ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ, ରେଳ ଲାଇନ୍‌ରେ ଫିଙ୍ଗି ୩ ଦୁର୍ବୃତ୍ତ ଫେରାର

ବାଲେଶ୍ୱର : ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ରେଳଧାରଣା ନିକଟରେ ଫିଙ୍ଗିଦେଲେ। ଶହ ଶହ ଲୋକ ସବୁ ଦେଖୁଥିଲେ ବି କେହି କିଛି କରିପାରିଲେ ନାହିଁ। ଏଭଳି ଏକ ନାରକୀୟ କାଣ୍ଡ ଘଟିଛି ବାଲେଶ୍ବର ସହର ଶୋଭାରାମପୁର ରେଳ ଫାଟକ ନିକଟରେ। ଯୁବକ ଜଣକ ଏବେ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛି। ପୂର୍ବଶତ୍ରୁତାରୁ ଦୁର୍ବୃତ୍ତମାନେ ଏପରି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।

ସହରର ଭାସ୍କରଗଂଜ (ବି) ଅଞ୍ଚଳର ରବୀନ୍ଦ୍ର ସେଠୀଙ୍କ ପୁଅ ବଳରାମ (୨୫) ହରିଆନାରେ ରହି କାମ କରନ୍ତି। ଭଉଣୀ ବାହାଘର ପାଇଁ ନିକଟରେ ସେ ଘରକୁ ଆସିଥିଲେ। ତେବେ ଆଜି ଦି’ପହରେ ବଳରାମ ଘରେ ଖାଇ ସାରି ବାହାରକୁ ବୁଲିବାକୁ ବାହାରିଥିଲେ। ଶୋଭାରାମପୁର ରେଳ ଫାଟକଠାରୁ କିଛିଦୂରରେ ତାଙ୍କୁ ୪ରୁ ୫ ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ସ୍ଥାନୀୟ ଶହ ଶହ ଲୋକ ଏହା ଦେଖୁଥିଲେ ବି କେହି କିଛି କରିପାରିନଥିଲେ। ଦୁର୍ବୃତ୍ତମାନେ ବଳରାମଙ୍କୁ ରେଳଧାରଣା‌ କଡ଼କୁ ଠେଲି ଦେଇ ସେଠାରୁ ଦୌଡ଼ି ପଳାଇଯାଇଥିଲେ। ସ୍ଥାନୀୟ ଲୋକ ବଳରାମଙ୍କୁ ଚିହ୍ନିବା ସହ ସେ ବଞ୍ଚିଥିବା ଜାଣି ସହଦେବଖୁଣ୍ଟା ମଡେଲ୍‌ ଥାନାକୁ ସୂଚନା ଦେଇଥିଲେ। ପୁଲିସ ତୁରନ୍ତ ସେଠାରେ ପହଞ୍ଚି ବଳରାମଙ୍କୁ ଉଦ୍ଧାର କରିବା ସହ ଜିଲ୍ଲା ହସ୍ପିଟାଲ୍‌କୁ ନେଇଥିଲା। ଅ‌େସ୍ତ୍ରାପଚାର ପରେ ଏବେ ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଖବର ଲେଖାଯିବା ବେଳକୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର