ବାଲିଅନ୍ତା: ବାଲିଅନ୍ତା ବ୍ଲକ୍ ପ୍ରତାପରୁଦ୍ରପୁର ପଞ୍ଚାୟତ ବିଶରପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କ ବଦଳିକୁ ବିରୋଧ କରିବା ସହ ତାଙ୍କ ସ୍ଥାନରେ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦାବି ନେଇ ଅଭିଭାବକ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ଗ୍ରାମବାସୀ ସ୍କୁଲ ହତାରେ ଦୀର୍ଘ ସମୟ ଧରି ଧାରଣା ଦେଇଥିଲେ। ଅଭିଭାବକମାନେ ସ୍କୁଲ ବାହାରେ ଧାରଣାରେ ବସି ରହିଥିବା ବେଳେ ଶ୍ରେଣୀ ଗୃହରେ ବସିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ସମାନ ଢଙ୍ଗରେ ପ୍ରତିବାଦ କରିଥିଲେ। ଧାରଣା ଚାଲିଥିବା ସମୟରେ ମଧ୍ୟାହ୍ନ ଭୋଜନ ଗାଡ଼ି ପହଞ୍ଚିବା ପରେ ଘଟଣା ଭିନ୍ନ ମୋଡ଼ ନେଇଥିଲା। ବିଦ୍ୟାଳୟରେ ନୂତନ ଶିକ୍ଷକ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ଖାଇବେ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଜିଦ ଧରିଥିଲେ। ଫଳରେ ମଧ୍ୟାହ୍ନଭୋଜନ ଯୋଗାଣ ଦାୟିତ୍ବରେ ଥିବା ଘରୋଇ ସଂସ୍ଥା ଖାଦ୍ୟ ଫେରାଇ ନେବାକୁ ବାଧ୍ୟ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଖବର ପାଇ ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି ଓ ଉପାଧ୍ୟକ୍ଷା ଦୀପସ ସ୍ବାଇଁ ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି କହିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ବର୍ଜନ ନିଷ୍ପତ୍ତି ଜାରି ରହିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ବଦଳି ଶିକ୍ଷକଙ୍କ ସ୍ଥାନରେ ନୂତନ ଶିକ୍ଷକ ନିଯୁକ୍ତ ହେବେ ବୋଲି ବିଇଓ ସ୍ନିଗ୍ଧା ମିଶ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ବିଦ୍ୟାଳୟରେ ମୋଟ ୫ଜଣ ଶିକ୍ଷକଙ୍କ ମଧ୍ୟରୁ ସଂପୃକ୍ତ ଶିକ୍ଷକଙ୍କର ଅନ୍ୟତ୍ର ବଦଳି ହୋଇଥିବା ବେଳେ ଜଣେ ଶିକ୍ଷୟିତ୍ରୀ ସାମୟିକ ଭାବେ ଛୁଟିରେ ଅଛନ୍ତି। ଫଳରେ ୮ଟି ଶ୍ରେଣୀରେ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବା ଗ୍ରାମବାସୀମାନେ କହିଛନ୍ତି।