ଆର୍ଜେଣ୍ଟିନା ପ୍ରି-କ୍ୱାର୍ଟରରେ ପହଞ୍ଚିଲା

ସେଣ୍ଟ୍‌ପିଟର୍ସବର୍ଗ/ରସ୍ତୋଭ: ଚଳିତ ଫିଫା ବିଶ୍ୱକପ୍‌ରେ ଗ୍ରୁପ୍‌ ‘ଡି’ରୁ ୧୯୭୮ ଏବଂ ୧୯୮୬ ମସିହା ବିଜେତା ଆର୍ଜେଣ୍ଟିନା ପ୍ରି କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଯାଇଛି। ମଙ୍ଗଳବାର ରାତିରେ ଲିଓନେଲ୍‌ ମେସି ଏବଂ ମାର୍କସ ରୋଜୋଙ୍କ ଗୋଲ୍‌ ବଳରେ ଆର୍ଜେଣ୍ଟିନା ୨-୧ରେ ଆଫ୍ରିକୀୟ ଦେଶ ନାଇଜେରିଆକୁ ହରାଇଦେଇଥିଲା। ପୂର୍ବରୁ କ୍ରୋଏସିଆ ଏହି ଗ୍ରୁପ୍‌ରୁ ପ୍ରିକ୍ୱାର୍ଟର ଉଠି ସାରିଥିବାବେଳେ ମଙ୍ଗଳବାର ମଧ୍ୟ ଆଇସଲାଣ୍ଡ୍‌କୁ ୨-୧ ଗୋଲରେ ହରାଇ ହ୍ୟାଟ୍ରିକ୍‌ ଅର୍ଜ୍ଜନ ସହିତ ଗ୍ରୁପ୍‌ ବିଜେତାର ଗୌରବ ପାଇଥିଲା। ଏହି ଫଳାଫଳ ମଧ୍ୟ ପରୋକ୍ଷରେ ଆର୍ଜେଣ୍ଟିନାକୁ ସହାୟକ ହୋଇଥିଲା। ଆର୍ଜେଣ୍ଟିନା ଗ୍ରୁପ୍‌ର ଦ୍ୱିତୀୟ ଦଳ ଭାବେ ପ୍ରିକ୍ୱାର୍ଟର ଉଠିଲା। ପ୍ରିକ୍ୱାର୍ଟରରେ କ୍ରୋଏସିଆ ଡେନ୍‌ମାର୍କକୁ ଏବଂ ଆର୍ଜେଣ୍ଟିନା ଫ୍ରାନ୍‌ସୁକୁ ଭେଟିବ। ସେଣ୍ଟ୍‌ପିଟର୍ସବର୍ଗ ଷ୍ଟାଡିୟମ୍‌ରେ ମ୍ୟାଚ୍‌ର ୧୪ତମ ମିନିଟ୍‌ରେ ହିଁ ଲିଓନେଲ୍‌ ମେସି ଗୋଲ୍‌ ଦେଇ ଆର୍ଜେଣ୍ଟିନାକୁ ଆଗୁଆ କରାଇଥିଲେ। ଆର୍ଜେଣ୍ଟିନାର ଏହି ମହାନ ଖେଳାଳିଙ୍କ ଗୋଲ୍‌ ଥିଲା ଚଳିତ ରୁଷିଆ ବିଶ୍ୱକପ୍‌ର ୧୦୦ତମ ଗୋଲ୍‌। ଏହି ଗୋଲ୍‌ ମଧ୍ୟ ବିଶ୍ୱକପ୍‌ରେ ଏକ ବାର୍କା ପରମ୍ପରାକୁ ଆଗକୁ ନେଇଥିଲା। ବାର୍ସିଲୋନା ଚୁକ୍ତିରେ ଥାଇ ୨୦୧୦ରେ ଆନ୍ଦ୍ରେ ଇନିସ୍ତା (ସ୍ପେନ୍‌ ବନାମ ଚିଲି), ୨୦୧୪ରେ ନେମାର (ବ୍ରାଜିଲ୍‌ ବନାମ କାମେରୁନ୍‌) ଏବଂ ୨୦୧୮ରେ ଲିଓନେଲ୍‌ ମେସି (ଆର୍ଜେଣ୍ଟିନା ବନାମ ନାଇଜେରିଆ) ଏକ ଅନନ୍ୟ ହ୍ୟାଟ୍ରିକ୍‌ ଦେଇଥିଲେ। ଏହି ଗୋଲ୍‌ ସହିତ ମେସି ୩ଟି ଭିନ୍ନ ଭିନ୍ନ ବିଶ୍ୱକପ୍‌ରେ ଗୋଲ୍‌ ଦେବାରେ ଡିଏଗୋ ମାରାଡୋନା ଏବଂ ଗାବ୍ରିଏଲ୍‌ ବାତିସ୍ତୁତାଙ୍କ ସମକକ୍ଷ ହୋଇଥିଲେ। ପ୍ରଥମାର୍ଧରେ ଆର୍ଜେଣ୍ଟିନା ୧-୦ରେ ଆଗୁଆ ରହିଥିଲେ। ଦ୍ୱିତୀୟାର୍ଧ ପ୍ରାରମ୍ଭ ତଥା ୫୧ତମ ମିନିଟ୍‌ରେ କିନ୍ତୁ ମାସ୍କେରାନୋଙ୍କ ବିପଜ୍ଜନକ ଖେଳ ପାଇଁ ଆର୍ଜେଣ୍ଟିନା ବିପକ୍ଷରେ ପେନାଲ୍‌ଟି ମିଳିଥିଲା। ଯାହାକୁ ଭିକ୍ଟର ମୋଜେସ୍‌ ଗୋଲ୍‌ରେ ପରିଣତ କରିବାରେ କୌଣସି ତ୍ରୁଟି କରିନଥିଲେ। ଏହା ପରେ ମ୍ୟାଚ୍‌ ଅଧିକ ଗତିଶୀଳ ହୋଇଥିଲା। ଭାର୍‌ ଜରିଆରେ ହ୍ୟାଣ୍ଡ୍‌ ବଲ୍‌ ନାକଜ, ରକ୍ତାକ୍ତ ଅବସ୍ଥାରେ ଖେଳାଳିଙ୍କ ଖେଳିବା ଦୃଶ୍ୟ ଏହି ମ୍ୟାଚକୁ ଅଧିକ ରୋମାଞ୍ଚକର କରି ଦେଇଥିଲା। ୮୬ତମ ମିନିଟ୍‌ରେ ମାର୍କସ ରୋଜୋ ଆର୍ଜେଣ୍ଟିନାକୁ ଆଗୁଆ କରି ଦେଇଥିଲେ। ଏହା ପରେ ଉଭୟ ଦଳ ସୁଯୋଗ ଛାଡ଼ିଥିଲେ ମଧ୍ୟ ଆର୍ଜେଣ୍ଟିନା ୨-୧ରେ ଜିତିଯାଇଥିଲା। ସେପଟେ କ୍ରୋଏସିଆ ବିଜୟ ଦଳକୁ ପରୋକ୍ଷରେ ଯଥେଷ୍ଟ ହୋଇଥିଲା।

ରୋସ୍ତାଭ ଆରେନାରେ ଆଇସଲାଣ୍ଡ୍‌-କ୍ରୋଏସିଆ ମ୍ୟାଚ୍‌ ପ୍ରଥମାର୍ଧ ଗୋଲଶୂନ୍ୟ ରହିଥିଲା। କିନ୍ତୁ କ୍ରୋଏସିଆ ପାଇଁ ୫୩ତମ ମିନିଟ୍‌ରେ ମିଲାନ୍‌ ବେଦେଲଜି ଗୋଲ୍‌ ଅଗଣୀ କରିଥିଲା। ୭୬ତମ ମିନିଟ୍‌ରେ ସିଗୁର୍ଦସନ୍‌ଙ୍କ ପେନାଲଟି ଗୋଲ ମ୍ୟାଚ୍‌କୁ ବରାବର ସ୍ତରକୁ ନେଇ ଆସିଥିଲା। ୯୦ତମ ମିନିଟ୍‌ରେ ଇଭାନ୍‌ ପେରିସ୍‌ିକ୍‌ଙ୍କ ଗୋଲ୍‌ କ୍ରୋଏସିଆକୁ ହ୍ୟାଟ୍ରିକ୍‌ ବିଜୟ ସହ ଗ୍ରୁପ୍‌ ବିଜେତା କରାଇଥିଲା।

ସମ୍ବନ୍ଧିତ ଖବର