ରେଳଧାରଣା କଡ଼ରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା : ହତ୍ୟା ମାମଲା ରୁଜୁ କଲା ରେଳବାଇ ଥାନା ପୁଲିସ

ଭୁବନେଶ୍ୱର : ମାଉସୀ ମା’ ଛକ ଓଭରବ୍ରିଜ୍‌ ତଳ ରେଳଧାରଣା କଡ଼ରୁ ଜଗା ଦାସ ନାମକ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣାରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ପାରିପାର୍ଶ୍ୱିକ ପରିସ୍ଥିତି ଓ ଜଗା ଦେହରେ ଥିବା କ୍ଷତ ଚିହ୍ନରୁ ଏହା ଏକ ସଂଘବଦ୍ଧ ହତ୍ୟାକାଣ୍ଡ ବୋଲି ରେଳବାଇ ଥାନା ପୁଲିସ ସ୍ପଷ୍ଟ କରିଛି। ଏକାଧିକ ବ୍ୟକ୍ତି ହତ୍ୟାକାଣ୍ଡରେ ସଂପୃକ୍ତ ଅଛନ୍ତି। ପୁଲିସ ସେହି ଦିଗରେ ଅନୁସନ୍ଧାନ ଆରମ୍ଭ କରିଛି। ରେଳବାଇ ଥାନା ପୁଲିସ ମାଉସୀ ମା’ ଛକ ପୋଟଳବସ୍ତିର କେତେକ ଯୁବକଙ୍କ ସନ୍ଦେହ କରୁଛି। ସେମାନେ ହିଁ ଜଗାକୁ ଡକାଇ ହତ୍ୟା କରିଛନ୍ତି ବୋଲି ପୁଲିସ ଜାଣିବାକୁ ପାଇଛି।

ପ୍ରକାଶଥାଉକି, ରବିବାର ଦିନ ପ୍ରାୟ ୧୧ଟା ବେଳେ ରେଳଲାଇନ ପାଖରେ ଜଗାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। କଳିଙ୍ଗପୁତ୍ର ବସ୍ତିରେ ରହୁଥିବା ଜଗାଙ୍କ ମାମୁ ଝିଅ ଆଶା ମାଳି ରେଳଲାଇନ କଡ଼ରେ ପଡ଼ିଥିବା ମୃତଦେହକୁ ଚିହ୍ନଟ କରିଥିଲେ। ଆଶାଙ୍କ କହିବାନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ଜଗା ତାଙ୍କୁ ଫୋନ କରି କହିଥିଲେ ସୁଜିତ, ବିବେକ, ବାବୁଲା, ବାବୁଲାର ଭାଇ, ଗୌରବ ଆଦି ତାଙ୍କୁ ମାଡ଼ ମାରୁଛନ୍ତି। ଏହା ପରେ ଜଗାଙ୍କ ଫୋନ୍‌ କଟି ଯାଇଥିଲା। ଆଶା ଫୋନ କରିବାରୁ ଜଗାଙ୍କ ଫୋନ ସୁଇଚ ଅଫ କହିଥିଲା। ପରଦିନ ସକାଳୁ ସେ ଜଗାଙ୍କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ତାଙ୍କ ଫୋନ ସୁଇଚ୍‌ ଅଫ ବୋଲି କହିଥିଲା। ଦିନ ପ୍ରାୟ ୧୧ଟାରେ ସେ ଜଗାଙ୍କ ମୃତଦେହ ରେଳଲାଇନ କଡରେ ପଡ଼ିଥିବା ଦେଖି ଥିଲେ। ଯେଉଁମାନେ ଜଗାଙ୍କୁ ମାଡ଼ ମାରିଛନ୍ତି, ସେମାନେ ହିଁ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ବୋଲି ଜଗାଙ୍କ ଭଉଣୀ ଆଶା ପୁଲିସକୁ କହିଛନ୍ତିି। ଜଗାଙ୍କ ଦେହରେ ହଣା ଦାଗ ଥିବା ଓ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

ଜଗା ନାଁରେ କ୍ୟାପିଟାଲ, ଲକ୍ଷ୍ମୀସାଗର ଓ ବଡ଼ଗଡ଼ ଥାନାରେ ଅପରାଧିକ ମାମଲା ରହିଛି। ବର୍ଷକ ତଳେ ଜଗାଙ୍କୁ କେତେକ ବ୍ୟକ୍ତିି ମରଣାନ୍ତକ ଆକ୍ରମଣ କରିଥିଲେ। ଯେଉଁ କାରଣରୁ ସେ ମାନସିକ ଭାରସାମ୍ୟ ହରାଇଥିଲେ। ଜଗାଙ୍କ ପତ୍ନୀ ଶିବାନୀ କ୍ୟାପିଟାଲ ଥାନା ସମ୍ମୁଖରେ ରଶି ବିକ୍ରି କରନ୍ତି। ସେ ମଧ୍ୟ ସନ୍ଦେହ କରୁୁଛନ୍ତି ତାଙ୍କ ପତିକୁ କେହି ହତ୍ୟା କରିଛି ବୋଲି। ଏ ସମ୍ପର୍କରେ ରେଳବାଇ ଥାନା ଇନ୍ସପେକ୍ଟର ଭରତ ସାହୁ କହିଛନ୍ତି, ପ୍ରଥମେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। କିନ୍ତୁ ଜଗାଙ୍କ ଶରୀରରେ ଥିବା କ୍ଷତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ସ୍ପଷ୍ଟ ହୋଇଗଲାଣି। ପୁଲିସ ଜଗାଙ୍କ ମୋବାଇଲ୍‌ ଫୋନ୍‌ ଟ୍ରାକ କରି ଏହା ଜାଣିବାକୁ ପାଇଛି। ଯେଉଁମାନେ ଜଗାକୁ ଡକାଇଥିଲେ, ସେମାନଙ୍କୁ ଚିହ୍ନଟ କରିସାରିଛି। ଖୁବ୍‌ ଶୀଘ୍ର ସେମାନେ ଗିରଫ ହେବେ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର