ରଥ-କାଠ ଚୟନର ବିଜ୍ଞାନ

ବନ-ବିଜ୍ଞାନୀ ମନୋରଞ୍ଜନ ମହାନ୍ତି ‘ରଥକାଠର ବିକଳ୍ପ’ ଶୀର୍ଷକ ଏକ ଲେଖାରେ, ରଥ ନିର୍ମାଣରେ ବ୍ୟବହୃତ ହେଉଥିବା କାଠ ଓ ତାର ବିକଳ୍ପ କାଠର ଏକ ତାଲିକା ଦେଇଛନ୍ତି। ତାଙ୍କ ଅନୁସାରେ, (କ) ଫ୍ରେମ୍‌ (ଦଣ୍ଡା, ଫଳି ଇତ୍ୟାଦି) ପାଇଁ ଅପେକ୍ଷାକୃତ ଶକ୍ତକାଠ ଦରକାର- କିନ୍ତୁ ତାହା ବେଶି ଓଜନିଆ ହୋଇ ନଥିବ, ଭାର ସହୁଥିବ। ଏହିପରି କେତେକ କାଠ ହେଉଛି- ବନ୍ଧନ, ଶିଶୁ, ଶାଳ, ସିଧ, ଜାମୁ, ଗମ୍ଭାରୀ, ବିଜା, ଧଳା ସେଡ଼ାର ଓ ଧଳା ଚୁଗଲାମ। ସେହିପରି (ଖ) ଆକ୍‌ସିଲ୍‌ (ଅର ଇତ୍ୟାଦି)ପାଇଁ ବ୍ୟବହାର କରାଯିବା କାଠ କଠିନ ଓ ଚେମେଡ଼ା ହେବା ଆବଶ୍ୟକ। ଏହିପରି କାଠ ହେଉଛି- ଫାସି, ବନ୍ଧନ, ଖଇର, କୁସୁମ, ବାବୁଲ, ସୁନ୍ଦରୀ, ଅଞ୍ଜନ, ନାଗେଶ୍ୱର, ଭେରୁ, ପୁଳା ଓ ହୋପିଆ। (ଗ) ହବ୍‌ (ତୁମ୍ବ ଇତ୍ୟାଦି)ର କାଠ କଠିନ ଓ ଚାପ ସହିପାରୁଥିବା ପରି ହେବା ଆବଶ୍ୟକ। ଏହିପରି କାଠ ହେଉଛି- ବନ୍ଧନ, କଙ୍ଗଡ଼ା, ଶାଳ, ବାବୁଲ, ଖଇର, ଭେରୁ, ଅଞ୍ଜନ, ସୁନ୍ଦରୀ, ନାଗେଶ୍ୱର, କୁସୁମ, ବେରିଆ ଓ ହୋପିଆ। (ଘ) ଫେଲୋ (ପହି ଇତ୍ୟାଦି)ପାଇଁ ବ୍ୟବହାର ହେବା କାଠ କଠିନ, ଶକ୍ତ ଓ ଦୀର୍ଘସ୍ଥାୟୀ ହେବା ସାଙ୍ଗକୁ ସ୍ଥିତିସ୍ଥାପକତା ଗୁଣ ଧାରଣ କରୁଥିବା ଆବଶ୍ୟକ। ଏହିପରି କାଠ ହେଉଛି- ଶିଶୁ, ଶିଶୁଆ, ବିଜା, ଢାମଣା, ବାବୁଲ, ବନ୍ଧନ, ଖଇର, ଶିରିଷ, ଶାଳ, ଶାଗୁଆନ, ଅସନ ଓ ଚଢ଼େଇଗୋଡ଼ିଆ। (ଙ) ସ୍ପୋକ୍‌ (ଅର ଇତ୍ୟାଦି)ର କାଠ ସଳଖ, ନିଖୁଣ, ଶକ୍ତ ଏବଂ ସ୍ଥିତିସ୍ଥାପକ ଗୁଣର ଅଧିକାରୀ ହୋଇଥିବ, ଯଥା- ଶିଶୁ, ଶିଶୁଆ, ବିଜା, ଢାମଣା, ଫାସି, ବାବୁଲ, କେନ୍ଦୁ, ଅଞ୍ଜନ, ଶାଳ, ସୁନ୍ଦରୀ ଓ ଚଢ଼େଇ ଗୋଡ଼ିଆ। (ଚ) ମାଷ୍ଟ୍‌, ଷ୍ଟ୍ରଟ୍‌, ପୋଲ୍‌ (ଖମ୍ବ, ଠେସ ଇତ୍ୟାଦି)ର କାଠ ସଳଖ, ଭାରୀ, ଶକ୍ତ, ଚେମଡ଼ା ଏବଂ ସ୍ଥିତିସ୍ଥାପକ ଗୁଣର ଅଧିକାରୀ ହୋଇଥିବ, ଯଥା- ଫାସି, ଶାଳ, ଢାମଣା, ହୋମାଲିୟନ, ବନ୍ଧନ, ପାଡାଉକ୍‌, ଭେଣ୍ଡି, ମୁଚୁକୁନ୍ଦ, କଷି, ଅଇନି ଓ ଦେଓଦାର।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ପ୍ରତିବର୍ଷର ରଥ ନୂଆକରି ନିର୍ମିତ ହୁଏ। କିନ୍ତୁ, ପାର୍ଶ୍ୱ ଦେବଦେବୀ, ଅଶ୍ୱ, ସାରଥି, ଓଲଟଶୁଆ ଆଦି କେତେକ ମୂର୍ତ୍ତିି (ରୂପ) ପ୍ରତିବର୍ଷ ନିର୍ମିତ ନହୋଇ ମୁଖ୍ୟତଃ ନବକଳେବର ବର୍ଷରେ ହିଁ ନିର୍ମିତ ହୋଇଥାଆନ୍ତି। ଏପରି ନିର୍ମାଣପାଇଁ ବ୍ୟବହୃତ ହେଉଥିବା କାଠ ଓ ତାର ବିକଳ୍ପ କାଠଗୁଡ଼ିକୁ ମଧ୍ୟ ସେହି ଲେଖାରେ ନିର୍ଦ୍ଦେଶ କରିଛନ୍ତି ବନ-ବିଜ୍ଞାନୀ ଶ୍ରୀ ମହାନ୍ତି। ତାଙ୍କ ଅନୁସାରେ, (ଛ) ଆଇଡଲ୍‌ (ମୂର୍ତ୍ତିି ଇତ୍ୟାଦି)ର କାଠ ହାଲୁକା ହେବା ଆବଶ୍ୟକ, ଯାହାଦ୍ଵାରା ସହଜରେ ଖୋଦେଇ କରାଯାଇପାରିବ। ଏହିପରି କାଠ ହେଉଛି- କୁରୁମ, ପଣସ, ଦମକୁରୁଡୁ, ଗମ୍ଭାରୀ, ଶ୍ୱେତଚନ୍ଦ୍ରିକା, କୁରେଇ, ମୁଣ୍ଡି, ଗନ୍ଧପଳାସ, ଫାଉକୁରୁଣୀ, କାଞ୍ଚନ, ପାଳଧୁଆ, ବେଲ, ପାରୀଶ, ଛତିଶ, ଛତିମ, ଗୁଆଁ, ବିଲାତି, ନିମ୍ବ, ଶିମିଳି, ଘନ, କଂସ, କୁନୁ, ବୋଦକା, ଉଗ୍ରଗନ୍ଧା, ଫାର୍‌, ସ୍ପୃଶ୍‌ ଓ ପିତଳ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ରଥର ନିର୍ଦ୍ଦିଷ୍ଟ ଅଙ୍ଗପାଇଁ ଶ୍ରୀକ୍ଷେତ୍ରର ରଥରେ ଯେଉଁସବୁ କାଠ ପାରମ୍ପରିକ ଭାବରେ ବ୍ୟବହୃତ ହୋଇଆସୁଛି, ଉପରୋକ୍ତ ଗୁଣ, ମାନ ଅନୁସାରେ ତାହା ବିଜ୍ଞାନ ସମ୍ମତ।

ତେବେ, ଶ୍ରୀ ମହାନ୍ତି ଦେଇଥିବା ସୂଚନା ଅନୁସାରେ, ଉଲ୍ଲିଖିତ କାଠ ଗୁଡ଼ିକର ସମସ୍ତ ଯାନ୍ତ୍ରିକ ଗୁଣ ଭାରତୀୟ ବନ ଗବେଷଣା ସଂସ୍ଥା, ଡେରାଡୁନ୍‌ ଦ୍ଵାରା ପରୀକ୍ଷିତ। ଏଣୁ କୌଣସି ନିର୍ଦ୍ଦିଷ୍ଟ କିସମର କାଠର ଅଭାବ ସ୍ଥଳେ, ବିକଳ୍ପ କାଠଗୁଡ଼ିକୁ ମଧ୍ୟ ରଥନିର୍ମାଣ ନିମନ୍ତେ ବିଚାର ପରିସରକୁ ନିଆଯିବା ଆବଶ୍ୟକ।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର