ସମୁଦ୍ରରୁ ପ୍ଲାଷ୍ଟିକ୍‌ ଆବର୍ଜନା ସଫେଇ ପାଇଁ ଜାହାଜ ଡିଜାଇନ୍‌ କଲେ ୧୨ ବର୍ଷିୟ ପୁଣେ ବାଳକ ହାଜିକ୍‌ କାଜି

ପୁଣେ: ହାଜିକ୍‌ କାଜି ନାମକ ପୁଣେର ଜଣେ ୧୨ ବର୍ଷିୟ ବାଳକ ‘ଏର୍‌ଭିସ୍‌’ ବୋଲି ଏକ ପାଣି ଜାହାଜର ଡିଜାଇନ୍‌ କରିଛନ୍ତି। ଏହା ସମୁଦ୍ରରୁ ପ୍ରଦୂଷଣ ହ୍ରାସ କରାଇବା ସହ ସାମୁଦ୍ରିକ ଜୀବଙ୍କୁ ବଞ୍ଚାଇବ।

ହାଜିକ୍‌ କାଜି କହନ୍ତି: ମୁଁ କେତେକ ପ୍ରାମାଣିକ ଚଳଚ୍ଚିତ୍ର ଦେଖି ସାମୁଦ୍ରିକ ଜୀବଙ୍କ ଉପରେ ଆବର୍ଜନାର ପ୍ରଭାବ କଥା ଅନୁଭବ କଲି। ମୋତେ କିଛି କରିବାକୁ ପଡ଼ିବ ବୋଲି ମୋର ମନେହେଲା। ଆମେ ଖାଉଥିବା ମାଛ ସମୁଦ୍ରରେ ପ୍ଲାଷ୍ଟିକ୍‌ ଖାଉଥିବାରୁ ପ୍ରଦୂଷଣ ଚକ୍ର ଆମ ମଧ୍ୟକୁ ଆସି ମଣିଷ ଜୀବନକୁ ପ୍ରଭାବିତ କରୁଛି। ତେଣୁ ମୁଁ ‘ଏର୍‌ଭିସ୍‌’ର କଳ୍ପନା କଲି।

‘ଏର୍ଭିସ୍‌’ର କାର୍ଯ୍ୟ ଓ ବୈଶିଷ୍ଟ୍ୟ ସଂକ୍ରାନ୍ତରେ ହାଜିକ୍‌ କହନ୍ତି: ଆବର୍ଜନା ଶୋଷି ନେବାକୁ ଏଥିରେ ଥିବା ଥାଳିଆଗୁଡ଼ିକ କେନ୍ଦ୍ରାଭିମୁଖୀ ଶକ୍ତି ବ୍ୟବହାର କରନ୍ତି। ଏହା ପରେ ସଂଗୃହୀତ ଆବର୍ଜ୍ଜନା ପୃଥକ୍‌ ତିନି ଭାଗ କରାଯାଏ (ପାଣି, ସାମୁଦ୍ରିକ ଜୀବ ଓ ଆବର୍ଜନା)। ସାମୁଦ୍ରିକ ଜୀବ ଓ ପାଣିକୁ ସମୁଦ୍ରରେ ଛାଡ଼ି ଦିଆଯାଏ। ସେଥିରୁ ବାହାରି ଥିବା ଆବର୍ଜନାକୁ ଆହୁରି ୫ ଭାଗରେ ପୃଥକ୍‌ କରାଯାଏ।

ଏହାକୁ ଆନ୍ତର୍ଜାତିକ ପ୍ଲାଟ୍‌ଫର୍ମରେ ଉପସ୍ଥାପନ କରି ହାଜିକ୍‌ ବହୁ ପଣ୍ଡିତ ଏବଂ ସଂଗଠନ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

ସେ କହିଛନ୍ତି ଯେ ତାଙ୍କ ନିର୍ମିତ ଜାହାଜ ଡିଜାଇନ୍‌ର ତଳେ ରହିଛି ଗୋଟାଏ ମେସିନ୍‌ ଯାହା ସମୁଦ୍ରରୁ ପ୍ଲାଷ୍ଟିକ୍‌ ଶୋଷି ଆଣି ଆକାର ଅନୁସାରେ ତାହାକୁ ପୃଥକ୍‌ କରିଥାଏ। ଜାହାଜ ତଳେ ରହିଛି ଏକ ସେନସର୍‌ ଯାହା ସମୁଦ୍ରରେ ଭାସିବା ସମୟରେ ସାମୁଦ୍ରିକ ଜୀବ, ପାଣି ଓ ପ୍ଲାଷ୍ଟିକ୍‌ ଚିହ୍ନଟ କରିଥାଏ।

୯ ବର୍ଷ ବୟସର ହୋଇଥିବା ବେଳେ ହାଜିକ୍‌ଙ୍କ ମୁଣ୍ଡରେ ଏ କଥା ପଶିଥିଲା।

ସମ୍ବନ୍ଧିତ ଖବର