ୍ୟରେ ଏହି ନୀତିକୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ଲାଗୁ ହୋଇପାରିଲା ନାହିଁ। ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପରିବହନ ଉପରେ ନିଘା ନ ଥିବା ବେଳେ ରାଜଧାନୀରେ କୁନି କୁନି ଛାତ୍ରଛାତ୍ରୀଙ୍କୁ ବିପଜ୍ଜନକ ଅବସ୍ଥାରେ ସ୍କୁଲକୁ ନେବା ଆଣିବା କରାଯାଉଛି। ବେଧଡ଼କ ଭାବେ ପରିବହନ ଚାଲିଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନାହିଁ। ସତେ ଯେମିତି ଏହି ପିଲାଙ୍କ ଜୀବନ ପ୍ରତି କାହାର ସହାନୁଭୂତି ନାହିଁ।

କ’ଣ ରହିଛି ନିୟମ
ଛାତ୍ରଛାତ୍ରୀମାନେ କିପରି ସ୍କୁଲକୁ ନିରାପଦ ଭାବେ ଯାତାୟାତ କରିବେ ସେଥିପାଇଁ ବିଦ୍ୟାଳୟ ଛାତ୍ର ପରିବହନ ନୀତି-୨୦୧୬ ଲାଗୁ କରାଯାଇଥିଲା। ଏହି ନିୟମ ଅନୁସାରେ ସ୍କୁଲ ବସ୍‌ରେ ପିଲାଙ୍କୁ ପରିବହନ କରାଯିବ। ସ୍କୁଲ ବସ୍‌ଗୁଡ଼ିକ ହଳଦିଆ ରଙ୍ଗ ହେବା ସହ ଆଗ ଓ ପଛରେ ବଡ଼ ଅକ୍ଷରରରେ ସ୍କୁଲ୍‌ ବସ୍‌ ଲେଖାଯିବ, ବସ୍‌ର ଝରକା ଲୁହା ଗ୍ରିଲ୍‌ରେ ବନ୍ଦ ହେବା ଆବଶ୍ୟକ, ଚାଳକଙ୍କର ଅତିକମ୍‌ରେ ୫ବର୍ଷର ଅଭିଜ୍ଞତା ରହିଥିବ, ବସ୍‌ ଭିତରେ ଅଗ୍ନି ନିର୍ବାପକ ବ୍ୟବସ୍ଥା, ସିଟ୍‌ ଅନୁସାରେ ପିଲା ସଂଖ୍ୟା, ଜରୁରୀ ପରିସ୍ଥିତି ପାଇଁ ଫାଷ୍ଟ-ଏଡ୍‌ ବକ୍ସ, ଗାଡ଼ିର ବେଗ ଘଣ୍ଟା ପ୍ରତି ୪୦ କିମିରୁ ଅଧିକ ରହିବ ନାହିଁ ବୋଲି ନିୟମ ହୋଇଛି। ସିବିଏସ୍‌ଇ ସମେତ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦେଶାବଳୀ ଜାରି ହୋଇଛି। ଏକାଧିକ ଥର ସ୍କୁଲଗୁଡ଼ିକୁ ଏହିି ନିୟମ ପଠାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ଯାହା ଏବେ ରାଜଧାନୀ ରାସ୍ତାରେ ଜଳଜଳ ଦିଶୁଛି। ସ୍କୁଲ ବସ୍‌ ବ୍ୟତୀତ ଅନ୍ୟ କୌଣସି ଗାଡ଼ିରେ ପିଲାଙ୍କ ପରିବହନ କରାଗଲେ ଗାଡ଼ିକୁ ଜବତ କରାଯିବ। ଗାଡ଼ି ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏବେ ବି ପିଲାମାନଙ୍କୁ ବିପଜ୍ଜନକ ଅବସ୍ଥାରେ ପରିବହନ କରାଯାଇଛି। ଅଟୋ, ଭ୍ୟାନ୍‌ରେ ଖୁନ୍ଦାଖୁନ୍ଦି ହୋଇ ଯାଉଛନ୍ତି। ଗାଡ଼ିରେ ଯେତିକି ସିଟ୍‌ ରହିଛି ତା’ଠାରୁ ଢେର୍‌ ଅଧିକ ପିଲାଙ୍କୁ ନିଆଯାଉଛି। କେତେକ ସ୍ଥାନରେ ପିଲାମାନେ ଓହଳି ଯାଉଥିବାର ଦୃଶ୍ୟ ମଧ୍ୟ ନଜରକୁ ଆସିଛି। ଯେଉଁଥିପାଇଁ ଦୁର୍ଘଟଣା ଆଶଙ୍କା ମଧ୍ୟ ବଢ଼ୁଛି। ହେଲେ କର୍ତ୍ତୃପକ୍ଷ ପୂରା ନିରବ।

ବସ୍‌ କିଣିବା ଆମ ପକ୍ଷେ ସମ୍ଭବ ନୁହେଁ: ସ୍କୁଲ କର୍ତ୍ତୃପକ୍ଷ
କେତେକ ଓଡ଼ିଆ ମାଧ୍ୟମ ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ଆମ ସ୍କୁଲର ଭିତ୍ତିଭୂମି ଯାହା ସେଥିରେ ସ୍କୁଲ୍‌ ବସ୍‌ କିଣିବା ସମ୍ଭବ ନୁହେଁ। ଏହାବାଦ୍‌ ଏଠାରେ ଯେଉଁ ପିଲା ପଢ଼ୁଛନ୍ତି ସେଥିରୁ ଅଧିକାଂଶଙ୍କର ଅଭିଭାବକ ବସ୍‌ ଫି’ ଦେବା ସ୍ଥିତିରେ ନାହାନ୍ତି। ସ୍କୁଲ କମିଟିର ଅର୍ଥ ଅଭାବରୁ ଏବଂ ଅଭିଭାବକଙ୍କ ସମର୍ଥନ ନଥିବାରୁ ଆମେ ବସ୍‌ କିଣିପାରୁନୁ। ତେଣୁ ପିଲା ଅଟୋ ଓ ଭ୍ୟାନ୍‌ରେ ଆସୁଥିଲେ ହେଁ ଏହା ସମ୍ପୂର୍ଣ୍ଣ ରୂପେ ଅଭିଭାବକଙ୍କ ଦାୟିତ୍ୱ ବୋଲି କହିଦିଆଯାଇଛି। ଅଭିଭାବକମାନେ ପିଲାଙ୍କୁ ସ୍କୁଲରୁ ନେବା ଆଣିବା କରିନ୍ତୁ ବୋଲି ଆମେ ପରାମର୍ଶ ଦେଉଛୁ।

ଆମର କର୍ମଚାରୀ ଅଭାବ, କମିସନରେଟ୍‌ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ଦରକାର: ଆର୍‌ଟିଓ
ଏନେଇ ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଯଦି କୌଣସି ଅଟୋ କିମ୍ବା ଛୋଟ ଯାନରେ ଛାତ୍ରଛାତ୍ରୀ ଯାତାୟାତ କରୁଥିବେ ତେବେ ଏହା ବେଆଇନ୍‌। କେବଳ ସ୍କୁଲ ବସ୍‌ କିମ୍ବା ସ୍କୁଲ ପରମିଟ୍‌ ଥିବା ଗାଡ଼ିରେ ପିଲାଙ୍କୁ ନେବା ଆଣିବାର ନିୟମ ରହିଛି। ସିଟ୍‌ଠାରୁ ଅଧିକ ପିଲାଙ୍କୁ ନେବା ଆଣିବାର ଦୃଶ୍ୟ ଦେଖାଗଲେ ସାଙ୍ଗେ ସାଙ୍ଗେ ଗାଡ଼ିକୁ ଜବତ କରାଯିବ। ଯଦି ଏହି ନିୟମକୁ କେହି ଉଲ୍ଲଂଘନ କରିବାର ଦେଖାଯାଏ ତେବେ ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯିବ। ସେମାନଙ୍କ ଉପରେ କେସ୍‌ କରାଯିବ। ଏନେଇ ଆମେ ରାଜଧାନୀର ବିଭିନ୍ନ ସ୍କୁଲରେ ସଚେତନତା ଶିବିରମାନ କରିବା ସହ ସ୍କୁଲ କର୍ତ୍ତୃପକ୍ଷ, ଅଭିଭାବକ ଓ ପିଲାଙ୍କୁ ମଧ୍ୟ ସଚେତନ କରିଥିଲୁ। କିନ୍ତୁ ବହୁ ସ୍କୁଲ କର୍ତ୍ତୃପକ୍ଷ ନିୟମ ମାନୁନାହାନ୍ତି। ଆମର କର୍ମଚାରୀ ଅଭାବ ଥିବାରୁ ଏହିଭଳି ଗାଡ଼ି ଉପରେ ଚଢ଼ଉ କରିବା ସମ୍ଭବ ହେଉନି। କମିସନରେଟ୍‌ ପୁଲିସ କେବଳ ହେଲମେଟ୍‌ ଚେକିଂରେ ମାତିଥିବାବେଳେ ଏହିଭଳି ଗାଡ଼ି ଚେକିଂ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ଏହାକୁ ରୋକାଯାଇପାରିବ। କିନ୍ତୁ ତାହା ହେଉନି।

ସ୍କୁଲ ବସ୍‌ ଆସୁ ନଥିବାରୁ ଆମେ ଅଟୋରେ ପଠାଉଛୁ: ଅଭିଭାବକ
ଆଜିର ଦୁର୍ଘଟଣା ପରେ ପିଲାଙ୍କୁ ସ୍କୁଲ୍‌ ବସ୍‌ରେ ନପଠାଇ କାହିଁକି ଅଟୋ ଓ ଭ୍ୟାନ୍‌ରେ ଖୁନ୍ଦାଖୁନ୍ଦି କରି ପଠାଉଛନ୍ତି ବୋଲି କେତେକ ଅଭିଭାବକଙ୍କୁ ପଚାରିବାରୁ କିଛି ଅଭିଭାବକ କହିଥିଲେ ଯେ, ସ୍କୁଲ କର୍ତ୍ତୃପକ୍ଷ କହୁଛନ୍ତି ଆମ ବସ୍‌ ଗଳିକନ୍ଦିକୁ ଯିବନି। ଯେଉଁ ରୁଟ୍‌ରେ ଅଧିକ ପିଲା ଅଛନ୍ତି ସେଠାକୁ ବସ୍‌ ଯିବ। ତେଣୁ ଆମେ ପିଲାଙ୍କୁ ଅଟୋ ଓ ଭ୍ୟାନ୍‌ରେ ପଠାଉଛୁ। କେବଳ ଏତିକି ନୁହେଁ ସ୍କୁଲ୍‌ ବସ୍‌ରେ ପିଲା ଯିବା ପାଇଁ ମାସିକ ଯେତିକି ଫି’ ଧାର୍ଯ୍ୟ କରାଯାଉଛି ସେତିକି ଦେବା ସମ୍ଭବ ହେଉ ନଥିବାରୁ ଆମେ ପିଲାଙ୍କୁ ଅଟୋରେ ପଠାଉଛୁ ବୋଲି ବମିଖାଲ ଅଞ୍ଚଳର ଜଣେ ଅଭିଭାବକ କହିଛନ୍ତି। ରସୁଲଗଡ଼ ଅଞ୍ଚଳର ଜଣେ ଅଭିଭାବକ କହିଛନ୍ତି ଯେ, ତାଙ୍କ ପିଲା ଯେଉଁ ସ୍କୁଲରେ ପଢ଼ୁଛି ସେଠାରେ ବସ୍‌ ସେବା ନଥିବାରୁ ପିଲାଙ୍କୁ ସେ ବାଧ୍ୟ ହୋଇ ଅଟୋରେ ପଠାଉଛନ୍ତି।

ସମ୍ବନ୍ଧିତ ଖବର