୭ ବର୍ଷର ଶିଶୁକୁ ୧୦ ଥର ଚେଙ୍କ

୪ ବର୍ଷ ତଳେ ୧୨ ଥର ଚେଙ୍କ

ରାଉରକେଲା : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ୭ ବର୍ଷ ଶିଶୁକୁ ୧୦ ଥର ଚେଙ୍କ ଦିଆଯାଇଛି। ବୀରମିତ୍ରପୁର ଅଞ୍ଚଳର ଏହି ଶିଶୁଟି ବର୍ତ୍ତମାନ ରାଉରକେଲା ଜେନେରାଲ୍ ହସ୍‌ପିଟାଲ୍‌ (ଆର୍‌ଜିଏଚ୍‌)ରେ ଚିକିତ୍ସାଧୀନ ଅଛି।

ବୀରମିତ୍ରପୁର ରେଲୱେ ଷ୍ଟେସନ ପାଖ ଜମ୍‌ଦାପଡ଼ା ଅଞ୍ଚଳ ନିବାସୀ ତଥା ରଙ୍ଗ ପୁଟି କାମ କରୁଥିବା ହାବିଲ ବାଗେଙ୍କ ପରିବାର କହିଲେ ଗୋଟିଏ ଝିଅ (୧୧) ଓ ଗୋଟିଏ ପୁଅ (୭)। ପ୍ରାୟ ତିନି ବର୍ଷ ପୂର୍ବେ ସ୍ତ୍ରୀ ବେବୀନା ବାଗେଙ୍କ ମୃତ୍ୟୁ ହୋଇସାରିଛି। ସ୍ତ୍ରୀଙ୍କ ମୃତ୍ୟୁ ପରେ ପିଲାଛୁଆଙ୍କ ଯତ୍ନ ପାଇଁ ହାବିଲ ନିଜର ଦୁଇ ଭଉଣୀଙ୍କ ପାଖକୁ ଉଭୟ ଭାଇ ଭଉଣୀଙ୍କୁ ପଠାଇ ଦେଇଥିଲେ। ଝିଅ ତା’ର ମଝିଆ ପିଉସୀଙ୍କ ପାଖରେ ରହୁଥିବାବେଳେ ପୀଡ଼ିତ ଶିଶୁ ଝାଡ଼ଖଣ୍ଡ ସୀମାନ୍ତ ବାଉଁଶଯୋରରେ ରହୁଥିବା ବଡ଼ ପିଉସୀ ସୁଶୀଳା ଜୋଜୋଙ୍କ ପାଖରେ ରହି ପାଠ ପଢ଼ୁଛି। ପ୍ରଥମ ଶ୍ରେଣୀରେ ପଢ଼ୁଥିବା ନାବାଳକଟି ହଠାତ୍‌ ଗତ ୪ ତାରିଖରେ ଅସୁସ୍ଥ ହୋଇ ପଡ଼ିଥିଲା। ତା’ର ପେଟ ଫୁଲିଥିଲା। ଏଣୁ ଘର ପାଖରେ ରହୁଥିବା ଜଣେ ବୃଦ୍ଧା (୬୦) ଝଡ଼ାଫୁଙ୍କା ଆରମ୍ଭ କରିଥିଲେ। ଏହାସହ ପେଟରେ ୧୦ଟି ଚେଙ୍କ ଦେଇଥିଲେ। ପେଟ ସାରା ୧୦ଟି ଚେଙ୍କ ଦେବାରୁ ନାବାଳକର ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା।

ପରବର୍ତ୍ତୀ ସମୟରେ ପୁନର୍ବାର ବୃଦ୍ଧା ଜଣକ ଆହୁରି ଝଡ଼ାଫୁଙ୍କା କରିଥିଲେ। କିନ୍ତୁ ସ୍ଥିତିରେ ଉନ୍ନତି ନ ହେବାରୁ ଶେଷରେ ପିଉସୀ ହାବିଲଙ୍କୁ ଗତକାଲି ସକାଳେ ଖବର ଦେଇଥିଲେ। ହାବିଲ ତୁରନ୍ତ ବାଉଁଶଯୋର ଯାଇ ପୁଅକୁ ଆଣି ଗତକାଲି ଦିନ ପ୍ରାୟ ୨ଟାରେ ଆର୍‌ଜିଏଚ୍‌ରେ ଭର୍ତ୍ତି କରିଥିଲେ। ନାବାଳକ ରକ୍ତହୀନତା ଯୋଗୁଁ ଅସୁସ୍ଥ ରହୁଥିବା ଜଣାପଡ଼ିବାପରେ ଡାକ୍ତର ଚିକିତ୍ସା ଆରମ୍ଭ କରିଦେଇଛନ୍ତି।

ସୂଚନାଯୋଗ୍ୟ, ପ୍ରାୟ ଚାରିବର୍ଷ ପୂର୍ବେ ମଧ୍ୟ ଉକ୍ତ ନାବାଳକକୁ ପାଖାପାଖି ୧୨/୧୩ଟି ଚେଙ୍କ ଦିଆଯାଇଥିଲା। ସେତେବେଳେ ତା’ର ମା’ ବେବୀନା ବଞ୍ଚିଥିଲେ ଏବଂ ଉକ୍ତ ‌ଚେଙ୍କ ଚିକିତ୍ସା ତାଙ୍କ ନିର୍ଦ୍ଦେଶରେ ହୋଇଥିଲା ବୋଲି କୁହା ଯାଉଛି। ସେହି ଚେଙ୍କର ଦାଗ ଏବେ ସୁଦ୍ଧା ନାବାଳକର ଦେହରୁ ଯାଇନି।

ସମ୍ବନ୍ଧିତ ଖବର