୧୫ ଦିନର ଶିଶୁକୁ ଚେଙ୍କ, ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର : କେନ୍ଦୁଝର କାଞ୍ଜିପାଣି ଥାନା ଟେଲିଫୋନ ସାହିରେ ଅନ୍ଧବିଶ୍ୱାସର ଶିକାର ହୋଇ ଏକ ଆଦିବାସୀ ପରିବାର ନିଜ ୧୫ ଦିନର ଶିଶୁକନ୍ୟାକୁ ଚେଙ୍କ ଦେଇଛନ୍ତି। ଚେଙ୍କ ଖାଇ ଶିଶୁଟି ଗୁରୁତର ହେବାରୁ ତାକୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗ୍ରାମର କରୁଣା ଜୁଆଙ୍ଗଙ୍କ ପତ୍ନୀ ସଂଗୀତା ୧୫ ଦିନ ତଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଶିଶୁଟିକୁ ଥଣ୍ଡାଜ୍ୱର ହେବା ସହିତ କାଶ ହେଉଥିଲା। ସେ କିଛି ଖାଉ ନ ଥିଲା। ଜୁଆଙ୍ଗମାନେ ପିନ୍ଧୁଥିବା ଲୁହା ଚୁଡ଼ିରେ ଚେଙ୍କ ଦେଲେ ଶିଶୁଟି ଭଲ ହୋଇଯିବ ବୋଲି ଜେଜେମା କହିଥିଲେ। ଫଳରେ ଶିଶୁକନ୍ୟା ପେଟର ୪ଟି ସ୍ଥାନରେ ଚେଙ୍କ ଦେଇଥିଲେ। ଏହାଦ୍ୱାରା ଶିଶୁଟି ଭଲ ହେବା ପରିବର୍ତ୍ତେ ଅଧିକ ଅସୁସ୍ଥ ହୋଇପଡ଼ିଥିଲା। ଖବର ପାଇ ଆଶାକର୍ମୀ କରୁଣାଙ୍କ ଘରକୁ ଯାଇ ଛୁଆକୁ ଡାକ୍ତରଖାନା ନେବାକୁ କହିଥିଲେ। ବୁଧବାର ରାତିରେ ଶିଶୁକନ୍ୟାକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାକୁ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର