ଜବରଦଖଲକାରୀଙ୍କ କବଜାରେ ଡ୍ରେନ୍‌, ଆଣ୍ଠୁଏ ପାଣିରେ ମା’ ଦୁର୍ଗା

ବାଲିଅନ୍ତା: ଭୁବନେଶ୍ବର କଟକ ଜାତୀୟ ରାଜପଥର ବାଲିଅନ୍ତା ଓ କଟକ ସଦର ଥାନା ସୀମାନ୍ତ ନଖରା ଓ କାଚରାମାଳ ଅଞ୍ଚଳରେ ବେଆଇନ ନିର୍ମାଣ କାର୍ଯ୍ୟ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି। ବର୍ଷାଜଳ ନିଷ୍କାସନ ପାଇଁ ସଂରକ୍ଷିତ ବିକଳ୍ପ ମାଧ୍ୟମ କାଡ଼ାନାଳି ଓ ଡ୍ରେନ ଭଳି ଭିତ୍ତିଭୂମିଗୁଡ଼ିକୁ ମଧ୍ୟ ସଂପୃକ୍ତ ଜବରଦଖଲକାରୀ କବ୍‌ଜା କରିନେଲେଣି। ଫଳରେ ବର୍ଷାଜଳ ନିଷ୍କାସନ ସମସ୍ୟା ଉତ୍କଟ ହୋଇପଡ଼ିଛି। ଗୁରୁତ୍ବପୁର୍ଣ୍ଣ କଥା ହେଉଛି, ଦେବୀ ଦୁର୍ଗା ଆଶ୍ରମ ବର୍ଷାତମାମ ପାଣିଘେର‌ରେ ରହୁଛି। ପାଣି ଭିତରେ ଉପବିଷ୍ଟ ୫ ଫୁଟ୍‌ ଉଚ୍ଚତାର ଆକର୍ଷଣୀୟ ଦେବୀ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ଏବେ ଆଣ୍ଠୁଏ ଉଚ୍ଚ ପାଣିରେ ରହିଛି। ଫଳରେ ପ୍ରତିଦିନ ଦେବୀଙ୍କ ପୂଜାର୍ଚ୍ଚନାରେ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଛି। ଆଗକୁ ଦୁର୍ଗାପୂଜା ଆସୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଏହା ଚିନ୍ତା ବଢ଼ାଇ ଦେଇଛି। ଠାକୁରାଣୀଙ୍କ ପୀଠରେ ନବରାତ୍ରି ପୂଜା ଓ ଦଶମୀ ପୂଜାର୍ଚ୍ଚନା ସ୍ବତନ୍ତ୍ର ରୀତିନୀରେ ସଂପନ୍ନ ହୋଇଥାଏ। ପୀଠ ପାର୍ଶ୍ବରୁ ପ୍ରାଚୀନଦୀକୁ ସଂଯୋଗ କରୁଥିବା ଡ୍ରେନ୍‌ ଉପରେ ବେଆଇନ ନିର୍ମାଣ କାର୍ଯ୍ୟ ହେବା ଯୋଗୁଁ ବ‌ର୍ଷାଜଳ ନିଷ୍କାସନ ହୋଇନପାରି ଏଭଳି ପରିସ୍ଥିତି ଦେଖାଦେଇଛି। ଲକ୍ଷେଶ୍ବର ସ୍କୁଲ ମଧ୍ୟ ପାଣି ଘେରରେ ରହୁଛି। ଜବରଦଖଲ ଉଚ୍ଛେଦ ନେଇ ବାଲିଅନ୍ତା ଥାନା ଅନ୍ତର୍ଗତ ନୂଆପାଟଣା, ଜନ୍ମେଞ୍ଜୟପୁର, ଜୋହୋଳ, ପାହାଳ ଓ କଟକ ସଦର ଥାନା ଅଧୀନ କାଚରାମାଳ ଓ ଅଢ଼ାଳିଆ ଆଦି ଗ୍ରାମବାସୀମାନେ ବାରମ୍ବାର ଭୁବନେଶ୍ବର ତହସିଲ, ବିଏମସି, ସିଏମସି ଓ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ତରଫରୁ ସମସ୍ୟାର ସମାଧାନ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏ ଦିଗରେ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର