ଜୟଦେବ ବାଟିକା ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଅଚଳ

ଖଣ୍ଡଗିରି : କୋଳଥିଆ-ଖଣ୍ଡଗିରି ଜୟଦେବ ବାଟିକା ମୁଖ୍ୟ ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍ ଜଳୁନାହିଁ। ପ୍ରାୟ ଦୁଇ ସପ୍ତାହ ହେଲା ଏହି ଅବସ୍ଥା ଲାଗି ରହିଥିଲେ ମଧ୍ୟ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ଏହାର ମରାମତି କରୁନାହାନ୍ତି। ବିଭାଗୀୟ ଯନ୍ତ୍ରୀ ମଧ୍ୟ କର୍ଣ୍ଣପାତ କରୁନଥିବା ନେଇ ଅଭିଯୋଗ ହେଉଛି।

ରାଜଧାନୀ ଅପରାଧ ଜୋନ୍‌ର ଏହି ମୁଖ୍ୟ ରାସ୍ତାଟି ବିନା ଷ୍ଟ୍ରିଟ୍‌ ଲାଇଟ୍‌ରେ ରାତିରେ ଅଧିକ ବିପଦପୂର୍ଣ୍ଣ ହୋଇ ପଡ଼ୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଲାଣି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଗତ ପ୍ରାୟ ଦୁଇ ସପ୍ତାହ ହେଲା ଏହି ରାସ୍ତାରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରୁ ଆମ୍ରି ହସ୍ପିଟାଲ ଛକ ପର୍ଯ୍ୟନ୍ତ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନାହିଁ। ବରିଷ୍ଠ ନାଗରିକମାନେ ଘରୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି। ଏହାର ସୁଯୋଗ ନେଇ ଆଡା ମାରୁଥିବା ଅସାମାଜିକ ତତ୍ତ୍ବମାନଙ୍କ ଡରରେ ମହିଳା ଓ ଯୁବତୀମାନେ ହଇରାଣ ହେଉଥିବା ଅଭିଯୋଗ ହେଉଛି। ଉଚ୍ଚ ଶ୍ରେଣୀରେ ପଢ଼ୁଥିବା ସ୍କୁଲ ବା କଲେଜ ଛାତ୍ରୀମାନେ କଲେଜ କିମ୍ବା ଟିଉସନରୁ ଘରକୁ ଫେରିବାବେଳେ ସମସ୍ୟାରେ ପଡ଼ୁଛନ୍ତି। ଏହା ହେଉଛି ସନ୍ଧ୍ୟା‌ବେଳର ଅସୁବିଧା। କିନ୍ତୁ ବଡ଼ ଅସୁବିଧା ହେଉଛି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ଲୋକଙ୍କ ପାଇଁ। ରୋଜଗାର ପାଇଁ ବିଭିନ୍ନ କର୍ମସଂସ୍ଥାନରେ ନିଯୁକ୍ତ ଲୋକମାନେ ଘରକୁ ଫେରିବାବେଳେ ଲୁଟ୍‌ର ଶିକାର ହେବା ଭୟ ରହିଛି। ପୂର୍ବରୁ ଏହି ରାସ୍ତାରେ ବାରମ୍ବାର ଲୁଟ୍‌ପାଟ୍‌ ହେଉଥିଲା। ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ଦୁଇ ଦୁଇ ଥର କାର୍ ଲୁଟ୍‌ କରିବା ଭଳି ଘଟଣାର ନଜିର ରହିଛି। ଭୋର୍ ସମୟରେ ନିୟମିତ ମର୍ଣ୍ଣିଂ ୱାକ୍‌ରେ ଆସୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ପୂରା ସକାଳ ନ ହେଲେ ଲୋକେ ଏହି ରାସ୍ତାକୁ ଆସୁନାହାନ୍ତି। ଏ ବାବଦରେ ବିଭାଗୀୟ ଯନ୍ତ୍ରୀଙ୍କ ଉତ୍ତର କିନ୍ତୁ ବଡ଼ ଅଜବ। ଏହି ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁଛି ବୋଲି ସେ କହିଥିଲେ। ଅଭିଯୋଗକୁ ମିଛ ବୋଲି ଖଣ୍ଡନ କରିଥିଲେ। ମାତ୍ର ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନଥିବାରୁ ଫଟୋ ଥିବା କହିବା ପରେ ସେ ତଦନ୍ତ କରି‌ ପଦକ୍ଷେପ ନେବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର