ନବୀନଙ୍କ ଉପରେ ଆଖି : ଏନ୍‌ଡିଏ, ଉପାକୁ ଧରାଦେଉନାହାନ୍ତି, ଫେଡେରାଲ୍‌ ଫ୍ରଣ୍ଟ ସମର୍ଥନ ନେଇ ଚୁପ୍‌

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ବିପର୍ଯ୍ୟୟକୁ ରୋକିବାରେ ସକ୍ଷମ ହୋଇଛି ବିଜେଡି। ବିଜେପୁର ଉପନିର୍ବାଚନ ଓ ଅତାବିରା ଏବଂ ହିନ୍ଦୋଳ ଏନ୍‌ଏସି ନିର୍ବାଚନରେ ବିଜେଡିର ଏକପାଖିଆ ବିଜୟ ସ୍ପଷ୍ଟ କରିଦେଇଛି ଯେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା ପୂର୍ବଭଳି ଅତୁଟ ରହିଛି। କେବଳ ସେତିକି ନୁହେଁ, ଦୁଇ ନମ୍ବର ଦଳ ଭାବେ ମାନ୍ୟତା ପାଇବା ଲାଗି ବିଜେପି ଯେଉଁ ରାସ୍ତା ନିର୍ମାଣ କରିଥିଲା, ସେଥିରେ କଂଗ୍ରେସ ବାଟ ଓଗାଳିବା ପରେ ୨୦୧୯ ନିର୍ବାଚନ ପାଇଁ ବିଜେଡି ଏବେ ପୂର୍ବାପେକ୍ଷା ନିଜକୁ ଅଧିକ ସୁରକ୍ଷିତ ମନେ କରୁଛି। ରାଜ୍ୟ ରାଜନୀତିରେ ଏହି ସଫଳତାକୁ ନେଇ ନବୀନ ଯେତେ ଚର୍ଚିତ, ତାଠାରୁ ଅଧିକ ଗୁରୁତ୍ୱ ବଢ଼ିଯାଇଛି ଜାତୀୟ ରାଜନୀତିରେ। ଆସନ୍ତା ସାଧାରଣ ନିର୍ବାଚନ ଲାଗି ଯେଉଁ ଧ୍ରୁବୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି, ସେଥିରେ ନବୀନଙ୍କର ସମ୍ଭାବ୍ୟ ଭୂମିକା ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଲାଣି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ରରେ କ୍ଷମତାସୀନ ବିଜେପି ୨୦୧୯ ନିର୍ବାଚନରେ ଏକାକୀ ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଛି। କିନ୍ତୁ କେତେକ ରାଜ୍ୟ ବିଧାନସଭା ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ନେତାମାନଙ୍କର ଚିନ୍ତା ବଢ଼ାଇଦେଇଛି। ତେଣୁ ଏବେଠାରୁ ସହଯୋଗୀ ଦଳ ଖୋଜିବା ଆରମ୍ଭ କରିଦେଲେଣି। କର୍ଣ୍ଣାଟକରେ ଦେବେଗୌଡ଼ାଙ୍କ ଜେଡିଏସ୍‌ ସହିତ ମେଣ୍ଟ ପାଇଁ ବିଜେପି ନେତାମାନଙ୍କର ବ୍ୟାକୁଳତା ହେଉଛି ଏହାର ପ୍ରମାଣ। କଂଗ୍ରେସ ମଧ୍ୟ ଏ କ୍ଷେତ୍ରରେ ପଛରେ ପଡିନାହିଁ। ସମଭାବାପନ୍ନ ରାଜନୈତିକ ଦଳକୁ ଏକାଠି କରିବା ପାଇଁ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ କସରତ ଚଳାଇଛନ୍ତି। ଏମାନଙ୍କ ବ୍ୟତୀତ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଅଣକଂଗ୍ରେସ ଓ ଅଣବିଜେପି ରାଜନୈତିକ ଶକ୍ତିକୁ ଧରି ଫେଡେରାଲ୍‌ ଫ୍ରଣ୍ଟ ଗଠନ କରିବା ପାଇଁ ଆହ୍ଵାନ ଦେଲେଣି। ବିଭିନ୍ନ ରାଜ୍ୟର ଆଞ୍ଚଳିକ ରାଜନୈତିକ ଦଳମାନଙ୍କୁ ଟାର୍ଗେଟ କରି ଶ୍ରୀ ରାଓ ଏହି ଫ୍ରଣ୍ଟ ଗଠନ ପ୍ରକ୍ରିୟାକୁ ଆଗେଇ ନେଉଛନ୍ତି। ଇତିମଧ୍ୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ଦଳର ପ୍ରମୁଖଙ୍କୁ ଶ୍ରୀ ରାଓ ଭେଟି ସାରିଲେଣି। ଶ୍ରୀ ରାଓଙ୍କ ଯୋଜନା ହେଉଛି, ଆସନ୍ତା ୧୦ ତାରିଖ ଦିନ ହାଇଦ୍ରାବାଦରେ ସବୁ ଆଞ୍ଚଳିକ ରାଜନୈତିକ ଦଳକୁ ଏକାଠି କରି ଶକ୍ତି ପ୍ରଦର୍ଶନ କରିବେ। ଏଥିପାଇଁ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ୱାମୀ, ଛତିଶଗଡ଼ ଜନତା କଂଗ୍ରେସ ମୁଖ୍ୟ ଅଜିତ ଯୋଗୀ, ଜନତା ଦଳ ( ଧର୍ମନିରପେକ୍ଷ) ମୁଖ୍ୟ ଏଚ୍‌ ଡି ଦେବେଗୌଡା ପ୍ରମୁଖଙ୍କୁ ଆମନ୍ତ୍ରଣ କରିଥିବା ସୂଚନା ମିଳିଛି।

ଶ୍ରୀ ରାଓଙ୍କ ଏଭଳି ପଦକ୍ଷେପ ଜାତୀୟ ରାଜନୀତି ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଆଗକୁ ଫେଡେରାଲ ଫ୍ରଣ୍ଟ୍‌ କେଉଁ ରୂପ ନେବ, କ୍ଷମତା ହାସଲ କରିପାରିିବ କି ନାହିଁ ତାହା ଅଲଗା କଥା। ମାତ୍ର କେଉଁ ରାଜନୈତିକ ଦଳ କେଉଁ ଆଡକୁ ଢଳିବେ, ସେମାନଙ୍କର ଆଭିମୁଖ୍ୟ କଣ ହେବ, ଏସବୁ ସଂପର୍କରେ ଆସନ୍ତା ୧୦ ତାରିଖରେ କିିଛିଟା ଚିତ୍ର ନିଶ୍ଚିତ ମିଳିବ।

ଜାତୀୟ ରାଜନୀତିରେ ଚାଲିଥିବା ଏହି ପ୍ରକ୍ରିୟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକା କଣ ରହିବ, ଆଗାମୀ ଦିନରେ ସେ କାହା ସହିତ ଯିବା ଲାଗି ପସନ୍ଦ କରିବେ, ତାହା ଉପରେ ସମସ୍ତଙ୍କର ନଜର କେନ୍ଦ୍ରୀଭୂତ ହୋଇଛି। ହେଲେ କୌତୂହଳର କଥା, ମୁଖ୍ୟମନ୍ତ୍ରୀ ଏମିତି ଗୋଟିଚାଳନା କରୁଛନ୍ତି ଯେ ରାଜ୍ୟବାସୀଙ୍କ କଥା ଦୂରେ ଥାଉ, ଜାତୀୟ ରାଜନୀତିର ପ୍ରମୁଖ କର୍ଣ୍ଣଧାରମାନେ ମଧ୍ୟ ଠଉରାଇ ପାରୁ ନାହାନ୍ତି। ରାଜ୍ୟରେ ନିଜ ସ୍ଥାନକୁ ନିଶ୍ଚିତ କରି ଗୋଟିଏ ପଟେ ସେ କେନ୍ଦ୍ରୀୟ ନେତାମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ଅନ୍ୟପଟେ କାହାକୁ ଧରା ନ ଦେଇ ସେ ସବୁ ପ୍ରମୁଖ ଗୋଷ୍ଠୀର ମୁଣ୍ଡ ବିନ୍ଧାର କାରଣ ପାଲଟିଲେଣି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ସମସ୍ତ ବିବାଦୀୟ ବିଲ୍‌କୁ ଆଖିବୁଜା ସମର୍ଥନ ଦେଇଛି ବିଜେଡି। ପ୍ରଧାନମନ୍ତ୍ରୀଙ୍କ ଫୋନ୍‌ ମିଳିବାର କେଇ ମୁହୂର୍ତ ମଧ୍ୟରେ ତୁରନ୍ତ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରି ଏନ୍‌ଡିଏ ସହିତ ବିଜେଡି ତାର ନିବିଡତାର ଝଲକ ଦେଖାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଏନ୍‌ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିରୋଧ କରିବା ଲାଗି ନବୀନ ଆଦୌ ପଛଘୁଞ୍ଚା ଦେଇନଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଏକାଠି ଗୋଟିଏ ମଞ୍ଚରେ ବସିବା ସ୍ୱପ୍ନ ହୋଇଯାଇଥିଲା। କେବଳ ସେତିକି ନୁହେଁ, ବିଜୁ ପଟ୍ଟନାୟକଙ୍କ ପୁସ୍ତକ ଉନ୍ମୋଚନ ହେଉ କିମ୍ବା ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ଉଭୟ କ୍ଷେତ୍ରରେ ସେ ପ୍ରଧାନମନ୍ତ୍ରୀଙ୍କ କଟ୍ଟର ବିରୋଧୀ ଭାବେ ଜଣାଶୁଣା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀଙ୍କ ସହିତ ବସି ସେମାନଙ୍କର ନିକଟତମ ବୋଲି ସୂଚାଇଥିଲେ।

ନିକଟରେ ବିଜେପୁର ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଖୋଲା ଯୁଦ୍ଧ ଆହ୍ଵାନ ଦେଇଥିଲେ ରାଜ୍ୟ ବିଜେପି ନେତା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଏହି ନିର୍ବାଚନ ସମ୍ମାନର ପ୍ରଶ୍ନ ଥିଲା। ହେଲେ ଠିକ୍‌ ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ନବୀନଙ୍କ ଗୁପ୍ତ ବୈଠକ ଭିନ୍ନ କିଛି ସଙ୍କେତ ଦେଇଥିଲା।
ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଦ୍ୱନ୍ଦ୍ୱୀ ବୋଲି ଚିତ୍ରଣ କରାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଗୋଟିଏ ପଟେ ରାଜ୍ୟ ସରକାରଙ୍କ ପାରଦର୍ଶିତା ନେଇ ପ୍ରଶ୍ନ ଉଠାଉଥିବା ବେଳେ ଅନ୍ୟପଟେ ନବୀନ ପଟ୍ଟନାୟକଙ୍କୁ ଗ୍ରାମାଞ୍ଚଳରେ ଦକ୍ଷତା ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ମିଳୁଛି। ସେହିପରି ସଂସଦର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିରେ ଓଡ଼ିଶାର ସାଂସଦଙ୍କୁ ନିଆଯିବା ଘଟଣା ଏନ୍‌ଡିଏ ସହିତ ତାଙ୍କର ସଂପର୍କ ନେଇ ଭ୍ରୂକୁଞ୍ଚନ ସୃଷ୍ଟି କଲାଣି।

ଏନ୍‌ଡିଏ ସହିତ ନବୀନଙ୍କର ଏଭଳି ଖଟାମିଠା ସଂପର୍କ ଆଗକୁ କେଉଁ ମୋଡ଼ ନେବ ତାହା ଏବେ ଠାରୁ ଆକଳନ କରିବା ମୁସ୍କିଲ। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଓ କଂଗ୍ରେସ ଠାରୁ କେବଳ ସମଦୂରତ୍ୱ କଥା କହିଛନ୍ତି ତା ନୁହେଁ, ବରଂ ଗତ ୨ ତାରିଖ ଦିନ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହ ପ୍ରସ୍ତୁତି ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ତାଙ୍କର ଆହ୍ଵାନ କେନ୍ଦ୍ର ସରକାରଙ୍କୁ ଅକଳରେ ପକାଇ ଦେଇଛି। ସମ୍ବିଧାନ ସଂଶୋଧନ କରି ଏକାଧିକ ବଡ଼ ନିଷ୍ପତ୍ତି ନେଇଛନ୍ତି ବୋଲି ବାହାଦୁରି ଦେଖାଉଥିବା କେନ୍ଦ୍ର ଏବେ ଆଉ ପାଦେ ଆଗକୁ ଯାଇ ନବୀନଙ୍କ ପ୍ରସ୍ତାବ ଅନୁଯାୟୀ ମହାତ୍ମାଗାନ୍ଧୀଙ୍କ ପାଇଁ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ସାମିଲ କରିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି। ସେହିଭଳି ଯେଉଁମାନେ ଜାତି, ଧର୍ମ ଓ ଶ୍ରେଣୀ ଆଦି ବିଭିନ୍ନ ଗୋଷ୍ଠୀ ନାମରେ ସମାଜରେ ବିଭେଦ ସୃଷ୍ଟି କରୁଛନ୍ତି, ବିକାଶ ପାଇଁ ସେମାନଙ୍କୁ ପରାସ୍ତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ବି ପରୋକ୍ଷରେ କେନ୍ଦ୍ର ଆଡ଼କୁ ବୋଲି ଗୋଟିଏ ମହଲ ବିଶ୍ୱାସ କରୁଛନ୍ତି।

ଅନ୍ୟପଟେ କଂଗ୍ରେସ ସହିତ ମଧ୍ୟ ନବୀନଙ୍କର ସଂପର୍କ ରାଜନୈତିକ ମହଲକୁ ବେଶ୍‌ ଆମୋଦିତ କରୁଛି। ଏକଦା ରାଜ୍ୟ ପିସିସି ସଭାପତି ପରିବର୍ତନରେ ନବୀନଙ୍କ ଭୂମିକା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଅଣବିଜେପିି ଦଳକୁ ନେଇ ଯେଉଁ ନୂଆ ଶକ୍ତି ଗଠନର ପ୍ରୟାସ ଚାଲିଛି, ସେଥିିରେ ନବୀନଙ୍କ ଭୂମିକା କଣ ହେବ, ତାହା ବି ବିତର୍କ ଭିତରେ ରହିଛି। କାରଣ, ନବୀନ ଓ ବିଜେଡି ନିଜକୁ ଏସବୁଠାରୁ ସମ୍ଭବତଃ ଦୂରେଇ ରଖିଛନ୍ତି। ଏପରିକି କଂଗ୍ରେସ ଆଣିଥିବା ମହାଭିଯୋଗ ପ୍ରସ୍ତାବରେ ବିଜେଡିି ଦସ୍ତଖତ କରିନଥିଲା। ସେହିଭଳି ବିଜୁ ବାବୁଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବରେ ନବୀନ ବାମପନ୍ଥୀ ବନ୍ଧୁ ସୀତାରାମ ୟେଚୁରିଙ୍କୁ ଅତିଥି କରି ଆଣିଥିଲେ ଓ ଏହା ପୂର୍ବରୁ ବି ସେମାନଙ୍କ ମଧ୍ୟରେ ବୈଠକ ହୋଇଛି। ଏବେ କିନ୍ତୁ ଜାତୀୟସ୍ତରରେ ବାମଦଳ କଂଗ୍ରେସ ସହିତ ରହିବ ବୋଲି ଘୋଷଣା କରିବା ପରେ ନବୀନ ଏମାନଙ୍କ ସହିତ ରାଜ୍ୟରେ ରହିବା ସମ୍ଭାବନା ବି କ୍ଷୀଣ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହୁଅନ୍ତୁ କି ଶରଦ ଯାଦବ ଏମାନଙ୍କ ସହିତ ନବୀନଙ୍କର ବୈଠକ ହୋଇଥିଲେ ହେଁ, ଏଥିରୁ କୌଣସି ଏକ ରାଜନୈତିକ ସିଦ୍ଧାନ୍ତ ଟଣାଯାଇପାରିନାହିଁ। ରାଜନୈତିକ ମହଲର ଖବର ଅନୁସାରେ, ଖୁବ୍‌ଶୀଘ୍ର ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେ ସମୟରେ ନବୀନଙ୍କ ସହିତ ତାଙ୍କର ଭେଟଘାଟ୍‌ ହେବ। ସମାଜବାଦୀ ପାର୍ଟି ମଧ୍ୟ ନବୀନଙ୍କ ବିଜେଡିକୁ ଉଭୟ ମହାନଦୀ ଓ ବିଜେପୁର ଉପନିର୍ବାଚନରେ ଖୋଲା ସମର୍ଥନ ଦେଇଛି। ତେଲେଙ୍ଗାନା ସହିତ ରାଜ୍ୟ ସରକାରଙ୍କ ସଂପର୍କ ବଢିଛି। ପୋଲାଭରମ୍‌ ମାମଲାରେ ତେଲେଙ୍ଗାନା ସରକାର ଓଡ଼ିଶାକୁ ସମର୍ଥନ ଜଣାଇଛନ୍ତି। ତେଲେଙ୍ଗାନାର ପ୍ରତିନିଧିଙ୍କ ସହିତ ନିକଟରେ ମୁଖ୍ୟମନ୍ତ୍ରୀଙ୍କର ବୈଠକ ହୋଇଛି। ହେଲେ ଫେଡେରାଲ ଫ୍ରଣ୍ଟ ଗଠନ ପ୍ରକ୍ରିୟାରେ ବିଜେଡି ରହିବ କି ନାହିଁ, ସେ କାର୍ଡ ଖୋଲିବା ପାଇଁ ନବୀନ ନାରାଜ। ନବୀନଙ୍କର ଏଭଳି ଗୋଟିଚାଳନା ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର