ଅସ୍ଥାୟୀ ଲଞ୍ଚ ଡ୍ରାଇଭର୍‌, ଖଲାସୀ ମହାସଂଘର ବିକ୍ଷୋଭ

ଭୁବନେଶ୍ବର: ୬ମାସ ପରିବର୍ତ୍ତେ ୧୨ ମାସିଆ ନିଯୁକ୍ତି ଦାବି ନେଇ ଅସ୍ଥାୟୀ ଲଞ୍ଚ ଡ୍ରାଇଭର୍‌ ଓ ଖଲାସୀ ମହାସଂଘ ଆଜି ଲୋୟର ପିଏମ୍‌ଜିରେ ବିକ୍ଷୋଭ କରିଛି। ବିଭିନ୍ନ ଦାବି ନେଇ ଡିସେମ୍ବର ୩ ତାରିଖରୁ ଧାରଣା ଜାରି ରହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣିସ ପଦକ୍ଷେପ ନିଆଯାଇ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ମହାସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ଅଧୀନରେ ଅସ୍ଥାୟୀ ଲଞ୍ଚ ଡ୍ରାଇଭର୍‌ ଓ ଖଲାସୀମାନେ ବର୍ଷ ବର୍ଷ ଧରି ୬ ମାସିଆ ଠିକା କର୍ମଚାରୀଭାବେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜୀବନକୁ ବାଜି ଲଗାଇ କାମ କରିଆସୁଛନ୍ତି। ହେଲେ ଏଥିପାଇଁ ମାସକୁ ଡ୍ରାଇଭର୍‌ମାନଙ୍କୁ ମାତ୍ର ୮୮୮୦ଟଙ୍କା ଓ ଖଲାସୀମାନଙ୍କୁ ୮୦୮୦ଟଙ୍କା ଦିଆଯାଉଛି। ତାହା ପୁଣି ୬ମାସ କାମ ନ ପାଇ ଘରେ ବସିବାକୁ ପଡ଼ୁଛି। ରାଜ୍ୟର ୧୮ଟି ଜିଲ୍ଲାର ପାଖାପାଖି ୫୧୯ଜଣ ଡ୍ରାଇଭର ଓ ଖଲାସୀ ଏଭଳି ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି। ରାଜ୍ୟସରକାର ଏହାକୁ ଗୁରୁତର ସହ ନେଇ ପଦକ୍ଷେପ ନେବାକୁ ସଂଘ ସଭାପତି ଯୁଧିଷ୍ଠିର ମହାପାତ୍ର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର