ନିଷ୍ପତ୍ତିରେ ରହିଯିବ ଷ୍ଟେଟ୍‌ ଆର୍ଟ ଲାବୋରେଟାରି

ତ୍ରୁଟିପୂର୍ଣ୍ଣ ଡିଜାଇନ୍‌ ଓ ଅର୍ଥର ଅଭାବ ସାଜିଛି ବାଧକ

ଭୁବନେଶ୍ୱର: ରାଜ୍ୟରେ ଏକ ଅତ୍ୟାଧୁନିକ ଷ୍ଟେଟ୍‌ ଆର୍ଟ ଲାବୋରେଟାରିର ନିର୍ମାଣ ପାଇଁ ଗତ ୩ବର୍ଷ ତଳେ ନିଷ୍ପତ୍ତି ହୋଇଥିଲା। ଏହା ଭିତରେ ବର୍ଷ ପରେ ବର୍ଷ ବିତିଲାଣି ଲାବୋରେଟାରି କେବଳ ନିଷ୍ପତ୍ତିରେ ସୀମିତ ରହିଛି। ଲାବୋରେଟାରିର ନିର୍ମାଣ ପାଇଁ ପ୍ରସ୍ତୁତ ହୋଇଥିବା ଡିଜାଇନ୍‌ ତ୍ରୁଟିପୂର୍ଣ୍ଣ ରହିବା ଓ ଏଥିପାଇଁ ଅର୍ଥ ବ୍ୟୟବରାଦ ନ ହୋଇପାରିବାର କାରଣରୁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ। ରାଜ୍ୟରେ ପରୀକ୍ଷା ପାଇଁ ସରକାରୀଭାବେ ଜନସ୍ୱାସ୍ଥ୍ୟ ଲାବୋରେଟାରି ରହିଛି। ମାତ୍ର ଅନେକ ନମୁନାର ଅତ୍ୟାଧୁନିକ ପରୀକ୍ଷା ଏଠାରେ ହୋଇପାରୁନାହିଁ। ଖାଦ୍ୟଠାରୁ ଆରମ୍ଭ କରି ସ୍ୱାଇନ୍‌ ଫ୍ଲୁ ଓ ନିଶା ଜାତୀୟ ଦ୍ରବ୍ୟର ପରୀକ୍ଷା ଜନସ୍ୱାସ୍ଥ୍ୟ ଲାବୋରେଟାରି ହୋଇପାରୁ ନାହିଁ। ତେଣୁ ଅନେକ ସମୟରେ ରାଜ୍ୟ ସରକାରଙ୍କୁ ସଂଗୃହୀତ ନମୁନାକୁ ରାଜ୍ୟ ବାହାରକୁ ପଠାଇବାକୁ ପଡ଼ୁଛି। ଫଳରେ ଏହି ରିପୋର୍ଟ ପାଇବା ପାଇଁ ନମୁନା ସଂଗ୍ରହ କରୁଥିବା ବିଭାଗକୁ ମାସ ମାସ ଅପେକ୍ଷା କରିବାକୁ ପଡ଼ୁଛି। ଯାହାକି ଅନେକ ସମୟରେ ସରକାରଙ୍କ ମୁଣ୍ଡ ବଥାର କାରଣ ପାଲଟୁଛି। ତେଣୁ ଏହାର ସମାଧାନ ପାଇଁ ରାଜ୍ୟରେ ଏକ ଷ୍ଟେଟ୍‌ ଆର୍ଟ ଲାବୋରେଟାରି ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ୟୁନିଟ୍‌-୪ ହସ୍ପିଟାଲ ପରିସରରେ ଏହାକୁ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲା ସ୍ୱାସ୍ଥ୍ୟ ବିଭାଗ। ୧୫ହଜାର ବର୍ଗ ଫୁଟ୍‌ ଅଞ୍ଚଳରେ ୬ମହଲା ବିଶିଷ୍ଟ ଏହି ଲାବୋରେଟାରି ପ୍ରତିଷ୍ଠା ପାଇଁ ଚିହ୍ନଟ କରାଯାଇଥିଲା। ଏହାକୁ ଏକ ରେଫରାଲ ଲାବୋରେଟାରି ଭାବେ ବ୍ୟବହାର କରିବା ପାଇଁ ଚିନ୍ତା କରିଥିଲେ ରାଜ୍ୟ ସରକାର। ଏଠାରେ ପାଥୋଲୋଜି, ଏନୋଟୋମୋଲୋଜି, ଭାଇରୋଲୋଜି, ସେଲୁଲାର ପାଥୋଲୋଜି, ବ୍ୟାକ୍ଟୋରୋଲୋଜି, ପାଣି ଓ ଖାଦ୍ୟ ଆନାଲିସିସ୍‌ ଓ ବାଇଓ କେମିଷ୍ଟ୍ରି ଭଳି ପରୀକ୍ଷା କରିବା ଭଳି ପରୀକ୍ଷାଗାର ପ୍ରସ୍ତୁତ କରାଯିବ। ପୁନେ ଓ ମହୀଶୂର ଭଳି ସହରରେ ଏଭଳି ଲାବୋରେଟାରି ରହିଥିବା ବେଳେ ଏସବୁ ମଡେଲକୁ ନଜରରେ ରଖି ଏହାକୁ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟେଣ୍ଡର ଜରିଆରେ ଏକ ଆର୍କିଟେକ୍‌ ଫାର୍ମକୁ ଏହି ଲାବୋରେଟାରିର ଡିଜାଇନ୍‌ କରିବା ପାଇଁ ଦିଆଯାଇଥିଲା। ଆର୍କିଟେକ୍‌ ଫାର୍ମ ଲାବୋରେଟାରିର ଡିଜାଇନ୍‌ ବର୍ଷେ ତଳୁ ପ୍ରଦାନ କରିସାରିଥିଲେ ହେଁ, ଏହି ଡିଜାଇନ୍‌କୁ ଆର ଏଣ୍ଡ ବି ଅନୁମୋଦନ କରୁ ନ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହି ଡିଜାଇନ୍‌ରେ କେତେକ ତ୍ରୁଟିଥିବା ଜଣାପଡ଼ିବା ପରେ ଏହି ଡିଜାଇନ୍‌ ଅନୁମୋଦନ ପାଇବାରେ ବିଳମ୍ବ ହେଉଛି। ଅପରପକ୍ଷରେ ଏହି ଲାବୋରେଟାରି ନିର୍ମାଣ ପାଇଁ କେଉଁଠାରୁ ଅର୍ଥ ଖର୍ଚ କରାଯିବ ତାହାକୁ ନେଇ ମଧ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜାଇକା ଅର୍ଥରେ ଏହାକୁ ନିର୍ମାଣ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ତେବେ ଜାଇକା ଅଧୀନରେ କୌଣସି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ହେଲେ ପ୍ରକଳ୍ପଟି ୫ଶହ କୋଟିରୁ ଅଧିକ ହୋଇଥିବା ଆବଶ୍ୟକ। ଏଥିପାଇଁ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ପବ୍ଲିକ୍‌ ହେଲ୍‌ଥ ବା ଆଇଆଇପିଏଚ୍‌ ଏହି ଅତ୍ୟାଧୁନିକ ଲାବୋରେଟାରିକୁ ମିଶାଇ ନର୍ସିଂ ତାଲିମ କେନ୍ଦ୍ର, ପାରାମେଡିକ କେନ୍ଦ୍ର ଓ ଅନ୍ୟ କେତେକ କେନ୍ଦ୍ର ଏଥିରେ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ଏହି ସମସ୍ତ ପ୍ରକଳ୍ପର ଆନୁମାନିକ ମୂଲ୍ୟ ୨ହଜାର କୋଟି ଟଙ୍କା ରହିଥିଲା। ମାତ୍ର ନିକଟରେ ହୋଇଥିବା ବୈଠକରେ ଜାଇକା ଅର୍ଥରେ ଏସବୁ ପ୍ରକଳ୍ପକୁ ନିର୍ମାଣ କରିବା ପାଇଁ କିଛି ଅଧିକାରୀ କୁଣ୍ଠାବୋଧ କରିଥିଲେ। ଏଭଳି ପ୍ରସ୍ତାବ ମଧ୍ୟ ଶେଷ ମୁହୂର୍ତରେ କାଟ ଖାଇଥିଲା। ତେଣୁ ଲାବୋରେଟାରି ନିର୍ମାଣ ପାଇଁ କେଉଁ କ୍ଷେତ୍ରରୁ ଅର୍ଥ ଖର୍ଚ କରାଯିବ ତାହା ନିଷ୍ପତ୍ତି ହୋଇପାରି ନାହିଁ। ତେଣୁ ଲାବୋରେଟାରି ନିର୍ମାଣ କାର୍ଯ୍ୟ ଆଗେଇ ପାରୁ ନ ଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର