ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ପୋଲ ପ୍ରସଙ୍ଗ: ମଙ୍ଗଳା କିସାନଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ପ୍ରତିନିଧିମଣ୍ଡଳି

ଭୁବନେଶ୍ୱର: ବ୍ରାହ୍ମଣୀ ନଦୀ ଉପରେ ରାଉରକେଲା ନିକଟରେ ଦ୍ୱିତୀୟ ପୋଲ ନିର୍ମାଣ ପାଇଁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଶୁଭ ଦେବାର ୪ ମାସ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୋଲ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇ ନାର୍ହିଁ। ଏ ନେଇ ରାଉରକେଲା ବିଧାୟକ ଦିଲିିପ ରାୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରିଙ୍କୁ ଚିଠି ଲେଖି ନିଜ ଅସନ୍ତୋଷ ପ୍ରକାଶ କରି ସାରିଥିବା ବେଳେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ କେନ୍ଦ୍ର ପୋଲି ନିର୍ମାଣ ନ କଲେ ରାଜ୍ୟ ସରକାର ସେଠାରେ ପୋଲ ନିର୍ମାଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ବିଜେଡି ପ୍ରତିନିଧି ମଣ୍ଡଳିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି ପରେ ବ୍ରହ୍ମଣୀ ନଦୀ ଉପରେ ପୋଲ ନିର୍ମାଣକୁ ନେଇ ବିଜେଡି- ବିଜେପି ରାଜନୀତି ରୋଚକ ମୋଡରେ ପହଞ୍ଚିଛି।
ଆଜି ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ ବିଜେଡି ନେତା ମଙ୍ଗଳା କିଷାନଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବ୍ରହ୍ମଣୀ ନଦୀ ଉପରେ ରାଉରକେଲା ନିକଟରେ ଦ୍ୱିତୀୟ ପୋଲି ନିର୍ମାଣ ନେଇ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପ୍ରତିନିଧିମଣ୍ଡଳିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହି ପ୍ରସଙ୍ଗ ନେଇ ସେ ପୁଣି ଥରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ। ଯଦି କେନ୍ଦ୍ର ଏଥର ମଧ୍ୟ ଏହି ପସଙ୍ଗକୁ ଗୁରୁତ୍ୱ ନ ଦିଏ ଓ ଉଦାସୀନତା ପ୍ରଦର୍ଶନ କରେ ତେବେ ରାଜ୍ୟ ସରକାର ସେଠାରେ ନିଜସ୍ୱ ସମ୍ବଳରେ ଦ୍ୱିତୀୟ ସେତୁ ପ୍ରତିଷ୍ଠା କରିବେ ବୋଲି ପ୍ରତିନିଧିମଣ୍ଡଳିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର