ତାମ୍ବରା ନାୟକ ବା ତାମରା ବିଶୋଇ ସେବା

0 63

ତାମ୍ବରା ନାୟକ ବା ତାମରା ବିଶୋଇ, ଲୌହକାର ବା ଓଝା ମହାରଣା ସେବା ପରି ଶ୍ରୀମନ୍ଦିରର ତାମ୍ରକାର ସେବା। ବିଶେଷକରି ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ଅବସରରେ ଏହି ସେବକଙ୍କର ଗୁରୁତ୍ଵପୂର୍ଣ୍ଣ ସେବା ରହିଥାଏ। ସେ ଦୃଷ୍ଟିରୁ ଏହି ସେବକଙ୍କୁ ରଥ-ଛତିଶା ନିଯୋଗର ଅନ୍ତର୍ଭୁକ୍ତ କରାଯାଇଛି। ଲୋକକଥିତ ଭାଷାରେ ଏହାଙ୍କୁ ‘ତଅଁରା’ ମଧ୍ୟ କୁହାଯାଏ।

୨୯. ତାମ୍ବରା ନାୟକ ବା ତାମରା ବିଶୋଇ: ଶ୍ରୀ ରଥଶର୍ମାଙ୍କ ସୂଚୀର କ୍ରମ-୨୭ରେ ଓ ଅନ୍ୟମାନଙ୍କ ସୂଚୀରେ ଏହି ସେବକଙ୍କୁ ‘ତାମ୍ବରା ନାୟକ’ କୁହାଯାଇଛି। ଶ୍ରୀମନ୍ଦିର ସ୍ୱତ୍ଵଲିପିରେ ଏହି ସେବାର କ୍ରମ-୯୦। ସ୍ୱତ୍ଵଲିପି ବିବରଣୀ ଅନୁସାରେ- ଏହା ଶାଢ଼ିବନ୍ଧା, ବଂଶାନୁକ୍ରମିକ ସେବା ଏବଂ ବଂଶଧର ସାବାଳକ ହେଲେ ଓ ତାମ୍ବରା କାମ ଜାଣିଲେ ସେବାରେ ନିଯୁକ୍ତ ହୁଅନ୍ତି।

ଶ୍ରୀମନ୍ଦିରର ସୁନିର୍ଦ୍ଦିଷ୍ଟ ନୀତି ଅନୁସାରେ- ପ୍ରତିବର୍ଷ ସ୍ନାନ, ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କର ପହଣ୍ଡି ହୋଇଥାଏ। ଏଥି ମଧ୍ୟରୁ ଶ୍ରୀସୁଦର୍ଶନ ଓ ଦେବୀସୁଭଦ୍ରାଙ୍କର ଶୂନ୍ୟ ପହଣ୍ଡି ହେଉଥିବା ବେଳେ, ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କର ପ୍ରକୃତ ଅର୍ଥରେ ପହଣ୍ଡି ହୋଇଥାଏ। ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ଦୁଇଟି ଲେଖାଏଁ ଶ୍ରୀଭୁଜ ଦୃଶ୍ୟମାନ। ପହଣ୍ଡି କାଳରେ ସେହି ଶ୍ରୀଭୁଜଙ୍କର ସୁରକ୍ଷାପାଇଁ ଯେଉଁ ବାହୁଟ ଲାଗି ହୋଇଥାଏ, ତାହାକୁ ମୋଟା ତମ୍ବାପାତ ଦ୍ଵାରା ଶକ୍ତଭାବରେ ଯୋଡ଼ିଥାଆନ୍ତି ଏହି ତାମ୍ବରା ସେବକ। ଏହା ଶ୍ରୀଭୁଜଙ୍କର ସୁରକ୍ଷା କବଚ ରୂପେ କାମ କରିଥାଏ।

ପାରମ୍ପରିକ ପ୍ରଥା ଅନୁସାରେ, ଏଥିନିମନ୍ତେ ବାହୁଟ କାଠ ଆସିଥାଏ ସାକ୍ଷୀଗୋପାଳସ୍ଥିତ ବକୁଳ ବନରୁ। ପହଣ୍ଡି ସମୟରେ ଶ୍ରୀଭୁଜକୁ ଦୃଢ଼ ରଖିବାପାଇଁ ନିର୍ଦ୍ଦିଷ୍ଟ ଆକୃତିର ବଉଳକାଠର ଦଣ୍ଡ ଶ୍ରୀଅଙ୍ଗରେ ବସ୍ତ୍ରାଦି ଦ୍ଵାରା ଗୁଡ଼ା ହୋଇ ବନ୍ଧା ହୁଏ। ଏହାକୁ ଶ୍ରୀମନ୍ଦିର ପରିଭାଷାରେ ‘ସେନାପଟା ଲାଗି’ କୁହାଯାଏ।

ଏ ପ୍ରସଙ୍ଗରେ ଗୋଟିଏ ରୋଚକ କିଂବଦନ୍ତି ଅଛି। ମନ୍ଦିରର କୌଣସି ନୀତିକୁ ନେଇ କିପରି ସ୍ଥାନୀୟ କିଂବଦନ୍ତି ସୃଷ୍ଟି ହୁଏ, ଏହା ତାହାର ନିଦର୍ଶନ। କିଂବଦନ୍ତି ଅନୁସାରେ- ସାକ୍ଷୀଗୋପାଳର ସିଦ୍ଧବକୁଳ ହେଉଛନ୍ତି ଏକକ ଜଗନ୍ନାଥ ବିଗ୍ରହ ବା ଦଧିବାମନ। ସେ ହେଉଛନ୍ତି ଶ୍ରୀମନ୍ଦିରର ଶ୍ରୀଜଗନ୍ନାଥଙ୍କର ଅଜା। ଥରେ ନାତି ଜଗନ୍ନାଥ ପଣସ ଚୋରି କରି ଖାଇ ଅଜାଙ୍କ ମୁଣ୍ଡରେ ଅଠା ବୋଳିଦେଲେ। ତାହା ଫଳରେ ବିନା ଦୋଷରେ ସିଦ୍ଧ ବକୁଳ ଚୋର ବୋଲି ସାବ୍ୟସ୍ତ ହେଲେ। ତେଣୁ ସେ ଜଗନ୍ନାଥଙ୍କୁ କହିଲେ- ତୁ ମୋତେ ବିନା କାରଣରେ ଚୋର କଲୁ, ଏଣୁ ପ୍ରତିବର୍ଷ ତୁ ମୋ’ ବନର ବଉଳ କାଠରେ ବନ୍ଧା ହେବୁ। ଏଣୁ ସ୍ନାନ, ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାରେ ସେ ସାକ୍ଷୀଗୋପାଳ ବଉଳ ବନର କାଠରେ ବନ୍ଧା ହୁଅନ୍ତି। ତାହା ତାଙ୍କର ସେନାପଟା ଲାଗି।

ତେବେ ଏହି କିଂବଦନ୍ତିର ଆଉ ଗୋଟିଏ ଦିଗ ମଧ୍ୟ ରହିଛି। ସେହି ଘଟଣାରୁ ସେତେବେଳର ରାଜା ଜାଣିଲେ ଯେ ସିଦ୍ଧ ବକୁଳ ପଣସ ଖାଇବାକୁ ଭଲ ପାଆନ୍ତି। ତେଣୁ ସେହିଦିନୁ ସେଠାରେ ପଣସ ଭୋଗ ହୋଇ ଆସୁଛି।

ସ୍ନାନଯାତ୍ରାର ପହଣ୍ଡି, ରଥଯାତ୍ରାର ପହଣ୍ଡି ଓ ବାହୁଡ଼ାଯାତ୍ରାର ପହଣ୍ଡି ନିମନ୍ତେ ଯେଉଁ ସେନାପଟା ଲାଗି ହୁଏ, ସେଥିରେ ତାମ୍ବରା ସେବକ ସେହି ବାହୁଟ କାଠକୁ ମୋଟା ତମ୍ବା ପାତଦ୍ଵାରା ଶ୍ରୀଅଙ୍ଗରେ ଶକ୍ତ ଭାବରେ ଯୋଡ଼ିଥାଆନ୍ତି। କାରଣ ସ୍ନାନଯାତ୍ରାରେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ସ୍ନାନବେଦୀକୁ ଆସନ୍ତି ଏବଂ ସ୍ନାନବେଦୀରୁ ଅଣସର ଘରକୁ ଯାଆନ୍ତି। ସେହିପରି ଶ୍ରୀଗୁଣ୍ଡିଚା ଯାତ୍ରାରେ ଏହି ଦୁଇଠାକୁର ପହଣ୍ଡି ହୋଇ ରଥକୁ ଆସନ୍ତି ଏବଂ ରଥରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ତାମ୍ବରା ସେବକଙ୍କର ଶେଷ ରଥସେବା ହୋଇଥାଏ ବାହୁଡ଼ାଯାତ୍ରା ନିମନ୍ତେ। କାରଣ ବାହୁଡ଼ାଯାତ୍ରାରେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ମନ୍ଦିରରୁ ରଥକୁ ଆସନ୍ତି ଏବଂ ନୀଳାଦ୍ରି ବିଜେଦିନ ରଥରୁ ଶ୍ରୀମନ୍ଦିରର ରତ୍ନବେଦୀକୁ ଯାଆନ୍ତି।

ଏଣୁ ସାରାବର୍ଷରେ ତାମ୍ବରା ସେବକଙ୍କର ଏହି ସେବା ସ୍ୱଳ୍ପ ଅବଧିର ହେଲେ ମଧ୍ୟ, ଏହାର ବିଶେଷ ଗୁରୁତ୍ଵ ରହିଛି।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.