ଯାତ୍ରୀବାହୀ ବସ୍‌କୁ ପିଟିଲା ପୁଲିସ୍ ଭ୍ୟାନ : ସିରିଜ୍‌ ଧକ୍କାରେ ୨ କାର୍‌ ଚୂରମାର, ୮ ଆହତ

ଭୁବନେଶ୍ବର/ଚନ୍ଦ୍ରଶେଖରପୁର : ଜୟଦେବବିହାରରୁ ନନ୍ଦନକାନନ ରାସ୍ତାରେ ଆଜି ଅପରାହ୍‌ଣ ପ୍ରାୟ ୨ଟାରେ ଘଟିଥିବା ସିରିଜ୍‌ ଦୁର୍ଘଟଣାରେ ୨ କାର୍‌ ଚୂରମାର୍‌ ହୋଇଥଯାଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଏପରି ଦୁର୍ଘଟଣା ଘଟାଇଛି ରିଜର୍ଭ‌୍ ପୁଲିସର ଏକ ଭ୍ୟାନ୍‌(ଓଆର୦୫ଏକେ-୪୪୫୯)। ଭ୍ୟାନ୍‌ଟି ଜନତା ମଇଦାନ୍‌ ଦ୍ବିତୀୟ ଗେଟ୍‌ ପଟୁ ହଠାତ୍‌ ମୁଖ୍ୟ ରାସ୍ତା ଉପରକୁ ମାଡ଼ି ଆସି ନନ୍ଦନକାନନ ପଟୁ ଅସୁଥିବା ଏକ ଯାତ୍ରୀବାହୀ ବସ(ଓଡି୦୨ବିବି-୪୧୩୮)କୁ ଧକ୍କା ଦେଇଥିଲା। ପୁଲିସ ଭ୍ୟାନ୍‌ ଧକ୍କାରେ ଯାତ୍ରୀବାହୀ ବସ୍‌ଟି ଭାରସାମ୍ୟ ହାରାଇ ଗୋଟିଏ ପରେ ଗୋଟିଏ କାର୍‌କୁ ଧକ୍କା ଦେଇ ରାସ୍ତା ଆରପଟକୁ ଚାଲିଯାଇଥିଲା। ଦୁର୍ଘଟଣାରେ ଯାତ୍ରୀବାହୀ ବସ୍‌, ପୁଲିସ ଭ୍ୟାନ୍‌ ଓ ଦୁଇଟି କାର୍‌ ଭାଙ୍ଗି ଚୂରମାର୍‌ ହୋଇ ରାସ୍ତା ମଝିରେ ଅଟକି ରହିଥିଲା। ଦୁର୍ଘଟଣା ଫଳରେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ନନ୍ଦନକାନନ-ଜୟଦେବବିହାର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ବିଶ୍ବରଂଜନ ନାୟକ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍ ନିୟନ୍ତ୍ରଣ କରିବା ସହ ଆହତମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲେ।

ସୂଚନା ମୁତାବକ, ଭ୍ୟାନ୍‌ଟି ପୁଲିସ ବଳ ନେଇ ରିଜର୍ଭ ପୁଲିସ ଗ୍ରାଉଣ୍ଡରୁ ଜନତା ମଇଦାନ ପଛଦେଇ ନବୀନ ନିବାସ ଯାଉଥିଲା। ତେବେ ଜନତା ମଇନାନ୍‌ ରୋଡ୍‌ରୁ ମୁଖ୍ୟ ରାସ୍ତାକୁ ଓହ୍ଲାଉ ଥିବା ବେଳେ ଚାଳକ ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତାକୁ ମାଡ଼ି ଯାଇଥିଲେ। ଆଉ ଯାତ୍ରୀବାହୀ ବସ୍‌ଟିକୁ ଧକ୍କା ଦେଇଥିଲେ। ଭ୍ୟାନ୍‌ ଧକ୍କା ଯୋଗୁଁ ଯାତ୍ରୀବାହୀ ବସ୍‌ଟି ଭାରସାମ୍ୟ ହାରାଇ ପ୍ରଥମେ ସମ୍ମୁଖରେ ଯାଉଥିବା ଏକ କାର (ଓଡି୦୨ଟି-୬୨୮୨)କୁ ଧକ୍କା ଦେଇ ଡିଭାଇଡର୍‌ ଉପରକୁ ମାଡ଼ିଯାଇଥିଲା। ପରେ ବିପରୀତ ପଟୁ ଆସୁଥିବା ଜାତୀୟ ରାଜପଥ ବିଭାଗର ଏକ ଆମ୍ବାସଡାର କାର୍‌ (ଓଆରପି-୮୪୧୫) ପଛକୁ ଧକ୍କା ଦେଇ ଫୁଟ୍‌ପାଥ ଉପରକୁ ଚଢ଼ିଯାଇ ଅଟକି ରହିଥିଲା। ବସ୍‌ଟି ଅଟକିବା ପରେ ଯାତ୍ରୀମାନେ ତୁରନ୍ତ ବସ୍‌ରୁ ଓହ୍ଲାଇ ଧାଇଁଥିଲେ। ସେହିପରି ଏଭଳି ଏକ ଭୟଙ୍କର ଦୁର୍ଘଟଣା ଦେଖି ରାସ୍ତାରେ ଯାଉଥିବା ବାଟୋଇ ଓ ଆଖପାଖରେ ଥିବା ଲୋକମାନେ ଜୀବନ ବିକଳରେ ଯିଏ ଯୁଆଡ଼େ ପାରିଥିଲେ ଧାଇଁଥିଲେ। ସେହିପରି କାର୍‌ ପଛରେ ଯାଉଥିବା କିଛି ବାଇକ୍‌ ପରସ୍ପର ମଧ୍ୟରେ ମାଡ଼ ହୋଇଯାଇଥିଲେ। ଦୁର୍ଘଟଣା ଯୋଗୁଁ ଯାତ୍ରୀବାହୀ ବସ୍‌ର ହେଲପର୍ ବିଶ୍ବନାଥ ଠାକୁଆ, ବସ୍ ଚାଳକ ଭଗବାନ ନାୟକ, ପୁଲିସ ଭ୍ୟାନ୍‌ ଚାଳକ, ୨କାର ଚାଳକଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି। ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ‌ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା ପରେ ଅପରାହ୍‌ଣ ପ୍ରାୟ ସାଢ଼େ ୩ଟା ବେଳେ‌ କ୍ରେନ୍ ଦ୍ବାରା ସମସ୍ତ ଗାଡ଼ିକୁ ରାସ୍ତା ଉପରୁ ହଟା ଯାଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର