ଖସୁନି ପରିବା ଦର, କନ୍ଦେଇବ ଆହୁରି ମାସେ!

କୋଶଳା ବିଡ଼ା ୧୦ ଟଙ୍କା, ପଞ୍ଜାବ ଓ ଉତ୍ତରପ୍ରଦେଶ ପାଇଁ ଆଳୁ ତାତିରୁ ତ୍ରାହି

ଖଣ୍ଡଗିରି: କାର୍ତ୍ତିକ ମାସ ଗଲା, କିନ୍ତୁ କମୁନି ପରିବା ଦର। ବଜାରରେ ପରିବା ଦର ଏବେ ବି ହାରାହାରି ୫୦ ଟଙ୍କା ରହିଛି। ପିଆଜ ସାଙ୍ଗରେ ତାଳ ଦେଇ ପରିବା ଦର ବଢ଼ିବାରେ ଲାଗିଛି। ଡାଲି ଦର ବୃଦ୍ଧି ବି କିଛି କମ୍ ନୁହେଁ। ତେଣୁ ସମ୍ପ୍ରତି ଗରିବ ଲୋକମାନଙ୍କ ନିତିଦିନିଆ ଖାଇବା ଖର୍ଚ୍ଚ ବହୁ ପରିମାଣରେ ହ୍ରାସ ପାଇଥିବା ପରିଲକ୍ଷିତ ହେଉଛି। ତେବେ ସୌଭାଗ୍ୟକୁ ପଞ୍ଜାବ ଓ ଉତ୍ତରପ୍ରଦେଶ ପାଇଁ ଆଳୁ ବଜାର ତାତିରୁ ସାମାନ୍ୟ ତ୍ରାହି ମିଳିଛି।

ଖୁଚୁରା ବଜାରରେ ୨୫ ଟଙ୍କା ହୋଇ ଯାଇଥିବା ଆଳୁ ଦର ଏବେ ୧୮ଟଙ୍କାକୁ ଖସି ଆସିଛି। ଫଳରେ ଗରିବ ଲୋକ ମୁଠାଏ ଭାତ ଖାଇବାକୁ ସକ୍ଷମ ହେଉଥିବା ଦେଖିବାକୁ ମିଳୁଛି। ପରିବା ବଜାରରେ ପୋଟଳ କିଲୋ ୮୦ ଟଙ୍କା ଉପରେ ରହିଥିବା ବେଳେ ଝୁଡ଼ଙ୍ଗ, ଭେଣ୍ଡି, ଜହ୍ନି, ବିନ୍‌ସ, ବାଇଗଣ ଭଳି ନିତିଦିନିଆ ପରିବା ଦର କିଲୋ ୫୦ ଟଙ୍କାରୁ ୬୦ ଟଙ୍କା ରହିଛି। ବାରଙ୍ଗ, ଆଠଗଡ଼, ବାଙ୍କୀ ଭଳି ସ୍ଥାନୀୟ ଅଞ୍ଚଳରେ ଅମଳ ଆରମ୍ଭ ହୋଇଥିଲେ ମଧ୍ୟ ଛୋଟ ଛୋଟ ଫୁଲ କୋବି ଗୋଟା ୪୦ ଟଙ୍କାରୁ କମ୍‌ ନାହିଁ। ବଡ଼ କଥା ହେଉଛି, ଯେଉଁ କୋଶଳା ଶାଗ ୧୦ଟଙ୍କାରେ ୩ ବିଡ଼ା ଥିଲା, ତାହା ଏବେ ବିଡ଼ା ପିଛା ୧୦ରୁ ୧୫ ଟଙ୍କାରେ ବିକ୍ରି ହେଉଛି। ତେଣୁ ଏଭଳି ଦରଦାମ୍‌ରେ ଗରିବ ଲୋକଙ୍କ ଅବସ୍ଥା କ’ଣ ହେଉଛି; ତାହା ନ ଦେଖିଲେ ବିଶ୍ବାସ କରିହେବ ନାହିଁ। ତେବେ ଆଳୁ ଦର କମିଛି। ଆଇଗିଣିଆ କୁବେରପୁରୀରେ ପାଇକାରୀ ଦର କ୍ବିଣ୍ଟାଲ ପିଛା ୧୨ଶହରୁ ୧୪ଶହ ଟଙ୍କା ରହିଛି। ଓଡ଼ିଶା ବଜାରରେ ଆଳୁ ଦର ବୃଦ୍ଧି ଦେଖି ପଞ୍ଜାବ ଓ ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ ଆରମ୍ଭ ହୋଇଛି। ପରିବା ଦରବୃଦ୍ଧିକୁ ନେଇ ବ୍ୟବସାୟୀମାନଙ୍କ କହିବା କଥା, ଉପକୂଳ ଓଡ଼ିଶାରେ ବାତ୍ୟା ବୁଲ୍‌ବୁଲ୍‌ ପାଇଁ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ସେହିଭଳି ଅଧିକ ପରିବା ଆମଦାନୀ ହେଉଥିବା କର୍ଣ୍ଣାଟକରେ ମଧ୍ୟ ଚଳିତ ବର୍ଷର ଅତ୍ୟଧିକ ବର୍ଷା କାରଣରୁ ପରିବା ଚାଷ ବିଗିଡ଼ି ଯାଇଛି। ତେଣୁ ପରିବା ଦର ନିକଟରେ ହ୍ରାସ ପାଇବା ଭଳି ସଂକେତ ଦେଖାଯାଉନାହିଁ। ଆହୁରି ପ୍ରାୟ ଗୋଟିଏ ମାସ ଏଭଳି ଅବସ୍ଥା ଲାଗି ରହିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ମାସକ ପରେ ଓଡ଼ିଶାରେ ପରିବା ଅମଳ ବୃଦ୍ଧି ପାଇବ ଓ ଦର ହ୍ରାସ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର